ପୁରୀ : ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ନାଟମଣ୍ଡପ ଛାତକୁ ଧରି ରଖିଥିବା ବିମ୍ ସବୁ ଖଣ୍ଡ ଖଣ୍ଡ ହୋଇଯାଇଛି। ଉତ୍ତରପାର୍ଶ୍ବ ବିମ୍ ମଝିରୁ ଦୁଇଖଣ୍ଡ ହୋଇ ଝୁଲି ରହିଛି। ବର୍ଷା ହେଲେ ନାଟମଣ୍ଡପ ଛାତରୁ ପାଣି ଗଳୁଛି। ତୁରନ୍ତ ମରାମତି ନ ହେଲେ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି। ଶ୍ରୀଗୁଣ୍ଡିଚା ମନ୍ଦିର ପାଇଁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟି ଏହି ରିପୋର୍ଟ ଦେବାପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଛି। ବ୍ୟୟ ଅଟକଳ ପରେ ୧୫ ଦିନ ଭିତରେ ଟେଣ୍ଡର ଡାକି ଠିକା ସଂସ୍ଥା ଜରିଆରେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଥିବା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି। ଗତ ରଥଯାତ୍ରା ସମୟରୁ ନାଟମଣ୍ଡପ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଯେହେତୁ ମୁଣ୍ଡ ଉପରେ ରଥଯାତ୍ରା ଥିଲା, ଏହାର କାମଚଳା ମରାମତି କରାଯାଇଥିଲା। ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ପାଇଁ ସ୍ବତନ୍ତ୍ର ବୈଷୟିକ କମିଟି ଗଠନ କରାଯାଇ ନାଟମଣ୍ଡପ ଅନୁଧ୍ୟାନ କରାଯାଇଥିଲା। ଚେନ୍ନାଇ ଏସ୍ ଏନ୍ ୟୁନିଭର୍ସିଟିର କୁଳପତି ତଥା ଖଡ଼ଗପୁର ଆଇଆଇଟିର ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଏସ୍ କେ ଭଟ୍ଟଚାର୍ଯ୍ୟ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ଗତ ଅକ୍ଟୋବର ୨୯ ଓ ୩୦ ତାରିଖରେ ଏହି ବୈଷୟିକ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟମାନେ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏହି କମିଟି ନାଟମଣ୍ଡପ ସ୍ଥିତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି।
‘ସମ୍ବାଦ’ର ହସ୍ତଗତ ହୋଇଥିବା କମିଟିର ଏହି ରିପୋର୍ଟ ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ୪ଟି ପଥର ସ୍ତମ୍ଭ ରହିଛି। ଏହି ପଥର ସ୍ତମ୍ଭ ଉପରେ ଥିବା କ୍ୟାପିଟାଲଗୁଡ଼ିକ ପଥର ଓ ରଟ୍ ଆଇରନ୍ ବିମ୍ ଦ୍ବାରା ସଂଯୋଜିତ ହୋଇ ନାଟମଣ୍ଡପ ଛାତର ଭାରକୁ ବହନ କରୁଛି। ରଟ୍ ଆଇରନ୍ ବିମ୍ରେ ଜଙ୍କ୍ ଲାଗିବା ହେତୁ ପଥର ନିର୍ମିତ କଲମ କ୍ୟାପିଟାଲ୍ଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି। ଫାଟ ସୃଷ୍ଟି ହେବା ଦ୍ବାରା ନାଟମଣ୍ଡପ ଛାତ ପ୍ରତି ଘୋର ବିପଦ ରହିଛି। ପଥର ବିମ୍ ତଳେ ଥିବା ରଟ୍ ଆଇରନ୍ ବିମ୍ଗୁଡ଼ିକରେ ଫାଟ ସୃଷ୍ଟି ହୋଇ ବଙ୍କା ହୋଇଯାଇଛି ଓ ଏହା ପଥର ବିମ୍ଠାରୁ ଅଲଗା ହୋଇଯାଇଛି। ପଥର ସ୍ତମ୍ଭ କ୍ୟାପିଟାଲ ଓ ଲୁହା ବିମ୍ର ସଂଯୋଗ ସ୍ଥଳରେ ପଥର କ୍ୟାପିଟାଲଠାରେ ଫାଟ ସୃଷ୍ଟି ହୋଇ ଖଣ୍ଡ ଖଣ୍ଡ ହୋଇଯାଇଛି। ସେହିଭଳି, ଉତ୍ତରପାର୍ଶ୍ବରେ ଥିବା ପଥର ବିମ୍ ମଝିରୁ ଦୁଇଖଣ୍ଡ ହୋଇଯାଇଛି। ମଝି ଛାତର ତଳେ ଥିବା ରଟ୍ ଆଇରନ୍ ବିମ୍ ଓ ପଥର ସଂଯୋଗସ୍ଥଳରେ ଫାଟ ସୃଷ୍ଟି ହୋଇଛି। ତେଣୁ, ସମସ୍ତ ପୁରୁଣା ଲୁହା ବିମ୍କୁ ବଦଳାଇ ସେହି ସ୍ଥାନରେ କଳଙ୍କବିହୀନ ଲୁହା ବିମ୍ ସ୍ଥାପନ କରିବାକୁ କମିଟି ସୁପାରିସ କରିଛି। ସେହିଭଳି ପଥର ସ୍ତମ୍ଭ କ୍ୟାପିଟାଲରେ ବ୍ୟବହୃତ ସ୍ୟାଣ୍ଡ ଷ୍ଟୋନ୍କୁ ସମ୍ପୂର୍ଣ୍ଣ ବଦଳାଇ ଏହି ସ୍ଥାନରେ ଖିଚିଙ୍ଗଠାରେ ମିଳୁଥିବା ମୁଗୁନି ପଥର ବ୍ୟବହାର କରାଯିବ। ନାଟମଣ୍ଡପ ମଝି ଛାତ ଓ ଛାତ ତଳେ ଥିବା ଚଟାଣ ଏବଂ ଚାରିପାର୍ଶ୍ବରେ ଥିବା ଦୁର୍ବଳ ପଥରକୁ ବଦଳାଇ ଖାଣ୍ଡେଲାଇଟ୍ ପଥର ଦ୍ବାରା ମରାମତି କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ ଶୀର୍ଷରେ ବିଜୁଳି ପ୍ରତିରୋଧକ(ଲାଇଟିଂ ଆରେଷ୍ଟ୍) ବ୍ୟବସ୍ଥା କରିବାକୁ ବି କମିଟି ସୁପାରିସ କରିଛନ୍ତି। ନାଟମଣ୍ଡପ ଦୂରାବସ୍ଥା ଦୂର କରିବା ପାଇଁ ବୈଷୟିକ କମିଟି ସମସ୍ତ କାମ ତୁରନ୍ତ ସାରିବାକୁ ସୁପାରିସ କରିଛନ୍ତି।
କମିଟିର ଏହି ସୁପାରିସ ପରେ ଅନୁଭୂତି ସମ୍ପନ୍ନ, କାରିଗରୀ ଜ୍ଞାନକୌଶଳ ଥିବା ସଂସ୍ଥା ଚୟନ କରି କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଛି। କାର୍ଯ୍ୟର ନିର୍ଦ୍ଦିଷ୍ଟ ଦର ଉପଲବ୍ଧ ହେଉନଥିବାରୁ ସ୍ଥାନୀୟ ବଜାର ଦର ଅନୁସାରେ ଓ ବୈଷୟିକ କମିଟିର ସୁପାରିସକ୍ରମେ ବ୍ୟୟ ଅଟକଳ ପ୍ରସ୍ତୁତ ପରେ ଏହା ଅର୍ଥ ସବ୍କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଲାଭ କରିଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁ ବ୍ୟୟ ଅଟକଳ ହୋଇଥିଲା। ଗତ ପରିଚାଳନା କମିଟିରେ ତାକୁ ଅନୁମୋଦନ ମିଳିଛି। ୧୫ ଦିନ ଭିତରେ ଟେଣ୍ଡର କାମ ସାରି କାମ ଆରମ୍ଭ କରିବାକୁ ଯୋଜନା କରିଛୁ। କାମ ପାଇଁ ତିନିଟି ଭିନ୍ନ ଭିନ୍ନ ଟେଣ୍ଡର ହେବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।