ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପଦରେ ପୁରୀ ସହରର ଜଳଉତ୍ସ: ଶ୍ରୀଜଗନ୍ନାଥ ବଲ୍ଲଭ ଜଳାଶୟକୁ ସମାଧି

ପୁରୀ: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଭୂତଳ ଜଳର ସୁରକ୍ଷା ଚିନ୍ତା ଚାଲିଛି। ଭୂଳତ ଜଳ ରିଚାର୍ଜ ପାଇଁ ଅମୃତ ସରୋବର ଯୋଜନାଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ ପେଭର ବ୍ଲକ କରାଯାଉଛି। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଉଛି। ଗୋଟିଏ ପଟେ ସରକାର ଭୂତଳ ଜଳ ସୁରକ୍ଷା, ବର୍ଷା ଜଳ ଅମଳକୁ ଗୁରୁତ୍ବ ଦେଉଥିବା ବେଳେ ଅପରପକ୍ଷେ ବିକାଶ ଆଳରେ ଜଳଉତ୍ସ ସବୁକୁ ସମାଧି ଦେବାରେ ଲାଗିଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ପୂର୍ବରୁ ଏହା ପରିସରରେ ଥିବା ୨୩ଟି ଜଳାଶୟ(ପୋଖରୀ)ରୁ ବିକାଶ ଆଳରେ ୧୫ଟିକୁ ପୋତିଦିଆଯାଇଥିଲା। ବାକି ଯେଉଁ ୮ ଜଳାଶୟ ବଳିଥିଲା, ସେଥିରୁ ବି ୪ଟିକୁ ନୂଆ ରାସ୍ତା କାମ ପାଇଁ ପୋତି ଦିଆଗଲାଣି। ଯାହାକୁ ନେଇ ମଠ ଅନ୍ତେବାସୀଙ୍କ ସହ ଆଖପାଖ ବାସିନ୍ଦାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଯଦି ଏହି ଜଳାଶୟକୁ ପୋତି ଦିଆଯାଏ, ନୂଆ ରାସ୍ତାରେ ଅଣ୍ଟାଏ ଉଚ୍ଚରେ ପାଣି ଜମିବ ବୋଲି ମତ ଦେଇଛନ୍ତି।

ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଷୋଡ଼ଶ ଶତାଦ୍ଦୀର। ଶ୍ରୀମନ୍ଦିର ନୀତିକାନ୍ତି ସହ ଶ୍ରୀଜଗନ୍ନାଥ ବଲ୍ଲଭ ନୀତିକାନ୍ତି ଜଡ଼ିତ। ବର୍ଷକ ୧୨ ମାସ ଏଠାରେ ମହାପ୍ରଭୁଙ୍କ ନୀତିକାନ୍ତି ରହିଛି। ଏହା ପରିସରରେ ଥିବା ପୋଖରୀ ବି ନୀତିକାନ୍ତି ସହ ଜଡ଼ିତ। ସେ ବେଣ୍ଟ ଶିକାର ହେଉ କି ବଳଭଦ୍ରଙ୍କ ଜନ୍ମନୀତି ଅବା ଦୁଧମେଲାଣ ନୀତି, ସବୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଏହା ପରିସରରେ ପୋଖରୀ କୂଳରେ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସହ ଅନ୍ୟ ଦେବଦେବୀ ଏଠାକୁ ନୀତିକାନ୍ତି ପାଇଁ ବିମାନ, ପାଲିଙ୍କିରେ ଆସିଥାନ୍ତି। ରାଜରାଜୁଡ଼ାଙ୍କ କାଳରୁ ଏହି ମଠର ଖ୍ୟାତି ରହିଛି। ଏହା ରାୟ ରାମାନନ୍ଦଙ୍କ ସାଧନା ପୀଠ ଥିଲା। ମଠ ପରିସରରେ ୫୦ ଏକରରୁ ଅଧିକ, ଯେଉଁ ବିସ୍ତୃତ ଜାଗା ରହିଥିଲା, ସେଥିରେ ରାଜରାଜୁଡ଼ା କାଳରୁ ୨୩ଟି ପୋଖରୀ ରହିଥିଲା। ଏହି ପୋଖରୀର ଗଭୀରତା ଓ ଆକାର ବି ବଡ଼ ଥିଲା। ଯେଉଁ ଭକ୍ତମାନେ ମଠ ଅବା ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିଲେ, ସେମାନେ ଏଠାରେ ସ୍ନାନାଦି କାର୍ଯ୍ୟ କରୁଥିଲେ।

ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଲାଗି ଘର କରି ରହୁଥିବା ହରିହର ଭୋଇ କହିଛନ୍ତି, ବର୍ଷା ସମୟରେ ଆଖପାଖ ଅଞ୍ଚଳର ପାଣି ଆସି ମଠ ପରିସରରେ ଜମା ହୁଏ। ଏହି ବର୍ଷା ପାଣି ନିଷ୍କାସନ କରିବାରେ ମଠ ପରିସର ପୋଖରୀ ପ୍ରମୁଖ ଭୂମିକା ତୁଲାଇଥାଏ। ମଠ ପରିସରରେ ଥିବା ଯୋର ଦେଇ ଏହି ପାଣି ବିଭିନ୍ନ ପୋଖରୀ ମାଧ୍ୟମରେ ମିଟିଆଣି ବାଟ ଦେଇ ନିଷ୍କାସିତ ହୋଇଯାଇଥାଏ। କିନ୍ତୁ ଏହି ଜଳାଶୟ, ଯୋର ସବୁକୁ ପୋତି ଦିଆଯାଉଥିବାରୁ ମଠ ପରିସରକୁ ଯେଉଁ ପାଣି ଆସିବ, ତାହା ସେହିଭଳି ଜମା ହୋଇ ରହିବା ସହ ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି କରିବ। ଯେଉଁ ନୂଆ ରାସ୍ତା ହେଉଛି, ତାହା ଉପରେ ବି ପାଣି ଜମି ରହିବ। ରାସ୍ତା କାମକୁ ଆମେ ସ୍ବାଗତ କରୁଛୁ, କିନ୍ତୁ ଜଳାଶୟ ନ ପୋତି ଓ ସବୁଜିମା ନଷ୍ଟ ନ କରି ହେଉ ବୋଲି ଶ୍ରୀ ଭୋଇ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।