ଅପରାଧ ରାଜ୍ୟ

ବିନା ଟେଣ୍ଡରରେ ସିଏମ୍‌ସି ଅର୍ଥ ହରିଲୁଟ୍: ୬ ବର୍ଷରେ ୭ଶହ କୋଟି!

କଟକ : କଟକ ମହାନଗର ନିଗମ (ସିଏମ୍‌ସି)ରେ ଆଉଟସୋର୍ସିଂ ନାମରେ ବ୍ୟାପକ ହରିଲୁଟ୍ ଚାଲିଛି। ବିନା ଟେଣ୍ଡରରେ ଚାଲିଥିବା ଏହି କାରବାରରେ ଗଲା ୬ ବର୍ଷ ଭିତରେ ସିଏମ୍‌ସି ଲୋକ (କର୍ମଚାରୀ) ଯୋଗାଉଥିବା ସଂସ୍ଥାକୁ ୭୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଲାଣି। ୨୦୧୨ରେ ଶେଷଥର ଟେଣ୍ଡର ହୋଇଥିଲେ ବି ୨୦୧୬ରୁ ଆଜି ପର୍ଯ୍ୟନ୍ତ ବିନ‌ା ଟେଣ୍ଡର ଏସବୁ ଟଙ୍କା ଖର୍ଚ୍ଚ ହୋଇଛି। ଗଲା ୬ ବର୍ଷ ଭିତରେ ଏଥିପାଇଁ ତିନି ତିନି ଥର ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ତାହା କିନ୍ତୁ ଚୂଡ଼ାନ୍ତ ହୋଇପାରୁନାହିଁ। ତିନି ଥର ଟେଣ୍ଡର ଆହ୍ବାନ କରି‌ ଟେଣ୍ଡର ଖୋଲାଯାଇ ନାହିଁ। ବିଭିନ୍ନ ଆଳରେ ଏହାକୁ ବାତିଲ କରାଯାଇଛି। ସିଏମ୍‌ସିର ନୂଆ କାଉନ୍‌ସିଲ ଗଠନ ହେବାପରେ ଏଷ୍ଟାବ୍ଲିସମେଣ୍ଟ୍ କମିଟି ଏସବୁର ହିସାବ ମାଗିଛି। ଏହାପରେ ଅଧିକାରୀସ୍ତରରେ ଏବେ ଛନକା ପଶିଥିବା ଜଣାପଡ଼ିଛି। ଅପରପକ୍ଷେ, ସିଏମସିରେ ଆଉଟସୋର୍ସିଂ କାମ କରୁଥିବା ଦୁଇଟି ସଂସ୍ଥାର ପାଖାପାଖି ୭୦ ଜଣ କର୍ମଚାରୀ ନେତା, ଯନ୍ତ୍ରୀ ଓ ଅଧିକାରୀଙ୍କ ଘରେ କାମ କରୁଛନ୍ତି। ସିଏମସିରୁ ଟଙ୍କା ନେଇ ଘରୋଇ କାମରେ ନିୟୋଜିତ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟ କରିଛି।

ତଥ୍ୟ ଅନୁଯାୟୀ ସିଏମ୍‌ସିରେ ଲୋକ ଯୋଗାଉଥିବା ଆଉଟସୋର୍ସିଂ ସଂସ୍ଥ‌ା ମଧ୍ୟରୁ ସ୍ବର୍ଣ୍ଣଦେବୀ ନାମକ ସଂସ୍ଥା ସିଏମ୍‌ସିରେ ଚାକିରି କରୁଥିବା ଜଣେ ଓ୍ବାର୍କ ସରକାର ପ୍ରଶାନ୍ତ ବେହେରାଙ୍କ ପତ୍ନୀଙ୍କ ନାମରେ ରହିଛି। ଏହି ସଂସ୍ଥ‌ା ୨୬୦ ଲୋକ ‌ଯୋଗାଇଛି। ସ୍ବର୍ଣ୍ଣଦେବୀ ସଂସ୍ଥ‌ା ସିଏମ୍‌ସିରୁ ମାସକୁ ହାରାହାରି ୪ କୋଟି ଟଙ୍କାର ବିଲ୍ ନେଉଛି। କର୍ମଚାରୀଙ୍କ ପତ୍ନୀଙ୍କ ନାମରେ ଥିବା ଆଉଟସୋର୍ସିଂ ସଂସ୍ଥା ସଂପର୍କିତ ଖବର ସିଏମ୍‌ସି କମିସନର ଓ ମେୟର ଜାଣିଛନ୍ତି ନା ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସିଏମସି ପକ୍ଷରୁ ଲୋକ( କର୍ମଚାରୀ) ଯୋଗାଇବାକୁ ଏଷ୍ଟାବ୍ଲିସମେଣ୍ଟ୍ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ୨୦୧୨ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଷ୍ଟାବ୍ଲିସମେଣ୍ଟରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର, ସିକ୍ୟୁରିଟି, ପିଅନ, କୁଲି ଯୋଗାଇବାକୁ କୁହାଯାଉଥିଲା। ସ୍ବାସ୍ଥ୍ୟ ବିଭାଗରେ କୁଲି, ମାଳି ଇତ୍ୟାଦି ଯୋଗାଇବାକୁ ଏହି ଟେଣ୍ଡର ହୋଇଥିଲା। ନିରାକାର ସିକ୍ୟୁରିଟି ଓ ସ୍ବର୍ଣ୍ଣଦେବୀକୁ ଏହି ଟେଣ୍ଡର ମିଳିଥିଲା। ନିରାକାର ୩୬୨ କର୍ମଚାରୀ ଯୋଗାଇଥିବା ବେଳେ ସ୍ବର୍ଣ୍ଣ ଦେବୀ ଏବେ ୨୬୦ କର୍ମଚାରୀ ‌ଯୋଗାଇଛନ୍ତି। ଉଭୟ ସଂସ୍ଥ‌ା ମାସକୁ ୧୦ କୋଟି ଟଙ୍କା, ଅର୍ଥାତ୍‌ ବର୍ଷକୁ ୧୨୦ କୋଟି ଟଙ୍କା ନେଉଛନ୍ତି।

ସେହି ହିସାବ‌ରେ ସିଏମସି ଗତ ୬ ବର୍ଷ ହେବ ବିନା ଟେଣ୍ଡର ୭୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଛି। ୨୦୧୨ ମସିହାରେ ହୋଇଥିବା ଟେଣ୍ଡରର ଅବଧି ୨୦୧୬ ମସିହା ଯାଏ ରହିଥିଲା। ୨୦୧୬ ମସିହାରେ ଆଉଥରେ ଟେଣ୍ଡର ହୋଇଥିଲେ ବି ୪ ମାସ ପରେ ଏହି ଟେଣ୍ଡରକୁ ବାତିଲ କରି ଦିଆଯାଇଥିଲା। ପୁଣି ୨୦୧୮ମସିହାରେ ଡକାଯାଇଥିବା ଟେଣ୍ଡରକୁ ୯ ମାସ ପରେ ବାତିଲ କରି ଦିଆଗଲା। ୨୦୨୧ ମସିହାରେ ମଧ୍ୟ ଏଥିପାଇଁ ଆଉଥରେ ଟେଣ୍ଡର ହୋଇଥିଲା। ତାକୁ ମଧ୍ୟ ବାତିଲ କରାଗଲା। ଏଭଳି ବାରମ୍ବାର ଟେଣ୍ଡର ବାତିଲ ହେବା, ୭ ଶହ କୋଟି ଟଙ୍କାରୁ ଅଧିକ କାରବାର ବିନା ଟେଣ୍ଡରରେ ହେବା ଏବଂ କର୍ମଚାରୀ ନେତା, ଅଧିକାରୀଙ୍କ ଘରେ ନିୟୋଜିତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏବେ ଦାବି ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।