ରାଜ୍ୟ

ବିନାଶର କାରଣ ହେବ ପୋଲାଭରମ୍‌: ପ୍ରଭାବିତ ହେବେ ୫୦ ଲକ୍ଷ ଲୋକ

ମାଲକାନଗିରି/କାଲିମେଳା: ପୋଲାଭରମ ବଡ଼ ବିନାଶର କାରଣ ସାଜିବ। ୫୦ ଲକ୍ଷ ଲୋକ ସିଧାସଳଖ ପ୍ରଭାବିତ ହେବା ନିଶ୍ଚିତ। ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ନଷ୍ଟ ହୋଇଯିବ। ପ୍ରକଳ୍ପକୁ ନେଇ ଏମିତି ଆକଳନ କରିଛି ‘ଆମ ଜନତା ଅଧିକାର’ ଫୋରମ୍‌। କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ଭୟାବହ ପରିସ୍ଥିତି ସଂପର୍କରେ ସୂଚନା ଦେଇଛି। ଆଜି ଫୋରମ୍‌ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ‘ମହାନଦୀ ବଞ୍ଚାଅ’ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ‘ଜନତା ଅଧିକାରର ଆବାହକ ମନୋଜ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ପୂର୍ବତନ ବିଧାୟକ ନିମାଇଁ ସରକାର, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ଆବାହକ ରୂପକ ତୁରୁକ, ସମାଜସେବୀ ଶ୍ରୀନିବାସ ରାଓ ପ୍ରମୁଖ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ମୋଟୁ ସମେତ ସିଲେରୁ ଓ ସାବେରୀ ନଦୀ ତଟବର୍ତ୍ତୀ ଗାଁଗୁଡିକ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ। ଫେରିବା ପରେ ମାଲକାନଗିରି ସର୍କିଟ୍‌ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପୋଲାଭରମ ବହୁମୁଖୀ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ସହ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇ ଜାତୀୟ ବିପତ୍ତିକୁ ଆମନ୍ତ୍ରଣ କରିଛନ୍ତି। ପ୍ରକଳ୍ପ ‌ଯୋଗୁଁ ଓଡ଼ିଶାର ମୋଟୁ ତହସିଲ ଅଞ୍ଚଳରେ ବଡ଼ ଭୌଗଳିକ ପରିବର୍ତ୍ତନ ହେବ। ହଜାର ହଜାର ଆଦିବାସୀ ବିସ୍ଥାପନ ଯୋଗୁଁ ସର୍ବହରା ହୋଇଯିବେ। ଜମି, ଜଙ୍ଗଲ ଭଳି ପ୍ରାକୃତିକ ସଂପଦ ଜଳସମାଧି ନେବ। ପୋଲାଭରମ ପ୍ରକଳ୍ପର ଡିଜାଇନ୍‌ ଠିକ୍‌ ନଥିବା ପୂର୍ବରୁ ଦେଶର ବହୁ ଇଞ୍ଜିନିୟର ଏବଂ ପରିବେଶବିତ୍‌ ସତର୍କ କରିଥିଲେ। ତଥାପି ଲୋକଙ୍କ ଜୀବନ କିମ୍ବା ପ୍ରାକୃତିକ ସଂପଦର ସୁରକ୍ଷାକୁ ଧ୍ୟାନ ଦିଆଗଲାନାହିଁ। ତେଣୁ ଆଗକୁ ବଡ଼ ବନ୍ୟା ସହ ବାରମ୍ବାର ବନ୍ଧ ଭୁଶୁଡ଼ି ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଫୋରମ୍‌ ଆଶଙ୍କା କରିଛି। ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ୬୩୬୯୧ ହେକ୍ଟର ଜମି ବୁଡ଼ି ୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କ୍ଷତିଗ୍ରସ୍ତ ହେବେ। ମୋଟୁ ଅଞ୍ଚଳର ୬୯୫୦ ହେକ୍ଟର ଜମି ବୁଡ଼ିବା କାରଣରୁ ୪୮୨୭ ଆଦିବାସୀ ବିସ୍ଥାପିତ ହେବେ। ସୁପ୍ରିମକୋର୍ଟ ରାଜ୍ୟମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାହାକୁ ଅଣଦେଖା କରିବାର ପରିଣାମ ଆଗକୁ ସାଧାରଣ ଲୋକେ ଭୋଗିବେ। ପ୍ରକଳ୍ପ ବନ୍ଦ କରି ବ୍ୟାରେଜ୍‌ଭିତ୍ତିକ ପ୍ରକଳ୍ପ ପରାମର୍ଶକୁ ମଧ୍ୟ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ମୋଟୁ ଅଞ୍ଚଳରେ ସ୍ବାଧୀନ ସଂସ୍ଥା ଦ୍ବାରା ବାଧ୍ୟତାମୂଳକ ଜନଶୁଣାଣି କରୁନାହାନ୍ତି। ଫୋରମ୍‌ ୫ଟି ପ୍ରସ୍ତାବ ଉପସ୍ଥାପନ କରି ତୁରନ୍ତ ସରକାର ପଦକ୍ଷେପ ନେବାକୁ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ମାଲା ମାଢି, କାଶୀନାଥ ସର୍ଦ୍ଦାର, ନରସିଂହ ନାୟକ, କର୍ଣ୍ଣ ଧୁରିଆ, ନକୁଳ ରାଉତ, ସୁଶାନ୍ତ ନୀଳକମଳ, ରାଧାମାଧବ ଖରା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।