ରାଜ୍ୟ

ବିଧାୟକ କ୍ବାର୍ଟର୍ସ ପ୍ରକଳ୍ପ ପାଇଁ ଗଛ କଟା ମାମଲା: ବିଶେଷଜ୍ଞ କମିଟି ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଆବେଦନକାରୀ

କଟକ: ୟୁନିଟ୍‌-୪ରେ ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ୩୫୦ ପୁରୁଣା ଗଛ ହଟାଯିବା, ଆଇନ ଅନୁଯାୟୀ କରାଯାଇନାହିଁ। ଏହି ଗଛ ସବୁକୁ ନ କାଟି ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥା’ନ୍ତା। କିନ୍ତୁ ସରକାରୀ ଆନ୍ତରିକତା ଅଭାବରୁ ଏହା କରାଯାଇନାହିଁ। ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟାକୁ ବିରୋଧ କରି ଦାୟର ମାମଲାରେ ଆବେଦନକାରୀ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଏପରି ଉଲ୍ଲେଖ କରାଯାଉଛି। ୨୦୨୩ ଫେବ୍ରୁଆରି ୨୧ରେ ସରକାର ଦାଖଲ କରିଥିବା ସତ୍ୟପାଠ ଉପରେ ଆବେଦନକାରୀ ଦାଖଲ କରିଥିବା ଜବାବରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରକଳ୍ପ ପାଇଁ କଟା ଯାଇଥିବା ପୁରୁଣା ୩୫୦ଟି ଗଛକୁ ବିକ୍ରି କରି କେତେ ଟଙ୍କା ମିଳିଥିଲା, ସେନେଇ କିଛି ସ୍ପଷ୍ଟ କରାଯାଉନାହିଁ। କଟା ଯାଇଥିବା ଗଛର ମୂଲ୍ୟ କେତେ ଓ କିଏ ନିର୍ଦ୍ଧାରଣ କରିଥିଲା, ସେ ନେଇ ଜବାବ ତଲବ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ପ୍ରକଳ୍ପ ଆରମ୍ଭ ପୂର୍ବରୁ ଓ ଗଛକଟା ପରର ସ୍ଥିତି ସଂପର୍କିତ ସାଟେଲାଇଟ ଫଟୋ ସରକାର ପ୍ରଦାନ କରି ନାହାନ୍ତି। ପ୍ରକଳ୍ପ ପାଇଁ କଟାଯାଉଥିବା ଗଛର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଗଠନ କରାଯାଇଥିବା କମିଟିରେ ରହିଥିବା ୧୦ଜଣଙ୍କ ମଧ୍ୟରୁ ୯ଜଣ ସଦସ୍ୟ ସରକାରୀ କର୍ମଚାରୀ ଓ ମାମଲାରେ ପକ୍ଷ। ଦଶମ ସଦସ୍ୟ ଶିଶୁଙ୍କ ଅଧିକାର ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ଏକ ବେସରକାରୀ ଅନୁଷ୍ଠାନର ପ୍ରତିନିଧି। ଏହି ଦଶମ ସଦସ୍ୟଙ୍କ ଗଛର ମୂଲ୍ୟ ନିର୍ଦ୍ଧାରଣ ପ୍ରସଂଗରେ ବିଶେଷ ଜ୍ଞାନ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ଏହି ବିଶେଷଜ୍ଞ କମିଟି ଗଠନ କରାଯାଇଛି ବୋଲି ଆବେଦନକାରୀ ସତ୍ୟପାଠରେ ଦର୍ଶାଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ଫେବ୍ରୁଆରି ୨୧ରେ ଏମଏଲଏ କ୍ବାର୍ଟର ପ୍ରକଳ୍ପ ପାଇଁ କଟା ଯାଉଥିବା ମୂଲ୍ୟବାନ ଓ ପୁରୁଣା ଗଛର ମୂଲ୍ୟ ନିର୍ଦ୍ଧାରଣ ପ୍ରସଂଗରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟଙ୍କ ୨୦୨୨, ସେପ୍ଟେମ୍ବର ୭ର ନିର୍ଦ୍ଦେଶ ପରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ)ଙ୍କ ଚିଠି ଅନୁସାରେ ଗଛର ମୂଲ୍ୟ ନିର୍ଦ୍ଧାରଣ ପାଇଁ ସିଟି ଫରେଷ୍ଟ ଡିଭିଜନ ଡିଏଫଓଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି ବିଶେଷଜ୍ଞ କମିଟି ଦ୍ବାରା ଗଛ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଆରସିସିଏଫଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା।
ବିଶେଷଜ୍ଞ କମିଟିର ଏହି ରିପୋର୍ଟକୁ ୨୦୨୩, ଫେବ୍ରୁଆରି ୩ରେ ଅନୁମୋଦନ କରାଯାଇଥିଲା। ରିପୋର୍ଟରେ ରହିଥିବା ତଥ୍ୟ ଅନୁସାରେ ବିଧାୟକ କଲୋନି ପାଇଁ ୬୭୯ଟି ଗଛ ଉଚ୍ଛେଦ/କଟାଯିବା ଲାଗି ଚିହ୍ନଟ କରାଯାଇଥିଲା।

ଏଥି ମଧ୍ୟରୁ ୩୫୦ଟି ଗଛ କଟା ସରିଥିବା ବେଳେ ଅବଶିଷ୍ଟ ୩୨୯ଟି ଗଛ କଟାଯିବ। ନିର୍ମାଣାଧୀନ ବିଧାୟକ କଲୋନି ଜମି ଇକୋ-ଭଲ୍ୟୁ କ୍ଲାସ-୩ ବର୍ଗର, ଯାହାର ବର୍ତ୍ତମାନ ହେକ୍ଟର ପିଛା ଦର ୬,୨୬,୦୦୦/- ଟଙ୍କା ବୋଲି କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ବରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏହି ନିର୍ମାଣ ପାଇଁ ୬.୫୪ ହେକ୍ଟର ଜମି ରହିଛି। ଏହି ଜମି ଓ ଏହା ଉପରେ ଥିବା ଗଛର ମୂଲ୍ୟ ୪୦ ଲକ୍ଷ ୯୪ ହଜାର ୯୪ ଟଙ୍କା ହେବ। ଅନ୍ୟ ହିସାବକୁ ନେଇ ଗଛର ମୂଲ୍ୟାୟନ ୬୧ ଲକ୍ଷ ୯୬ ହଜାର ୧୧୭ ଟଙ୍କା କରାଯାଇଛି। ବିଶେଷଜ୍ଞ କମିଟି ବୈଠକରେ କରାଯାଇଥିବା ଗଛର ଏହି ମୂଲ୍ୟାୟନକୁ ପରବର୍ତ୍ତୀ ସମୟରେ ଅନୁମୋଦନ କରାଯାଇଥିଲା। ପରେ ୨୦୨୩, ଫେବ୍ରୁଆରି ୯ରେ ଓବିସିସି ପକ୍ଷରୁ ଅବଶିଷ୍ଟ ୩୩ଲକ୍ଷ ୭୪ ହଜାର ୨୧୦ ଟଙ୍କା (ଡିଫରେନ୍ସିଆଲ ଆମାଉଣ୍ଟ) ଜମା କରାଯାଇଛି। ପର୍ଯ୍ୟାୟକ୍ରମେ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଗଛ କାଟିବା ପାଇଁ ଅନୁମତି ଦିଆଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।