ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସୌଧ ଛାତରୁ ଦିଶୁଛି ଘର, ଭୋକରେ ବରମୁଣ୍ଡାର କେଦାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ କରାଯାଇ ପାରିଲାନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ସବୁ ରାଜ୍ୟବାସୀଙ୍କ ପେଟକୁ ଅତିକମ୍‌ରେ ମୁଠେ ଖାଦ୍ୟ ଯୋଗାଇ ଦିଆ ଯାଉଥିବା ଦାବି ହେଉଛି। ମାତ୍ର ଖୋଦ ରାଜଧାନୀର ବରମୁଣ୍ଡା ଗାଁରେ ଏକ ଭଙ୍ଗାଘରେ ଅର୍ଧାହାରରେ ଜୀବନ କାଟୁଥିବା କେଦାର ସେନାପତି (୬୦)ଙ୍କୁ ଦେଖିଲେ, ଏହି ଦାବିର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କେଦାରଙ୍କ ଆୟର କୌଣସି ବାଟ ନାହିଁ। ବୟସ ସହିତ ମାନସିକ ଓ ଶାରୀରିକ ଅବସ୍ଥା ଏମିତି ଯେ କାମ କରିବା ପାଇଁ ମଧ୍ୟ ସେ ଅକ୍ଷମ। ଭଙ୍ଗା ଘରଟିରେ ଚୁଲି, କିଛି ପୁରୁଣା ବାସନ ଓ କିଛି ଲୁଗାପଟା ଛଡ଼ା ଆଉ କିଛି ନାହିଁ। ଅବଶ୍ୟ ଅଛି କମ୍ବଳଟିଏ, ଯାହାକୁ ଏକ ହାଡ଼ଭଙ୍ଗା ଶୀତ ସମୟରେ ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଦାନ କରିଥିଲେ। ସବୁ ଦୃଷ୍ଟିରୁ ଦେଖିଲେ ସରକାରଙ୍କ ଖାଦ୍ୟ ସୁରକ୍ଷା ଭଳି ଯୋଜନା ପାଇଁ ସେ ଯେ ଯୋଗ୍ୟ, ସେଥିରେ ତିଳେ ସନ୍ଦେହ ନାହିଁ। ତାଙ୍କ ପଡ଼ୋଶୀଙ୍କ ଠାରୁ ଆରମ୍ଭ କରି ୱାର୍ଡ କର୍ପୋରେଟରଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହା ସ୍ବୀକାର ମଧ୍ୟ କରନ୍ତି। କିନ୍ତୁ ରାସନ କାର୍ଡ ତାଙ୍କ ପାଖରେ ନଥିବାରୁ କେଦାର ମାଗଣା ଚାଉଳରୁ ବଞ୍ଚିତ।

ପିଡିଏସ୍‌ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରନ୍ତି। ଏଥିଯୋଗୁଁ କେତେବେଳେ ସେ ଭାଇଙ୍କ ହାତଟେକାକୁ ଭରସା କରନ୍ତି ତ ଆଉ କେତେବେଳେ ସେଇ ଦୁର୍ବଳ ଦେହରେ କେଉଁଠି ମୂଲଲାଗି ଯେଉଁ ଦି’ ପଇସା ମିଳେ, ସେଥିରୁ ଚାଉଳ କିଣି ଆଣି ଚୁଲିରେ ଫୁଟେଇ ଦିଅନ୍ତି। ଡାଲି ତରକାରି ସ୍ବାଦ ତାଙ୍କର ମନେ ନାହିଁ। ବର୍ତ୍ତମାନ ଦର ବଢୁଥିବାରୁ ଚାଉଳ କିଣିବା ପାଇଁ ବି ଟଙ୍କା ନିଅଣ୍ଟ ପଡ଼ୁଛି। ତେଣୁ ଅନେକ ସମୟରେ ସେ ଗୋଟିଏ ଓଳି ଖାଇଲେ, ଗୋଟିଏ ଓଳି ଉପାସ ଶୁଅନ୍ତି। କେଦାର କହନ୍ତି, ପୂର୍ବରୁ ତାଙ୍କର ରାସନ କାର୍ଡ ଥିଲା। କିନ୍ତୁ ଗୋଟିଏ ବାତ୍ୟା ପରେ ଆଉ ମିଳୁନାହିଁ। ବର୍ତ୍ତମାନ ଆଧାର କାର୍ଡ ନଥିବାରୁ ନୂଆ ରାସନ କାର୍ଡ ମିଳୁନି। ଏଣେ ବାର୍ଦ୍ଧକ୍ୟଜନିତ କାରଣରୁ ଆଙ୍ଗୁଠି ଚିହ୍ନ ମେସିନ୍‌ ନେଉ ନଥିବାରୁ ଆଧାର କାର୍ଡ ବି ତିଆରି ହୋଇ ପାରୁନାହିଁ। ଏଥିଯୋଗୁଁ ସେ ସରକାରଙ୍କର ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ। ଅସହାୟ, ବୃଦ୍ଧ ଓ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଅଭିଯାନରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କେଦାରଙ୍କ ଭଳି ଅନେକ ଅସହାୟଙ୍କ ପ୍ରତି ଦୃଷ୍ଟି ଦେଉନାହିଁ। ରାଜଧାନୀରେ, ବିଧାନସଭା କୋଠା ଉପରେ ଠିଆହେଲେ ସ୍ପଷ୍ଟ ଦିଶିବା ଭଳି ଦୂରତାରେ ଥିବା ବରମୁଣ୍ଡାର କେଦାରଙ୍କ ସ୍ଥିତି ଯଦି ଏମିତି, ଉପାନ୍ତ ଜିଲ୍ଲାର କୋଉ ଅଗମ୍ୟ ଗାଁର ଅବସ୍ଥା କ’ଣ ହୋଇଥିବ, ଅନୁମାନ କରା ଯାଇପାରେ!

ଅନ୍ୟପକ୍ଷରେ ରାଜ୍ୟରେ ୭ ମାସରୁ ଊର୍ଧ୍ବ ସମୟ ହେଲା ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ କାର୍ଡ ପ୍ରସ୍ତୁତ ବନ୍ଦ କରି ଦିଆଯାଇଥିବା ଖୋର୍ଧା ସିଏସ୍‌ଓ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ କେବଳ ବିଏମସିରେ ଏଭଳି ୬ ହଜାର ଲୋକ ଅଛନ୍ତି, ଯେଉଁମାନେ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନି, କାର୍ଡ ଦିଆଯିବା ତ ଦୂରର କଥା। ଯଦି କେବଳ ବିଏମ୍‌ସିରେ ଏ ସଂଖ୍ୟା ଏତିକି, ତେବେ ସମଗ୍ର ରାଜ୍ୟରେ ଏମିତି କେତେ ଲୋକ ଥିବେ, ଅନୁମାନ କରାଯାଇ ପାରେ। ତେବେ ଖୋର୍ଧା ସିଏସ୍‌ଓଙ୍କ ଅନୁସାରେ, କେଦାରଙ୍କ ଭଳି ଯେଉଁ ଅସହାୟ ଲୋକଙ୍କୁ ତୁରନ୍ତ ଏହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଦରକାର ବୋଲି ଜଣାପଡ଼ିବ, ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।