ଭୁବନେଶ୍ବର : ରାଜ୍ୟରେ ସର୍ବାଧିକ ୯୮ ଲକ୍ଷ ୫୫ ହଜାର ୭୭୦ ମେଟ୍ରିକ ଟନ ପରିବା ଉତ୍ପାଦନ କରାଯାଏ। ସେଥିମଧ୍ୟରୁ ସମଗ୍ର ଦେଶରେ ରାଜ୍ୟ କନ୍ଦମୂଳ ଉତ୍ପାଦନରେ ପ୍ରଥମ, ପାଳଛତୁରେ ତୃତୀୟ, ବାଇଗଣ, ବନ୍ଧାକୋବିରେ ଦ୍ବିତୀୟ, ଫୁଲକୋବିରେ ଷଷ୍ଠ, ଭେଣ୍ଡି, ଟମାଟୋରେ ପଞ୍ଚମ ଏବଂ ଲାଉରେ ଅଷ୍ଟମ ସ୍ଥାନରେ ରହିଥିବା ନେଇ ବିଧାନସଭାର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।
କିନ୍ତୁ ବାସ୍ତବତା ହେଲା କେବଳ ଖରା ଦିନରେ ନୁହେଁ ଡିସେମ୍ବରରେ ମଧ୍ୟ ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ବଜାର ଅଧାରୁ ଅଧିକ ବାହାରିଆ ପରିବାର କବ୍ଜାରେ ରହିଛି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ପରିବା ନେଇ ମାର୍କେଟ ଫି’ ନଥିବାରୁ ବିଧିବଦ୍ଧ ଭାବରେ କେତେ ପରିବା ରାଜ୍ୟକୁ ଆସୁଛି ସେ ସଂକ୍ରାନ୍ତରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। କିନ୍ତୁ ଏକଥା ଅସତ୍ୟ ନୁହେଁ ଯେ ରାଜ୍ୟ ବାହାର ପରିବା କାରଣରୁ ଉଭୟ ଖାଉଟି, ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।

ରାଜଧାନୀ ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁଙ୍କ ସୂଚନା ଅନୁସାରେ, ଦେଶୀ ଟମାଟୋ ମଧ୍ୟ ସ୍ଥାନୀୟ ବଜାରରେ ଉପଲବ୍ଧ ନାହିଁ; ରାୟପୁର, ନାସିକରୁ ଆସୁଛି। ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ରାଜସ୍ଥାନ, ନାଗପୁରରୁ ଗାଜର, ରାୟପୁରରୁ ସିମିଳା ଲଙ୍କା, କୋଲକାତା, ରାୟପୁରରୁ ବାଇଗଣ, ରାଞ୍ଚି ଏବଂ ବାଙ୍ଗାଲୋରରୁ ବିନ୍ସ, ଯୋଧପୁରରୁ ମଟର, ମଧ୍ୟପ୍ରଦେଶରୁ ବନ୍ଧାକୋବି, କୋଲକାତାରୁ ବାଇଗଣ ସମେତ ବିଭିନ୍ନ ବଜାରରୁ ବିଭିନ୍ନ ପ୍ରକାର ପରିବାର ଆସୁଛି। ସ୍ଥାନୀୟ ପରିବା କହିଲେ କେବଳ ବରଗଡ଼, କଟକ, କୋରାପୁଟରୁ ଫୁଲକୋବି ଆସି ପହଞ୍ଚୁଛି। ଜାନୁଆରି ପରେ ସ୍ଥାନୀୟ ଉତ୍ପାଦନ ରାଜଧାନୀ ବଜାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ବିଶେଷଜ୍ଞଙ୍କ ଅନୁସାରେ, ପରିବା ବଜାରର ଏହି ସ୍ଥିତି ଆଜି ନୁହେଁ। ପ୍ରତିବର୍ଷ ଏହିଭଳି ଅବସ୍ଥା ହୁଏ। ପ୍ରତିବର୍ଷ ବିଧାନସଭାରେ ପରିବା ଚାଷୀଙ୍କ ଦୁର୍ଦ୍ଦଶା ଏବଂ ପରିବା ଦର ନେଇ ଆଲୋଚନା ହୁଏ କିନ୍ତୁ ଏହାକୁ ନେଇ ସରକାର ଆଜି ପର୍ଯ୍ୟନ୍ତ ଗମ୍ଭୀର ନାହାନ୍ତି। ଉଦାହରଣ ସ୍ବରୂପ ୧୦ ବର୍ଷ ମଧ୍ୟରେ ଚାଉଳ ଉତ୍ପାଦନ ୨୨ ପ୍ରତିଶତ, ଫଳ ଉତ୍ପାଦନ ୧୪.୫୧ ପ୍ରତିଶତ, ମସଲା ୯ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ପରିବା ମାତ୍ର ୪.୧୪ ପ୍ରତିଶତ ବଢିଛି। ଯେତିକି ପରିବା ଉତ୍ପାଦନ ହେଉଛି ତା’ର ଲାଭ ମଧ୍ୟ ସ୍ଥାନୀୟ ଗ୍ରାହକ କି ଚାଷୀ କାହାକୁ ମିଳୁନାହିଁ। ଚାଷୀ କମ ମୂଲ୍ୟରେ ବିକୁଛି, ଗ୍ରାହକ ଅଧିକ ମୂଲ୍ୟରେ କିଣୁଛନ୍ତି। ଅପରପକ୍ଷରେ ରାଜ୍ୟରେ ଥିବା ୧୩୧ଟି ଶୀତଳଭଣ୍ଡାର ମଧ୍ୟରୁ ୮୨ଟି ଅନୁପଯୋଗୀ ହୋଇ ପଡ଼ିଛି। ଶୀତଳଭଣ୍ଡାର ମଧ୍ୟ ପରିବା ଉତ୍ପାଦନ ବୃଦ୍ଧି ପାଇଁ ବିଶେଷ ସହାୟକ ନୁହେଁ। ଆଳୁ, ରସୁଣ, ସେଓ, ବନ୍ଧାକୋବି, ବିଟ୍, ଗାଜର, ମୂଳା ବ୍ୟତୀତ କୌଣସି ପରିବା ଅର୍ଥାତ ବିନ୍ସ, ବାଇଗଣ, କଲରା, ଭେଣ୍ଡି, ଲାଉ, ଟମାଟୋ ଦୀର୍ଘ ଦିନ ଧରି ଶୀତଳ ଭଣ୍ଡାରରେ ରଖି ହେବନାହିଁ। କିଛି ବର୍ଷ ପୂର୍ବରୁ ୬ରୁ୭ ଦିନ ପରିବା ରଖିବା ପାଇଁ ଜିରୋ ଏନର୍ଜି କୁଲ ଚାମ୍ବର ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା। ପଶ୍ଚିମ ଓଡ଼ିଶାର ଚାଷୀ ଉଚ୍ଚ ତାପମାତ୍ରା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ଚାଷୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି। କୋରାପୁଟ ଅଦା, କନ୍ଧମାଳର ହଳଦୀ ମାର୍କେଟିଂ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।