ରାଜ୍ୟ

ବିଦ୍ୟୁତ ବିଭ୍ରାଟର ପ୍ରତିବାଦ: ଗ୍ରିଡ୍‌କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର : ବାରମ୍ବାର ବିଦ୍ୟୁତ୍‌ କାଟ ଓ ଅହେତୁକ ବିଦ୍ୟୁତ୍‌ ଦେୟ ବୃଦ୍ଧି ପ୍ରତିବାଦରେ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଗ୍ରିଡ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ କାର୍ଯ୍ୟାଳୟକୁ ଅଣ୍ଡା, ଟମାଟୋ ମାଡ଼ କରାଯାଇଛି। ଏହାସହ କାର୍ଯ୍ୟାଳୟ ଭିତରକୁ ଜୋରଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ ବେଳେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୩୦ରୁ ଅଧିକ କର୍ମକର୍ତ୍ତାଙ୍କୁ ପୁଲିସ ଅଟକ ରଖିଛି। ଏହାପରେ ଏକ ପ୍ରତିନିଧିମଣ୍ଡଳୀ ଗ୍ରିଡକୋ ଅଧ୍ୟକ୍ଷଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଏହି ସମୟରେ ବକେୟା ଥିବା ବିଦ୍ୟୁତ୍‌ ବିଲ୍ ସୁଧ ସହ ଦିଅନ୍ତୁ ନାହିଁ। ୨୦୨୪ରେ କଂଗ୍ରେସ ସରକାର ଆସିଲେ ଗ୍ରାହକଙ୍କ କଥା ଆଗ ବୁଝାଯିବ। ଏନେଇ କଂଗ୍ରେସ ଏକ ହେଲ୍‌ପ ଲାଇନ୍‌ ଖୋଲିବ ଓ ଲୋକଙ୍କ ପାଖରେ ଛିଡ଼ାହେବ ବୋଲି କହିଛନ୍ତି।

କାର୍ଯ୍ୟାଳୟରେ ପଶିବାକୁ ଉଦ୍ୟମ, ପୁଲିସ ସହିତ ଧସ୍ତାଧସ୍ତି
ଅଘୋଷିତ ବିଦ୍ୟୁତ୍‌ କାଟ ଓ ଅହେତୁକ ଦେୟ ବୃଦ୍ଧି ଅସନ୍ତୋଷ ତେଜୁଛି
ବକେୟା ବିଦ୍ୟୁତ୍ ବିଲ୍ ନଦେବାକୁ ପିସିସି ସଭାପତିଙ୍କ ଆହ୍ୱାନ

କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ ସରକାର ବିଗତ ୨୩ ବର୍ଷ ଭିତରେ ବିଦ୍ୟୁତ ଭିତ୍ତିଭୂମି ପାଇଁ ଯେଉଁ ସବୁ ଖର୍ଚ୍ଚ କରିଛନ୍ତି ତା’ର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ବିଦ୍ୟୁତ ଦର ପ୍ରଥମ ସ୍ଲାବର ୟୁନିଟ୍ ପିଛା ୨ ଟଙ୍କାକୁ ହ୍ରାସ କରନ୍ତୁ। ତତ୍‌ସହିତ ସାରା ରାଜ୍ୟରେ ବିଦ୍ୟୁତ ବିଲ୍ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଗ୍ରାହକଙ୍କୁ ପ୍ରଦାନ କରନ୍ତୁ। କୃଷକମାନଙ୍କୁ ରିହାତି ଦରରେ ବିଦ୍ୟୁତ ଯୋଗାଇଦେବା କଥା ଘୋଷଣାରେ ନ ରହୁ। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ। ଯଦି ଟାଟା ପାୱାର ବକେୟା ବିଲ୍ ଆଦାୟ କରିବା ସମୟରେ ଜୁଲମ କରୁଛି, ତା’ହେଲେ ସମ୍ପୃକ୍ତ ଅଞ୍ଚଳର କଂଗ୍ରେସ ନେତୃବର୍ଗଙ୍କୁ ଜଣାନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଦାବି ଗୁଡ଼ିକୁ ସରକାର ଯଦି ନ ମାନନ୍ତି କଂଗ୍ରେସ ଦଳ ଆଗାମୀ ଦିନରେ ସାରା ରାଜ୍ୟରେ ଜିଲ୍ଲା ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ବିତରକ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଜନଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ଯୁଧିଷ୍ଠିର ଜେନା, ଦାଶରଥୀ ଗମାଙ୍ଗୋ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ୍ ଦାଶ, ସି.ଏସ୍‌. ରାଜନ ଏକ୍କା, ବନ୍ଦିତା ପରିଡ଼ା, ଗୀତାଞ୍ଜଳି ମହାନ୍ତି, ୟାସିର ନୱାଜ ପ୍ରମୁଖ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।