ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜୟ ସତ୍ତ୍ବେ ପ୍ରାର୍ଥୀ ବଦଳାଉଛି ବିଜେଡି: ଆକାଶ, ଅଶୋକଙ୍କ ପରେ ବବିଙ୍କୁ ନେଇ ଚର୍ଚ୍ଚା

ଯାଜପୁର (ସଂଗ୍ରାମ କେଶରୀ ସିଂହ): ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ମ୍ୟୁଜିକ୍‌ ଚେୟାର ଭଳି ବଦଳୁଛନ୍ତି ବିଧାୟକ। ଶାସକ ଦଳ ବିଜେଡି ୨୦୦୯ରୁ ଏଠାରେ ଲଗାତର ଭାବେ ଜିତିବା ସତ୍ତ୍ବେ ପ୍ରାର୍ଥୀ ବଦଳାଇ ଚାଲିଛି। ୨୦୨୪ରେ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନର ବିଧାୟକ ଅଶୋକ ବଳ ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ମଧ୍ୟରେ ପତିଆରା ଲଢ଼େଇ ଚାଲିଥିବା ବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏଠାରୁ ପ୍ରାର୍ଥୀ ହେବେ ବୋଲି ନିଜ ସମର୍ଥକଙ୍କ ଜରିଆରେ ପ୍ରଚାର କରି ପ୍ରତିକ୍ରିୟା ସଂଗ୍ରହ କରୁଛନ୍ତି। ଫଳରେ କୋରେଇରେ ବିଜେଡି ପୁଣିଥରେ ନୂଆମୁହଁକୁ ସୁଯୋଗ ଦେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ୫୦ ବର୍ଷର ଇତିହାସକୁ ଦେଖିଲେ ସ୍ବର୍ଗତ ଅଶୋକ ଦାସ ଏଠାରୁ ୫ ଥର ବିଧାୟକ ହୋଇଛନ୍ତି। ଅନ୍ୟ ୬ଜଣ ଥରେ ଲେଖାଏଁ ନିର୍ବାଚିତ ହୋଇଛନ୍ତି। ୨୦୦୪ରେ ବିଜେପି ନେତ୍ରୀ ସଂଚିତା ମହାନ୍ତି ବିଧାୟିକା ନିର୍ବାଚିତ ହୋଇଥିଲେ। ୨୦୦୯ରେ କୋରେଇ ଆସନରୁ ଇଂ ପ୍ରୀତିରଞ୍ଜନ ଘଡ଼େଇ ବିଜୟୀ ହୋଇ ରାଜ‌ନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୧୪ରେ ଅଭିନେତା ଆକାଶ ଦାସ ନାୟକ ବିଜେଡିରୁ ବିଜୟୀ ହୋଇଥିଲେ।

ହେଲେ ୨୦୧୯ରେ ତାଙ୍କୁ ଟିକଟ ମିଳିଲାନି। ୨୦୧୯ରେ ଅଶୋକ କୁମାର ବଳ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ କୋରେଇ ଓ ବରୀରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା। ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଏଠାରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କରୁଛନ୍ତି। ବବି କୋରେଇର ବିଭିନ୍ନ ଉନ୍ନୟନ କାମର ନିୟମିତ ସମୀକ୍ଷା କରିବା ସହିତ ଜିଲ୍ଲା ପ୍ରଶାସନ ସହିତ ଆସି ପ୍ରକଳ୍ପ ପରିଦର୍ଶନ କରିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ୨୦୧୪ରେ ଆକାଶ ଦାସ ନାୟକ ବିଧାୟକ ହେବା ପରେ କୋରେଇ ଅଞ୍ଚଳର ବିଭିନ୍ନ କାର୍ଯ୍ୟରେ ବବିଙ୍କ ହସ୍ତକ୍ଷେପ ରହୁଥିଲା। ଶେଷ ପର୍ଯ୍ୟାୟରେ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ବିବାଦ ହେବା ସହ ୨୦୧୯ ନିର୍ବାଚନରେ ଆକାଶଙ୍କ ଟିକଟ କଟିଥିଲା। ଆକାଶ ସବୁଜ କୋରେଇ ଅଭିଯାନ ଚଳାଇ ନିଜ ସଂଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ଫଳରେ ଆକାଶ ଓ ଅଶୋକଙ୍କୁ ନେଇ ​କୋରେଇରେ ବିଜେଡି ରାଜନୀତି ଚଳଚଞ୍ଚଳ ଅଛି। ଆଉ ଏହି ଦୁହିଁଙ୍କ ମଝିରେ ବବିଙ୍କ ପ୍ରବେଶ ଯୋଗୁଁ ରାଜନୈତିକ ପାଣିପାଗ ଗୋଳିଆ ହେଉଛି। ବିରୋଧୀ ବିଜେପି ଓ କଂଗ୍ରେସ ଏଥିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି। ବିଜେପିର ଗତଥର ପ୍ରାର୍ଥୀ ବିଶ୍ବଜିତ ନାୟକ ଓ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ଶାଣିତ ରାଜନୀତି କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।