ଅପରାଧ ରାଜ୍ୟ

ବିଜେବି କଲେଜରେ ପୁଣି ରାଗିଂ, ଛାତ୍ରଙ୍କୁ ଗଡ଼େଇତଡ଼େଇ ପିଟିଲେ

ଭୁବନେଶ୍ବର : ୨୦ରୁ ଅଧିକ ଛାତ୍ର ଘେରିଯାଇ ଭୟର ବାତାବରଣ ସୃଷ୍ଟି କଲେ। ଗଛ ତଳେ ଜଣେ ଛାତ୍ର (ନାମ ଗୋପନ ରଖାଯାଇଛି)ଙ୍କୁ ବସାଇ ଅକଥନୀୟ ନିର୍ଯାତନା ଦେଲେ। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ଉପରେ ଚାପୁଡ଼ା, ଗୋଇଠା, ଧକ୍କା ମାରି ଚାଲିଲେ। ୫ରୁ ଅଧିକ ଛାତ୍ର ତାଙ୍କୁ ତଳେ ପକାଇ ଗଡ଼େଇ ତଡ଼େଇ ପିଟିଲେ।

ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେବି କ୍ୟାମ୍ପସରେ। ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ କଲେଜ୍‌ କ୍ୟାମ୍ପସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରମାନେ ଆତଙ୍କ ସୃ୍ଷ୍ଟି କରିଥିଲେ। କିଛିଦିନ ତଳେ ବିଜେବି କଲେଜ୍‌ର ଦୁଇ ଦୁଇଟି ରାଗିଂ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଘଟଣା ଲୋକଙ୍କ ମନରୁ ନଯାଉଣୁ ପୁଣି ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଅଭିଭାବକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚିନ୍ତାର ବିଷୟ ହୋଇଛି। ବଡ଼ଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଭିଡିଓ ଭାଇରାଲ୍‌; ସବୁ ଦେଖିଲେ, କେହି ପ୍ରତିବାଦ କଲେନି
କୁଆଡ଼େ ଗଲା ଆଣ୍ଟି ରାଗିଂ ଟିମ୍‌
୪ ଛାତ୍ର ଥାନାରେ ଅଟକ

ସୂଚନା ମୁତାବକ, ପ୍ରତିଦିନ ଉକ୍ତ ଛାତ୍ର ତାଙ୍କ ପିଲାଦିନର ବାନ୍ଧବୀଙ୍କ ସହ ମିଶି କଲେଜ ଆସନ୍ତି। ବାନ୍ଧବୀଙ୍କ ବାପା ଉଭୟଙ୍କୁ କଲେଜ ନେବା ଆଣିବା
କରନ୍ତି। ଯାହାକି କିଛି ବରିଷ୍ଠ ଛାତ୍ରଙ୍କ ଆଖିରେ ଯାଇନଥିଲା। ଛାତ୍ରଛାତ୍ରୀଙ୍କ ପାରିବାରିକ ସମ୍ପର୍କକୁ କେତେକ ଭିନ୍ନ ରୂପ ଦେଇଥିଲେ। ଦୁଇଦିନ ତଳେ କିଛି ଛାତ୍ର ପୀଡ଼ିତ ଛାତ୍ରଙ୍କ ନିକଟକୁ ଆସି ଧମକ ଚମକ ଦେଇଥିଲେ। ଛାତ୍ରୀଙ୍କ ସହ ନ ମିଶିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଭୟ ସୃଷ୍ଟି କରିବା ପାଇଁ ତାଙ୍କ ଚଷମା ଟାଣି ଫିଙ୍ଗିଦେଇଥିଲେ। ଭୟଭୀତ ଅବସ୍ଥାରେ ଥିବା ଛାତ୍ର ଜଣଙ୍କ ଘରକୁ ଯିବା ପରେ କଲେଜ୍‌ରେ ପଢ଼ୁଥିବା +୩ର ଜଣେ ସମ୍ପର୍କୀୟଙ୍କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ସେ ଆକ୍ରମଣ କରିଥିବା ଛାତ୍ରମାନଙ୍କୁ ପଚରାଉଚରା କରିଥିଲେ।

ସମ୍ପର୍କୀୟ ଛାତ୍ରଙ୍କ ଠାରୁ ଆଶ୍ବସନା ପାଇବା ପରେ ବୁଧବାର ଦିନ କଲେଜ୍‌ ଯାଇଥିଲେ। ହେଲେ +୩ଛାତ୍ରଙ୍କୁ କାହିଁକି ଘଟଣା ବିଷୟରେ କହିଲ ବୋଲି କହି ଆକ୍ରମଣ କରିଥିବା ଛାତ୍ରଗୋଷ୍ଠୀ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ପୀଡ଼ିତ ଛାତ୍ରକୁ ପାନେ ଦେବାକୁ ଯୋଜନା କରଥିଲେ। ବୁଧବାର ଦିନ ତାଙ୍କୁ କଲେଜ୍‌ରେ ଦେଖିବା ମାତ୍ରେ ସିନିୟର ଛାତ୍ରଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଘେରିଯାଇଥଲେ। କ୍ୟାମ୍ପସରେ ଥିବା ଏକ ଗଛମୂଳ ପିଣ୍ଡିକୁ ନେଇ ସେଠାରେ ବସାଇ ଅକଥନୀୟ ନିର୍ଯାତନା ଦେଇଥିଲେ। ସମସ୍ତଙ୍କ ସାମ୍ନାରେ ଗଡ଼େଇ ତଡ଼େଇ ଗୋଇଠା, ଧକ୍କା ମାରିଥିଲେ। ପୀଡ଼ିତ ଛାତ୍ରଙ୍କ ବାନ୍ଧବୀ ବାରଣ କରିବାରୁ ତାଙ୍କୁ ମଧ୍ୟ ଧମକ ଚମକ ଦେବାସହ ଅଶ୍ଳୀଳ କମେଣ୍ଟ କରିଥିଲେ। କଲେଜ୍‌ କ୍ୟାମ୍ପସରେ ଏଭଳି ଘଟଣା ଘଟୁଥିଲେ ହେଁ ଅନ୍ୟଛାତ୍ର କିମ୍ବା କୌଣସି ଅଧ୍ୟାପକ, ଅଧ୍ୟାପିକା କେହି ରୋକିନଥିଲେ। ଆକ୍ରମଣ ଯୋଗୁଁ ଛାତ୍ର ଜଣଙ୍କ ଲହୁଲୁହାଣ ହୋଇଥିଲେ।କିଛି ସମୟ ପରେ ପୀଡ଼ିତ ଛାତ୍ରଙ୍କୁ ଆହତ ଅବସ୍ଥାରେ କେତେକ ସହପାଠୀ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। ଖବରପାଇ ବାନ୍ଧବୀଙ୍କ ବାପା ସେଠାରେ ପହଞ୍ଚି ଛାତ୍ରଙ୍କୁ ଚିକିତ୍ସା କରି ଘରକୁ ନେଇଥିଲେ।

ଉଦ୍‌ବେଗର କଥା ଛାତ୍ରଙ୍କ ତୁମୁଳକାଣ୍ଡକୁ ନେଇ କଲେଜ୍‌ ଉଠୁଥିବା ପଡ଼ୁଥିବା ବେଳେ କଲେଜ୍‌ରେ ଗଠନ ହୋଇଥିବା ଆଣ୍ଟି ରାଗିଂ ଟିମ୍‌ର ବି ଦେଖାଦେଇନଥିଲା। ଅନ୍ୟପକ୍ଷରେ କ୍ଷଣିକ ମଧ୍ୟରେ ଛାତ୍ରଙ୍କୁ ଆକ୍ରମଣ କରାଯିବା ସମୟର ଭିଡିଓ ମୋବାଇଲରୁ ମୋବାଇଲ୍‌କୁ ଏବଂ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଛାତ୍ରୀଙ୍କ ବାପା ଘଟଣା ବିଷୟରେ ଜାଣିବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ବଡ଼ଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ୪ଜଣ ଛାତ୍ରଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଏଥିରେ ୨୦ରୁ ଅଧିକ ଛାତ୍ରଙ୍କ ସମ୍ପୃକ୍ତି ଥିବାରୁ ପୁଲିସ କଲେଜ୍‌ ସମେତ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ଅନ୍ୟପଟେ ଘଟଣାକୁ ଡିସିପି ପ୍ରତୀକ ସିଂ ଗୁରୁତର ସହ ନେଇଛନ୍ତି। ରାଗିଂରେ ସମ୍ପୃକ୍ତ ଥିବା ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ରାଗିଂ ଭଳି ଦେଖାଯାଉଥିଲେ ହେଁ, ଏହା ପଛରେ ରହସ୍ୟ ରହିଛି। ବଡ଼ଗଡ଼ ଥାନା ପୁଲିସ ଘଟଣାର ଖୋଳତାଡ଼ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।