ଭୁବନେଶ୍ବର: ନବୀନ ସରକାରଙ୍କ ଦୀର୍ଘ ୨୪ବର୍ଷର ଶାସନ ପରେ ଆଜି ଓଡ଼ିଆମାନେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି। ରାଜ୍ୟର ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଓ ସମସ୍ତ ପୁଞ୍ଜିକୁ ରାଜ୍ୟ ବାହାର ଲୋକଙ୍କ ହାତରେ ଟେକି ଦେବାକୁ ଏ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ବାହାର ରାଜ୍ୟର ଠିକାଦାର କରୁଛନ୍ତି ଓ ଓଡ଼ିଶାର ଠିକାଦାରମାନେ ହାତବାନ୍ଧି ବସିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଉଥିବା ବେଳେ ରାଜ୍ୟବାସୀ ଅବହେଳାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ୧୦ଦଫା ସମ୍ବଳିତ ଅଭିଯୋଗପତ୍ର ଉପସ୍ଥାପନ କରି ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି। ସେ କହିଥିଲେ ଯେ ରାଜ୍ୟରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୫ହଜାର କୋଟି ଟଙ୍କାରୁ ୩୪ ହଜାର କୋଟି ଟଙ୍କା ରାଜ୍ୟ ବାହାର ଠିକାଦାରଙ୍କୁ ଦିଆଯାଇଛି। କିନ୍ତୁ ଲୋକେ ପାନୀୟ ଜଳ ପାଇପାରୁନାହାନ୍ତି। ଏପରିକି ଲକ୍ଷ୍ମୀ ବସ୍ ପାଇଁ ମଧ୍ୟ ରାଜ୍ୟ ବାହାର ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି। ରାଜ୍ୟର ବିଭିନ୍ନ ବିଭାଗରେ ୨ ଲକ୍ଷରୁ ଅଧିକ ସରକାରୀ ପଦବି ଖାଲି ପଡ଼ିଛି। ହେଲେ ଓଡ଼ିଆ ଯୁବକଯୁବତୀ ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ରାଜ୍ୟରେ ଶିକ୍ଷାର ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ୨୦୧୭-୧୮ରେ ସର୍ବଭାରତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ୧୦ମ ସ୍ଥାନରେ ଥିବା ଓଡ଼ିଶା ଏବେ ୨୪ ତମ ସ୍ଥାନକୁ ଖସିଯାଇଛି। ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ବିଦ୍ୟୁତ ସେବାକୁ ସୁଲଭ ଓ ବ୍ୟବସ୍ଥିତ କରିବା ପାଇଁ ଭିତ୍ତିଭୂମି ସୁଦୃଢ଼ ଆଳରେ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଗଲା। ହେଲେ ଉପଭୋକ୍ତାଙ୍କୁ ଉପଯୁକ୍ତ ବିଦ୍ୟୁତ୍ ସେବା ମିଳିପାରିଲା ନାହିଁ। ସବୁଠାରୁ ବଡ଼ ଦୁର୍ନୀତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଉଛି। ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ବର୍ଷକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏହି ଅର୍ଥ ଘରୋଇ ହସ୍ପିଟାଲ ମାଲିକମାନଙ୍କ ପକେଟକୁ ଯାଉଛି। ମହିଳା ସଶକ୍ତୀକରଣ ଆଳରେ ଏସ୍ଏଚଜି ମହିଳାମାନଙ୍କୁ ବିଜେଡି କର୍ମୀ ଭାବେ ବ୍ୟବହାର କରାଯାଉଛି। ଦେଶରେ ଏବେ ଚାଷୀମାନଙ୍କ ମାସିକ ରୋଜଗାର ୧୦,୨୦୦ ଟଙ୍କା ଥିବାବେଳେ ଓଡ଼ିଶାରେ ଏହା ୫,୧୦୦ ଟଙ୍କା। ଚାଷୀମାନଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ତାହା ଅଦ୍ୟାବଧି ଦେଇନାହାନ୍ତି। ସେହିପରି ଦରଦାମ ମଧ୍ୟ ସାଧାରଣ ଲୋକଙ୍କୁ ଅତିଷ୍ଠ କରିପକାଇଲାଣି। ୨୦୧୪ରେ ଡିଜେଲ ମୂଲ୍ୟ ଲିଟର ପିଛା ୫୫ ଟଙ୍କା ଥିବା ବେଳେ ଏବେ ୧୦୦ଟଙ୍କାରୁ ଅଧିକ ହେଲାଣି। ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୦ଟଙ୍କାରୁ ବଢ଼ି ୧୧୦୦ ଟଙ୍କା ଟପିଲାଣି। ସରକାରୀ ଅଧିକାରୀ ଓ ପୁଲିସକୁ ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ତୃତୀୟ ମହଲାର ଅନେକ ଅଧିକାରୀ ସିଧାସଳଖ ଭାବେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ରାଜ୍ୟବାସୀ ବିଜେଡି ସରକାରର ଏହି ଅନ୍ୟାୟ ଓ ଦୁର୍ନୀତିରେ ଅତିଷ୍ଠ ହୋଇପଡ଼ିଲେଣି। ଆସନ୍ତା ସାଧାରଣ ନିର୍ବାଚନରେ ସେମାନେ ନିଶ୍ଚିତ ଭାବେ ଏହାର ଜବାବ ଦେବେ। ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍ଗୋ କହିଲେ, ଜନତା ଅଦାଲତରେ ନିଶ୍ଚିତ ଭାବେ ବିଜେଡି ସରକାରର ଭ୍ରଷ୍ଟାଚାରର ବିଚାର ହେବ ଓ ରାଜ୍ୟବାସୀ ଏହାର ଉପଯୁକ୍ତ ବିଚାର କରିବେ। ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।