ଭୁବନେଶ୍ବର : ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି। ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି। ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିସାରିଲାଣି। ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି। ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି। ଏହି ସଫଳତା ବିଜେଡି ଓ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରରେ ରଖିଛି।
୧୯୯୭ ମସିହାରେ ଗଠନ ହେଲା ବିଜେଡି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ଓ ହକ୍ର ଲଢ଼େଇ ପାଇଁ ଦଳ ଗଠନ ହୋଇଥିଲା। କିନ୍ତୁ ଏହି ଦଳ ଓଡ଼ିଶା ରାଜନୀତିରେ କେତେଦୂର ନିଜ ସ୍ଥିତି ସୁଦୃଢ଼ କରିପାରିବ, ତାହାକୁ ନେଇ ସମସ୍ତେ ସନ୍ଦିହାନ ଥିଲେ। ପୁଣି ଦଳର ନେତୃତ୍ବ ନେଲେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ପଟ୍ଟନାୟକ। ଆଶା-ଆଶଙ୍କା ଭିତରେ ବିଜେଡି ତା’ର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲା। ୨୦୦୦ ମସିହାରେ ପ୍ରଥମ ଥର ନବୀନଙ୍କ ନେତୃତ୍ବରେ ବିଜେଡି ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା। ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପଦାର୍ପଣରେ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା। ୭୨ଟି ଆସନ ଦଖଲ କରିଥିଲା ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସଭାପତି ନବୀନ ପଟ୍ଟନାୟକ। ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା। ବିଜେଡି ୨୦୦୦ ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ। ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ। ୨୦୦୯ରେ ବିଜେପି ହାତ ଛାଡ଼ିଦେଲା ବିଜେଡି। ଆଉ ମେଣ୍ଟ ନୁହେଁ, ପ୍ରଥମ ଥର ପାଇଁ ଏକାକୀ ୧୪୭ ଆସନରେ ଲଢ଼ିଲା ବିଜେଡି। ଫଳାଫଳ ବି ଥିଲା ଆଶାତୀତ। ୧୦୭ ସିଟ୍ ଦଖଲ କଲା ଦଳ। ତୃତୀୟ ଥର ପାଇଁ ନବୀନ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ। ଏଥର ଆଉ ମେଣ୍ଟ ସରକାର ନଥିଲା। ବିପୁଳ ସଫଳତା ପାଇ ନବୀନ ନିଷ୍କଣ୍ଟକ ଭାବେ ଶାସନ କଲେ।
ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି। ସବୁ ନିର୍ବାଚନରେ କୌଣସି ରାଜନୈତିକ ଅଙ୍କ ନବୀନଙ୍କ ରଣନୀତି ପାଖରେ କାମ କରୁ ନାହିଁ। ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି। ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ବିଜେଡି ନେତାମାନେ ନିର୍ବାଚନ ଲଢ଼ୁଛନ୍ତି। ଆଉ ସାଧାରଣ ଜନତା ଗଭୀର ଆସ୍ଥା ସ୍ଥାପନ କରୁଛନ୍ତି।
୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ଆହୁରି ବଢ଼ିଲା। ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନବୀନ ଓଡ଼ିଶା ରାଜନୀତିରେ ମାଇଲଖୁଣ୍ଟ ସ୍ଥାପନ କଲେ। ବିରୋଧୀ ଦଳଗୁଡ଼ିକ ସେତିକି ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରିଲେନି। ଏହା ମଧ୍ୟରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗ୍ରହଣ କରି ନବୀନ ରାଜ୍ୟବାସୀଙ୍କର ବିଶ୍ବାସଭାଜନ ହୋଇଗଲେ। ଏନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ଯୋଜନାର ପାହାଡ଼ ଖଞ୍ଜିଦିଆଗଲା। ନବୀନଙ୍କ ବିକଳ୍ପ ତ ଦୂରର କଥା, ତାଙ୍କ ପାଖାପାଖି ପହଞ୍ଚିବାକୁ ବି ବିରୋଧୀ ଦଳର କୌଣସି ନେତା ସକ୍ଷମ ହୋଇପାରି ନଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କଲା। ଆସନ ସଂଖ୍ୟା ପୂର୍ବ ୪ ଥର ଅପେକ୍ଷା ଆହୁରି ବଢ଼ିଲା। ବିଜେଡି ପାଇଥିବା ଆସନର ପାଖାପାଖି ମଧ୍ୟ ରହିପାରୁନାହାନ୍ତି ମୁଖ୍ୟ ବିରୋଧୀ ଦଳ। ନିରଙ୍କୁଶ କ୍ଷମତା ପାଇ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲେ ନବୀନ। ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ଦେଶର କିଛି ହାତଗଣତି ନେତାଙ୍କ ତାଲିକାରେ ନବୀନଙ୍କ ନାମ ରହିଲା।
କେବଳ ବିଧାନସଭା ନୁହେଁ, ଲୋକସଭା ନିର୍ବାଚନରେ ବି ବିଜେଡି ଲଗାତର ସଫଳତା ସାଉଁଟି ଚାଲିଛି। ସିଟ୍ ସଂଖ୍ୟା କମ୍ ବେଶୀ ହେଉଛି ସତ, କିନ୍ତୁ ବିଜେଡିର ସଫଳତା ବିରୋଧୀଙ୍କ ଠାରୁ ଯଥେଷ୍ଟ ଅଧିକ। ଏପରିକି ୨୦୧୪ ନିର୍ବାଚନରେ ବିଜେଡି ୨୦ଟି ଲୋକସଭା ଆସନ ଦଖଲ କରି ରେକର୍ଡ ସୃଷ୍ଟି କରିଥିଲା। ୨୦୧୯ରେ ଏହି ସଂଖ୍ୟା କମିଥିଲେ ବି ମୁଖ୍ୟ ବିରୋଧୀ ଦଳ ବିଜେପି ଠାରୁ ବିଜେଡି ଆଗରେ ରହିଛି।