ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡି ଓ ବିଜେପି ମୁହାଁମୁହିଁ: କାହା କବ୍‌ଜାରେ ରହିବ ମୟୂରଭଞ୍ଜ?

ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ କେଉଁ ଦଳର କବ୍‌ଜାକୁ ଯିବ, ସେ ନେଇ ସମସ୍ତ ପ୍ରମୁଖ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ଅନୁଯାୟୀ ଏଥର ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଏଯାଏ କଂଗ୍ରେସର କୌଣସି ସ୍ବରଶବ୍ଦ ନଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ମଧ୍ୟ ବିଶେଷ ଦେଖିବାକୁ ମିଳୁନାହିଁ। ତେବେ ଏଥର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ନିଜର ଉପସ୍ଥିତି ଜାହିର କରିବାକୁ କସରତ୍‌ କରୁଛି। ୨୦୨୪ ସାଧାରଣ ନିର୍ବାଚନ ମୟୂରଭଞ୍ଜ ଜିଲ୍ଲା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ସାଜିଛି। ୨୦୧୯ ରେ ଅଭୂତପୂର୍ବ ସଫଳତା ପାଇଥିଲେ ବି ମୟୂରଭଞ୍ଜରେ ଝୁଣ୍ଟିଥିଲା ଦଳ। ଲୋକସଭା ଆସନ ହାତଛଡ଼ା କରିଥିବା ବେଳେ ୯ଟି ବିଧାନସଭା ଆସନରୁ ମାତ୍ର ୩ଟି ଆସନ ଜିତିଥିଲା ଦଳ। ଏହି ବିଫଳତା ପରେ ଜିଲ୍ଲାରେ ସଂଗଠନର ମଙ୍ଗ ଧରିଥିଲେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ତାଙ୍କ ରଣନୀତିରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଏକପାଖିଆ ଜିତ୍‌ ହାସଲ କରିଥିଲା ଦଳ। ବିଜେପିର ସାଂସଦ ଓ ୬ ବିଧାୟକ ଥାଇ ବି ୫୬ ଜିଲ୍ଲା ପରିଷଦ ଆସନରୁ ବିଜେଡି ୫୩ଟି ହାତେଇ ନେଇଥିଲା। ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ପୌରାଧ୍ୟକ୍ଷ ଆସନ ବି ବିଜେଡି ଖାତାକୁ ଯାଇଥିଲା। ଯଦିଓ ଏବେ ପ୍ରଣବ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରୁ ଓହରି ଗଲେଣି, ଦଳର ସାଂଗଠନିକ ସ୍ଥିତି କିନ୍ତୁ ପୂର୍ବ ଅପେକ୍ଷା ମଜଭୁତ୍‌ ଅଛି। ଜିଲ୍ଲା ସଭାପତି ତଥା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ବ‌ରେ ଦଳ ୨୦୨୪ ସିଧାରଣ ନିର୍ବାଚନରେ ସବୁ ଆସନ ପୋଛିନେବ ବୋଲି ଦମ୍ଭୋକ୍ତି ପ୍ରକାଶ କଲାଣି। ତେବେ ଅଧିକାଂଶ ଆସନରେ ଏକାଧିକ ଆଶାୟୀ ମୁଣ୍ଡ ଟେକୁଥିବାରୁ ଦଳକୁ କିଛିଟା ଅଡ଼ୁଆ ହୋଇପାରେ।
ଏପଟେ ପଞ୍ଚାୟତ ଓ ପୌର ନିର୍ବାଚନର ବିଫଳତାକୁ ବିଶେଷ ଗୁରୁତ୍ବ ଦେଉନି ବିଜେପି। ଉକ୍ତ ନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଉଚିତ୍ ନୁହେଁ। ଆମ ସଂଗଠନ ମଜଭୁତ୍‌ ଅଛି, ୨୦୨୪ରେ ଭଲ ପ୍ରଦର୍ଶନ କରିବେ ବୋଲି ଦଳର ବରିଷ୍ଠ ନେତାମାନେ କହି ବୁଲୁଛନ୍ତି। ଗତବର୍ଷ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ମାଷ୍ଟରଷ୍ଟ୍ରୋକ୍‌ ଖେଳିଥିଲା ଦଳ। ଏହି ନିଷ୍ପତ୍ତି ଯୋଗୁଁ ୨୦୨୪ରେ ଜିଲ୍ଲାର ଆଦିବାସୀ ଭୋଟ୍‌ବ୍ୟାଙ୍କ ବିଜେପି ଆଡ଼କୁ ଢଳିବାର ସମ୍ଭାବନା ଅଧିକ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ। ସେହିପରି ଗତ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ କରିଥିଲା ଜେଏମ୍‌ଏମ୍‌। ମୟୂରଭଞ୍ଜରେ ଦଳର ଏକ ସ୍ଥାୟୀ ଭୋଟ‌୍‌ବ୍ୟାଙ୍କ ଥିଲେ ବି ବିଭିନ୍ନ କାରଣରୁ ଗତ ନିର୍ବାଚନରେ ଏହି ଭୋଟ୍‌ବ୍ୟାଙ୍କକୁ ଧରି ରଖିପାରି ନଥିଲା ଦଳ। କଂଗ୍ରେସ ସହ ମେଣ୍ଟ ବି ମହଙ୍ଗା ପଡ଼ିଥିଲା। ସୁଦାମ ମାର୍ଣ୍ଡି ଦଳ ଛାଡ଼ି ବିଜେଡିରେ ମିଶିବା ପରଠାରୁ ଜେଏମ୍‌ଏମ୍‌ରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଦଳର ପ୍ରତିଷ୍ଠାତା ଶିବୁ ‌ସୋରେନ ଓ ତାଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗଭଳି ମୟୂରଭଞ୍ଜ ଉପରେ ଏତେଟା ଫୋକସ୍‌ କରୁନାହାନ୍ତି। ତେବେ ହେମନ୍ତଙ୍କ ଭଉଣୀ ଅଞ୍ଜନୀ ଦଳର ଓଡ଼ିଶା ଶାଖାର ମଙ୍ଗ ଧରିବା ପରେ ସ୍ଥିତି କିଛିଟା ସୁଧିରିଛି। ଏମିତିକି ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଜିଲ୍ଲାରେ ବିଜେପି ମୂଳପୋଛ ହୋଇ ଯାଇଥିବା ବେଳେ ୩ଟି ଆସନ ହାତେଇବାରେ ସଫଳ ହୋଇଥିଲା ଦଳ। ପୌର ନିର୍ବାଚନରେ ମଧ୍ୟ ଦଳ ଭଲ ଲଢ଼େଇ କରିଥିଲା। ତେଣୁ ଏଥର କାହା ସହ ମେଣ୍ଟ ନକରି ନିଜ ଶିଙ୍ଗରେ ମାଟି ଖୋଳିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଦଳର ନେତା ଓ କର୍ମୀ। ନେତାଙ୍କ ଏହି ଦମ୍ଭୋକ୍ତି ଯଦି ଭୋଟ୍‌କୁ ରୂପାନ୍ତର ହୁଏ, ତେବେ କିଛି ଆସନରେ ଜେଏମ୍‌ଏମ୍‌ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।