ଭୁବନେଶ୍ୱର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଉଭୟ ନେତା ପୃଥକ ପୃଥକ ଭାବେ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଥିଲେ। ଏହି ଯୋଗଦାନ ପରେ ଜଗତସିଂହପୁର ଓ ବାଲେଶ୍ବରରେ ରାଜନୈତିକ ସମୀକରଣ ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି। ଉଭୟ ନେତା ଶଙ୍ଖ ଭବନରେ ମିଶିଲା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ଙ୍କୁ ସାକ୍ଷାତ କରିଥିଲେ।
ଶଙ୍ଖ ଭବନରେ ଚିରଞ୍ଜୀବ ବିଶ୍ବାଳଙ୍କୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ସସ୍ମିତ ପାତ୍ର ବିଜେଡିକୁ ସ୍ବାଗତ କରିଥିଲେ। ଏହି ଯୋଗଦାନ ଫଳରେ ଜଗତସିଂହପୁରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ ଆଶାପ୍ରକଟ କରିଥିଲେ। ଶ୍ରୀ ବିଶ୍ବାଳ କହିଥିଲେ, ମୁଁ କୌଣସି ସ୍ବାର୍ଥ ନେଇ ବିଜେଡିରେ ସାମିଲ ହୋଇନି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲି। ମହିଳା, ଯୁବପିଢ଼ି, ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁ କାମ କରିଛନ୍ତି। ନୂଆ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହାକୁ ସୁଚାରୁରୂପେ ତୁଲାଇବି। ଏହି ମିଶ୍ରଣ ପର୍ବରେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ନାଉଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ନିରଞ୍ଜନ ବେହୁରା, ଜଗତସିଂହପୁର ବ୍ଲକ କଂଗ୍ରେସ କମିଟି ସଭାପତି ଅଦ୍ବୈତ ଚରଣ ଜେନାଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଅନୁପସ୍ଥିତ ଥିଲେ।
ବାଲେଶ୍ବର ଜିଲ୍ଲାର ନୀଳଗିରି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସୁକାନ୍ତ ନାୟକ ପାଞ୍ଚ ବର୍ଷ ପରେ ବିଜେଡିକୁ ଫେରିଛନ୍ତି। ତାଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ବି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ସାଂସଦ ସସ୍ମିତ ପାତ୍ର ତାଙ୍କୁ ସ୍ବାଗତ କରିଥିଲେ। ଶ୍ରୀ ନାୟକ କହିଥିଲେ, ଆଜି ବିଜେଡିରେ ମିଶିବା ପରେ ଏହା ମୋର ଘର ବାହୁଡ଼ା ହେଲା। ବିଜୁ ବାବୁଙ୍କ ଆଦର୍ଶରେ ମୁଁ ପ୍ରଥମରୁ ଅନୁପ୍ରାଣିତ। କୌଣସି କାରଣରୁ ଅଭିମାନ କରି ୨୦୧୯ରେ ବିଜେଡି ଛାଡ଼ିଥିଲି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ପୁଣି ବିଜେଡିରେ ଯୋଗଦେଲି। ଶ୍ରୀ ନାୟକଙ୍କ ସହ ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, ମଣ୍ଡଳ ସଭାପତି ଅକ୍ଷୟ ବେହେରା, ଉପେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦକ ନିରଞ୍ଜନ ମହାନ୍ତି, ଅଶୋକାସିନି ନାୟକ, ପୂର୍ବତନ ବିଜେଡି ବ୍ଲକ ସଭାପତି ରମାକାନ୍ତ ମହାପାତ୍ରଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ୨୦୧୪ରେ ସୁକାନ୍ତ ନାୟକ ବିଜେଡି ଟିକେଟରେ ଲଢ଼ି ଜିତିଥିଲେ। କିନ୍ତୁ ୨୦୧୯ରେ ଟିକେଟ ନ ମିଳିବାରୁ ସେ ବିଜେପିରେ ମିଶିଥିଲେ ଏବଂ ବିଜେପି ଟିକେଟ୍ରେ ଲଢ଼ି ବିଜୟୀ ହୋଇଥିଲେ।
ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ବୃନ୍ଦାବନ ମାଝୀ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ଦ୍ବାରା କୁଚିଣ୍ଡାରେ ବିଜେଡି ସଂଗଠନ ଆହୁରି ଦୃଢ଼ ହେବ ବୋଲି ଶ୍ରୀ ନାଏକ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲେ ବୋଲି ଶ୍ରୀ ମାଝୀ କହିଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।