ଭୁବନେଶ୍ବର ୨୬/୧୧: ଭାବରେ ଭାସିଗଲେ ଲୋକେ। ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ବଦଳରେ ଜୀବିତ ବ୍ୟକ୍ତିଙ୍କ ନାଁ ପୂର୍ବରୁ RIP ଲେଖି କଲେ ପୋଷ୍ଟ। ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାରାଡୋନାଙ୍କ ପାଇଁ ଆଜି ସାରା ବିଶ୍ବ ମର୍ମାହତ। ମାରାଡୋନାଙ୍କ ମୃତ୍ୟୁ ଖବର ମିଳିବା ପରେ ବିଶ୍ବବାସୀ ଟ୍ବିଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଥିଲେ। କିନ୍ତୁ ଟ୍ବିଟ୍ କଲା ବେଳେ ମାରାଡୋନା ଓ ‘କ୍ବିନ୍ ଅଫ ପପ୍’ ମାଡୋନାଙ୍କ ନାଁର ଫରକ ସମ୍ପର୍କରେ ଜାଣିପାରିନଥିଲେ। ମାରାଡୋନା ପରିବର୍ତେ ମାଡୋନାଙ୍କ ନାଁ ପୂର୍ବରୁ ଲଗାଇଦେଲେ RIP।

ଡିଏଗୋ ମାରାଡୋନା, କେବଳ ନାଁ ହିଁ ଯଥେଷ୍ଟ। କିନ୍ତୁ ଟ୍ବିଟ୍ରରେ ଏଭଳି କିଛି ଟ୍ବିଟ୍ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମାରାଡୋନା ଟ୍ବିଟ୍ରେ ଟ୍ରେଣ୍ଡ କରୁଥିବା ବେଳେ ଆମେରିକାର ଚର୍ଚ୍ଚିତ ଗାଈକା ତଥା ‘କ୍ବିନ୍ ଅଫ୍ ପପ୍’ ମାଡୋନାଙ୍କ ନାଁ ମଧ୍ୟ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି।

ମାରାଡୋନାଙ୍କ କିଛି ଫ୍ୟାନ୍ ଟ୍ବିଟ୍ରେ ମାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସିଙ୍ଗର ମାଡୋନାଙ୍କ ନାଁ ଫ୍ୟାନ୍ ଭୁଲରେ ଟ୍ବିଟ୍ କରିବା ପରେ ଏହା ଟ୍ବିଟ୍ରରେ ମାରାଡୋନାଙ୍କ ନାଁ ସହ ଟ୍ରେଣ୍ଡ କରିଥିଲା। ମାଡୋନାଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍ ମଧ୍ୟ ଟ୍ବିଟ୍ କରିବା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଡିଏଗୋ ମାରାଡୋନା ଜଣେ ମହାନ ଫୁଟବଲର ଥିଲେ। ବୁଧବାର ୬୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ମାରାଡୋନା। ଏହା ପୂର୍ବରୁ ବ୍ରେନ୍ ସର୍ଜରି ପରେ ନଭେମ୍ବର ୧୧ରେ ହସ୍ପିଟାଲ୍ରୁ ସେ ଡିସ୍ଚାର୍ଜ ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ବେଳେ ବୁଧବାର ଡୃଦଘାତରେ ଆଖିବୁଜିଥିଲେ ମାରାଡୋନା।

