ଭୁବନେଶ୍ବର : ଚାଷୀଙ୍କ ଆବଶ୍ୟକତା ଅନୁସାରେ ବିହନ ଉତ୍ପାଦିତ ହୋଇନଥିଲା। ଯେତିକି ଉତ୍ପାଦନ ହୋାଇଥିଲା, ସେଥିରୁ ବିକ୍ରି ନ ହୋଇ ରହିଗଲା ୭୦ ହଜାର କ୍ବିଣ୍ଟାଲ ଧାନ ବିହନ। ଏଥିଯୋଗୁଁ ବିହନ ନିଗମ ପ୍ରାୟ ୧୪ କୋଟି ଟଙ୍କା ହରାଇବା ନେଇ ଆକଳନ କରାଯାଉଛି। ଓଟିପି ସମସ୍ୟା ସହିତ ସରକାରୀ ବିହନ ପ୍ରତି ଚାଷୀଙ୍କ ଅନାଗ୍ରହ ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବିହନ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ADVERTISEMENT
ସୂଚନା ଅନୁସାରେ, ଓଡ଼ିଶାକୁ ୧୪ ଲକ୍ଷ କ୍ବିଣ୍ଟାଲ ବିହନର ଆବଶ୍ୟତା ଥାଏ। ଖରିଫ ସମୟରେ ବିହନ ନିଗମ ପକ୍ଷରୁ ପୂର୍ବରୁ ୫ ଲକ୍ଷ କ୍ବିଣ୍ଟାଲ ଉତ୍ପାଦନ ହେଉଥିଲା। ୨୦୨୧ ମସିହା ବେଳକୁ ଏହା ୪ ଲକ୍ଷ କ୍ବିଣ୍ଟାଲକୁ ଖସି ଆସିଥିଲା। ଚଳିତ ବର୍ଷ ଉତ୍ପାଦନ ଆହୁରି କମ କରି ଦିଆଯାଇ ମାତ୍ର ୨ ଲକ୍ଷ ୮ ହଜାର କ୍ବିଣ୍ଟାଲରେ ସୀମିତ କରି ଦିଆଯାଇଛି। ହେଲେ ବାସ୍ତବତା ହେଲା, ଜୁଲାଇ ମାସ ଅନ୍ତିମ ସପ୍ତାହ ବେଳକୁ ମଧ୍ୟ ବିହନ ସରିପାରି ନାହିଁ। ନିଗମ ପାଖରେ ଧାନ ବିହନ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହା ଆସନ୍ତା ବର୍ଷ ପାଇଁ ସଂରକ୍ଷିତ କରି ରଖାଯାଇ ପାରିବ ନାହିଁ ବୋଲି କୃଷି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଗୁଳୁଗୁଳି ଏବଂ ଗରମ ପାଣିପାଗ ଯୋଗୁଁ ରବି ସମୟ ପର୍ଯ୍ୟନ୍ତ ଏହା ରଖିବା ମଧ୍ୟ ଅତ୍ୟନ୍ତ କଷ୍ଟକର ହେବ। ଏଣେ ଏତେ ପରିମାଣର ବିକ୍ରି ନ ହୋଇ ରହିଥିବା ବିହନ ନଷ୍ଟ ହୋଇଯିବା ସମ୍ଭାବନା ଅଧିକ। ଏ ଆଶଙ୍କା ଏଇଥିପାଇଁ ବଢ଼ିଯାଉଛି, କାରଣ ନିଗମ ତାର ବିକଳ୍ପ ବ୍ୟବହାର କରିବ କି ନାହିଁ, ସେ ନେଇ ସ୍ପଷ୍ଟ ଉତ୍ତର ମିଳି ନାହିଁ।
୪ ହଜାର ଗାଁରେ ଇଣ୍ଟରନେଟ୍ ନାହିଁ, ଓଟିପି ବଢ଼ାଇଛି କଷ୍ଟ
୨ ବର୍ଷରେ ଉତ୍ପାଦନ ୫୦% କମିଲା
ଗୋଟିଏ ସମୟରେ ରାଜ୍ୟର ଚାଷ ବ୍ୟବସ୍ଥା ଦେଶୀ ଏବଂ ସରକାରୀ ବିହନ ଉପରେ ନିର୍ଭରଶୀଳ ଥିଲା। ବର୍ତ୍ତମାନ ଚାଷୀ କାହିଁକି ଏଥିରୁ ମୁହଁ ଫେରାଇବାରେ ଲାଗିଛନ୍ତି ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହାର ପ୍ରଥମ କାରଣ ଯାହା କୁହାଯାଉଛି ତାହା ହେଲା, ରାଜ୍ୟର ୪୫୦୦ରୁ ଅଧିକ ଗାଁରେ ଇଣ୍ଟରନେଟ ସୁବିଧା ନାହିଁ। ଅଥଚ ୨୦୨୨ ମସିହାରୁ ଓଟିପି ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାରେ ପଞ୍ଜୀକୃତ ଚାଷୀଙ୍କ ମୋବାଇଲରେ ଓଟିପି ଆସିବା ପରେ ଚାଷୀ ବିହନ ରିହାତି ପାଇବାରେ ସମର୍ଥ ହୁଅନ୍ତି। ଏବେ ଅନେକ ଚାଷୀଙ୍କ ପାଇଁ ସହଜ ହେଉ ନାହିଁ। ରାଜ୍ୟରେ ଏଭଳି ଅନେକ ଚାଷୀ ଅଛନ୍ତି ଯାହା ପାଖେ ମୋବାଇଲ ନାହିଁ। ଆହୁରି ଅନେକ ଚାଷୀଙ୍କ ମୋବାଇଲ ତାଙ୍କ ସନ୍ତାନ କିମ୍ବା ସମ୍ପର୍କୀୟମାନେ ବ୍ୟବହାର କରୁଛନ୍ତି। ଆଉ କିଛି ଜଣ ମୋବାଇଲର ଜଟିଳ ପ୍ରକ୍ରିୟା ନେଇ ମଧ୍ୟ ଅନଭିଜ୍ଞ। ଏଣୁ ଓଟିପି ଦାଖଲ କରି ସୋସାଇଟି କିଣିବା ବଦଳରେ ବାହାରୁ କିଣି ନେଉଛନ୍ତି।
ଦ୍ବିତୀୟତଃ, ନିଗମ ବିହନ ବିକ୍ରିକୁ ଜଟିଳ କରିଦେଇଛି। ସେପଟେ କିନ୍ତୁ ବିହନ କମ୍ପାନିର ଏଜେଣ୍ଟମାନେ ଶଙ୍କର ଜାତୀୟ ଓ ଅଧିକ ଉତ୍ପାଦନକ୍ଷମ ବିହନ ଧରି ଚାଷୀଙ୍କ ଦୁଆରରେ ପହଞ୍ଚି ଯାଉଛନ୍ତି। ଅଧିକ ଉତ୍ପାଦନର ଲୋଭ ଦେଖାଉଛନ୍ତି। ଅଧିକ ବ୍ୟବସାୟ କରିପାରୁଥିବା ବିହନ ବିକ୍ରେତାମାନଙ୍କୁ ଆକର୍ଷଣୀୟ ବିଦେଶ ଟୁର ପ୍ୟାକେଜ ଦିଆଯାଉଛି।ଏହାର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ଓଡ଼ିଶା ଚାଷୀ ଏବେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ବିହନ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି। ସମ୍ବଲପୁର ଏବଂ ବରଗଡ଼ର ଅନେକ ଚାଷୀଙ୍କ କହିବା ଅନୁସାରେ ଆବଶ୍ୟକ ସମୟରେ ସରକାରୀ ବିହନ ମିଳୁନଥିବାରୁ ବାଧ୍ୟରେ ସେମାନେ କମ୍ପାନି ବିହନ କିଣନ୍ତି। ଏଣେ କିନ୍ତୁ କମ୍ପାନି ବିହନ ଯୋଗୁଁ ଚାଷ ଖର୍ଚ୍ଚ ବଢିବା ସହିତ ଶୀଘ୍ର ରୋଗପୋକ ଲାଗିଯିବାର ଆଶଙ୍କା ରହୁଛି।
କୌତୂହଳ କଥା ହେଉଛି, କମ୍ପାନି ବିହନ ନିମ୍ନମାନର ହୋଇଥିଲେ ମଧ୍ୟ ପ୍ରବର୍ତ୍ତନ ସ୍କ୍ବାଡ୍ ସେମାନଙ୍କୁ ଧରି ପାରୁନାହାନ୍ତି। ତୃତୀୟତଃ ବର୍ତ୍ତମାନ ମରୁଡ଼ି ସମୟରେ ଚାଷୀଙ୍କୁ ସଅଳ ବିହନର ଆବଶ୍ୟକତା ରହିଛି। ତାହା ଥିଲେ ଚାଷୀ ସରକାରୀ ବିହନ ପ୍ରତି ଆହୁରି ଆକୃଷ୍ଟ ହୋଇଥାଆନ୍ତେ।