ଇନ୍ଦୋର: ଯୁଦ୍ଧକ୍ଷେତ୍ରରେ ମହିଳା ପୁରୁଷଙ୍କ ଠାରୁ କମ୍ ନୁହନ୍ତି। ଏହି କଥାକୁ ବିଏସ୍ଏଫ୍ର ମହିଳା ଏସ୍ଆଇ ସୁମନ କୁମାରୀ ପ୍ରମାଣିତ କରିଛନ୍ତି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ପ୍ରଥମ ମହିଳା ସ୍ନାଇପର ଭାବେ ସେ ‘ପ୍ରଶିକ୍ଷକ ବର୍ଗ’କୁ ଉନ୍ନୀତ ହୋଇଛନ୍ତି। ନିକଟରେ ଇନ୍ଦୋରର ‘ସେଣ୍ଟ୍ରାଲ୍ ସ୍କୁଲ ଅଫ୍ ୱିପନ୍ସ ଆଣ୍ଡ ଟାକ୍ଟିସ୍’ରେ ୮ ସପ୍ତାହ ଧରି ସ୍ନାଇପର ପ୍ରଶିକ୍ଷଣ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୫୬ଜଣ ବିଏସ୍ଏଫ୍ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁମନ କୁମାରୀ ଏକମାତ୍ର ମହିଳା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହି କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ନିଜର ପାରଦର୍ଶିତା ଦେଖାଇ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଏହାନୁହେଁ ଲକ୍ଷ୍ୟଭେଦରେ ନିଜର କେତେକ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଜନ୍ମିତ ସୁମନ କୁମାରୀ ୨୦୨୧ରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ। ତାଙ୍କ ପିତା ଜଣେ ଇଲେକ୍ଟ୍ରିସିଆନ୍ ଓ ମା’ ଘରକାମ କରନ୍ତି।
ସ୍ନାଇପର ପ୍ରଶିକ୍ଷଣ ନେବା ପଛରେ ତାଙ୍କର ପ୍ରେରଣା ସମ୍ପର୍କରେ ସୁମନ କୁମାରୀ କହିଛନ୍ତି ଯେ ପଞ୍ଜାବ-ପାକିସ୍ତାନ ସୀମାରେ ଏକ ପ୍ଲାଟୁନ୍ର ନେତୃତ୍ବ ନେଇ ପାଟ୍ରୋଲିଂ କରୁଥିବା ବେଳେ ତାଙ୍କ ପ୍ଲାଟୁନ୍ ସୀମାପାର ସ୍ନାଇପରଙ୍କ ଟାର୍ଗେଟକୁ ଆସିଥିଲା। ଏହି ଘଟଣା ତାଙ୍କୁ ବିଚଳିତ କରିଥିଲା ଏବଂ ସେ ଏହାର ଜବାବ ଦେବା ପାଇଁ ସ୍ଥିର କରିଥିଲେ। ସ୍ନାଇପର ଭାବେ ପ୍ରଶିକ୍ଷଣ ନେବାକୁ ଇଚ୍ଛାପ୍ରକାଶ କରି ନିଜର ଉପରିସ୍ଥ ଅଧିକାରୀଙ୍କୁ ସୁମନ ଲେଖିଥିଲେ। ସିଏସ୍ଡବ୍ଲୁଟି ଆଇଜି ଭାସ୍କର ସିଂହ ରାୱତ କହିଛନ୍ତି ଯେ ଯେଉଁମାନେ ଉତ୍କୃଷ୍ଟ ଲକ୍ଷ୍ୟଭେଦ କରିପାରନ୍ତି ସେମାନଙ୍କୁ ଆଲ୍ଫା ଓ ବ୍ରାଭୋ ବର୍ଗ ପ୍ରଦାନ କରାଯାଏ। ପ୍ରଶିକ୍ଷଣ ବର୍ଗ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ହୋଇଥାଏ। ଏହି ପ୍ରଶିକ୍ଷଣ ବର୍ଗରେ ସୁମନ କୁମାରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।