ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଏମ୍‌ସି ମାସିକ ବୈଠକ: ଡେଙ୍ଗୁ ପାଇଁ ଉଠିଲା ପଡ଼ିଲା

ଭୁବନେଶ୍ବର: ଯେତେ ଯାହା କଲେ ବି ଡେଙ୍ଗୁ ବୋଲ ମାନୁନି। ଜଣେ ଶିଶୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନଗର ସ୍ବାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ସମର୍ପିତ ଦଳ କାମ କରୁଥିବା ବେଳେ ବିଏମ୍‌ସି ବି ସଚେତନତା ଠାରୁ ଆରମ୍ଭ କରି ମଶା ଉତ୍ସ ନଷ୍ଟ ଭଳି ଯାବତୀୟ କାର୍ଯ୍ୟକ୍ରମ ଜାରି ରଖିଛି। କିନ୍ତୁ ଡେଙ୍ଗୁର ଚିନ୍ତାଜନକ ସ୍ଥିତିକୁ ନେଇ ଆଜି ବିଏମ୍‌ସିରେ ବସିଥିବା ମାସିକ କର୍ପୋରେସନ ବୈଠକ ଉଠିଛି ପଡ଼ିଛି। ଡେଙ୍ଗୁ ପରିଚାଳନାକୁ ନେଇ ଜନପ୍ରତିନିଧିମାନଙ୍କ ପ୍ରଶ୍ନ କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ସେହିଭଳି ଆବର୍ଜନା ପରିଚାଳନାକୁ ନେଇ ମଧ୍ୟ କର୍ତ୍ତୃପକ୍ଷଙ୍କୁ କର୍ପୋରେଟର ଘେରିଥିବା ବେଳେ ସୀମା ବିବାଦକୁ ନେଇ ବୈଠକ ସରଗରମ ହୋଇଥିଲା। ବର୍ଷା ଜଳ ଅମଳ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ପାଣିରେ ପଡ଼ିଛି ବୋଲି ଅଭିଯୋଗ ହୋଇଥିବା ବେଳେ ୬୩ ନଂ ୱାର୍ଡର ମହିଳା କର୍ପୋରେଟର ବିଭିନ୍ନ ଦାବି ନେଇ ସଭାସ୍ଥଳକୁ ଉଠି ଆସିବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସାଂଘାତିକ ସ୍ଥିତିରେ ଆବର୍ଜନା ପରିଚାଳନା
ଲକ୍ଷ୍ମୀନାରାୟଣ ଭେଣ୍ଡିଂ ଜୋନ୍‌ ବେଆଇନ
ଅତିରିକ୍ତ ପେନ୍‌ସନ୍‌ ପାଇବେ ଅବସରପ୍ରାପ୍ତ କର୍ମଚାରୀ
ବର୍ଷା ଜଳ ଅମଳ ପ୍ରକଳ୍ପରେ ଖର୍ଚ୍ଚ ୧୫ କୋଟିରୁ ବେଶି

ତିନିଟି ଜୋନ୍‌ରେ ବିଏମ୍‌ସି ୨୦୨୧ ଓ ୨୦୨୨ ଦୁଇ ବର୍ଷରେ ୭୩୭ଟି ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି କରିଛି। ସହରର ଭୂତଳ ଜଳସ୍ତର ବୃଦ୍ଧି କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀର ରୋଜଗାର ବୃଦ୍ଧି ନିମନ୍ତେ ବିଏମ୍‌ସି ଏହି ସବୁ ପ୍ରକଳ୍ପରେ ୧୫ କୋଟି ୮୩ ଲକ୍ଷ ୪୪ ହଜାର ୩୨୦ ଟଙ୍କା ଖର୍ଚ୍ଚ କରିଛି। କିନ୍ତୁ ଅଧାରୁ ଅଧିକ ପ୍ରକଳ୍ପ ମାଟିରେ ମିଶି ଯାଇଛି ବା ଅଚଳ ହୋଇଯାଇଛି। ଅର୍ଥାତ୍‌ ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପାଣିରେ ପଡ଼ିଛି। ଏ ନେଇ କର୍ପୋରେଟର ନୃପେଶ ନାୟକ ପ୍ରଶ୍ନ ଉଠାଇବା ପରେ ଦୀର୍ଘ ସମୟ ଧରି ଏହା ଉପରେ ଆଲୋଚନା ହୋଇଥିଲା। ସବୁ ପ୍ରକଳ୍ପ ସଚଳ ଥିବା କର୍ତ୍ତୃପକ୍ଷ ଉତ୍ତର ରଖିଥିଲେ।

ସୀମା ବିବାଦକୁ ନେଇ ହୋ ହଲ୍ଲା ହୋଇଥିଲା। ୱାର୍ଡ ନଂ.୧୬, ୨୦, ୨୧ ଓ ୨୬ର ସୀମାକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଛି। ଗତ ବର୍ଷ ଜୁନ୍‌ ମାସରେ ସୀମା ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ସୀମା ନିର୍ଦ୍ଧାରଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଏମ୍‌ସି ଉତ୍ତର ରଖିଥିଲା କି ଏହାର ଜିପିଏସ୍‌ ସର୍ଭେ ପାଇଁ ସ୍ପାର୍କ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଚିଠି ଲେଖା ଯାଇଥିଲା। କିନ୍ତୁ ଏହା ଜିପିଏସ୍‌ ନୁହେଁ, ଡିଜିପିଏସ୍‌ ସର୍ଭେ କରାଯିବ। ସମ୍ପୃକ୍ତ ସଂସ୍ଥା ଖର୍ଚ୍ଚ ଅଟକଳ ପଠାଇବା ପରେ କାମ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା।

ସରକାରଙ୍କ ନିଷ୍ପତ୍ତି ମୁତାବକ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମୂଳ ପେନ୍‌ସନ୍‌ ଉପରେ ଅତିରିକ୍ତ ପେନ୍‌ସନ୍‌ ପ୍ରଦାନ କରିବାକୁ ଯାଉଛି। ଅବସରପ୍ରାପ୍ତ କର୍ମଚାରୀର ବୟସ ୮୦ରୁ ୮୫ ବର୍ଷ ମଧ୍ୟରେ ହେଲେ ମୂଳ ପେନ୍‌ସନ୍‌ ଉପରେ ଅତିରିକ୍ତ ୨୦ ପ୍ରତିଶତ, ୮୫ରୁ ୯୦ ମଧ୍ୟରେ ହେଲେ ୩୦ ପ୍ରତିଶତ, ୯୦ରୁ ୯୫ ମଧ୍ୟରେ ହେଲେ ୪୦ ପ୍ରତିଶତ, ୯୫ରୁ ୧୦୦ ମଧ୍ୟରେ ହେଲେ ୫୦ ପ୍ରତିଶତ ଓ ଶହେରୁ ଅଧିକ ହେଲେ ମୂଳ ପେନ୍‌ସନ୍‌ ଉପରେ ଶତପ୍ରତିଶତ ଅତିରିକ୍ତ ଅର୍ଥ ମିଳିବ। ଏହା ଉପରେ ଆଜି କର୍ପୋରେସନର ସ୍ବୀକୃତି ମିଳିଛି। ଗତ ବର୍ଷ ଡିସେମ୍ବର ୨୯ ତାରିଖରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିଭଳି ସହିଦନଗର ଭବାନୀ ମଲ୍‌କୁ ନେଇ ବିବାଦ ଦେଖାଦେଇଛି। ଭବାନୀ କନ୍‌ଷ୍ଟ୍ରକସନ୍‌ ପ୍ରା.ଲିଃ ସହ ପିପିପି ମୋଡ୍‌ରେ ହୋଇଥିବା ଏହି ପ୍ରକଳ୍ପରେ ବିଏମ୍‌ସିର ଭାଗ ୫ ପ୍ରତିଶତ ହୋଇଥିବା ବେଳେ ଭବାନୀର ଭାଗ ୯୫ ପ୍ରତିଶତ ରହିଛି। ଏହାକୁ ନିର୍ମାଣ କରିବା ପାଇଁ ଉଚ୍ଛେଦର ଶିକାର ହୋଇଥିବା‌ ସହିଦନଗର ହାଟ ବ୍ୟବସାୟୀଙ୍କୁ ମଧ୍ୟ ଏ ଯାବତ୍‌ ଥଇଥାନ କରାଯାଇ ନାହିଁ। ଏଠାରେ ଖାଲି ହେଉଥିବା ଦୋକାନ ଘର ବିଏମ୍‌ସିର ଅଧିକାରୀମାନେ ନିଜ ଲୋକଙ୍କୁ ଶାଗମାଛ ଦରରେ ଦେଇ ଦେଉଥିବା ଅଭିଯୋଗ ହୋଇଛି। ମେୟର ଓ କମିସନର ଉଭୟ ଘଟଣାସ୍ଥଳ ଯାଞ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାର ତଦନ୍ତ ହେଲେ ଏହା ଭିତରେ ଥିବା କେଳେଙ୍କାରୀ ପଦାକୁ ଆସିବ ବୋଲି କୁହାଯାଉଛି।

ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ, ଡେପୁଟି ମେୟର ମଂଜୁଲତା କହଁର, କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ସାଂସଦଙ୍କ ପ୍ରତିନିଧି ମଦନ ମୋହନ ପ୍ରଧାନ, ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନିଲତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।