ମୁମ୍ବାଇ ୨୪/୦୨ : ଅଭିନେତା ପ୍ରଭାସଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିଦିନ କିଛି ନୂଆ ଖବର ଆସୁଛି। ଏହା ବଲିଉଡ ନିର୍ଦ୍ଦେଶକ ଓମ ରାଉତଙ୍କ ଡ୍ରିମ ପ୍ରୋଜେକ୍ଟ। ଫିଲ୍ମକୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ପ୍ରୋଜେକ୍ଟକୁ ଟି-ସିରିଜ ଫଣ୍ଡ କରୁଛି। ଫିଲ୍ମର ବଜେଟ୍ ୩୫୦ ରୁ ୪୦୦ କୋଟି ମଧ୍ୟରେ ରହିବ ବୋଲି କୁହାଯାଉଛି।
ଏହି ଫିଲ୍ମ ବିଏଫଏକ୍ସ ଓ ଟେକ୍ନିକାଲ ଦୃଷ୍ଟିକୋଣରୁ ଏକ ଏକ୍ସପେରିମେଣ୍ଟ ବୋଲି କୁହାଯାଉଛି। ଆଦିପୁରୁଷରେ 8000 VFX ସଟ୍ସ ରହିବ ଯାହା ‘ବାହୁବଳୀ’ରୁ ବି ଅଧିକ। ବାହୁବଳୀରେ ମୋଟ 2500 VFX ସଟ୍ସ ଥିଲା। ଏଥିରୁ ଅନୁମାନ କରନ୍ତୁ ଫିଲ୍ମରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ସୈଫ ଅଲି ଖାନ ଓ ରାମ ଚରିତ୍ରରେ ଅଭିନୟ କରୁଥିବା ପ୍ରଭାସଙ୍କ ଏହି ଫିଲ୍ମ କେତେ ଭବ୍ୟ ହେବ। ଫିଲ୍ମର ମୋଟ୍ ବଜେଟର ଅଧା VFX ଓ CGI ରେ ଖର୍ଚ୍ଚ ହେବ।
ଫିଲ୍ମରେ ରାମଙ୍କ ଚରିତ୍ରରେ ପ୍ରଭାସ ଅଭିନୟ କରୁଥିବା ବେଳେ ସୀତାଙ୍କ ଚରିତ୍ରରେ କେଉଁ ଅଭିନେତ୍ରୀ କାମ କରିବେ ତାହା ଏବେ ଯାଏଁ ବଛା ଯାଇନାହିଁ। ତେବେ ସୀତାଙ୍କ ଚରିତ୍ର ପାଇଁ ଦୀପିକା ପାଦୁକୋନ ଓ କୀର୍ତ୍ତି ସୁରେଶଙ୍କ ନାଁ ସବୁଠୁ ଉପରେ ରହିଛି। ତେବେ ଫିଲ୍ମ ନିର୍ମାତା ଏବେ ଯାଏଁ ଅଭିନେତ୍ରୀଙ୍କ ନାଁ ଘୋଷଣା କରିନାହାନ୍ତି। ସୈଫ ଅଲି ଖାନ ଲଙ୍କାପତି ରାବଣ ରୂପରେ ନଜର ଆସିବେ। ୩ଡି ଫର୍ମାଟରେ ନିର୍ମାଣ ହେବାକୁଥିବା ଫିଲ୍ମ ୫ଟି ଭାଷା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲାମ ଓ କନ୍ନଡ଼ରେ ରିଲିଜ ହେବ।
ଫିଲ୍ମ ୨୦୨୨ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବ ବୋଲି କୁହାଯାଉଛି। ଫିଲ୍ମର ପ୍ରଯୋଜନା ଦେଉଛନ୍ତି ପ୍ରସାଦ ସୁତାର ଓ ରାଜେଶ ନାୟର। ନିର୍ଦ୍ଦେଶକ ଓମ ରାଉତ କହିଛନ୍ତି ଫିଲ୍ମରେ ରାମଙ୍କ କଥା ସମ୍ପୂର୍ଣ୍ଣ ଭାବେ ବର୍ଣନା କରିବା ସମ୍ଭବ ନୁହେଁ। ସେଥିପାଇଁ ରାମଙ୍କ ଜୀବନର ଗୋଟିଏ ଅଂଶ ଲେଖାଯାଇଛି। ଫିଲ୍ମ ନିଶ୍ଚୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି।