ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ଦାବିରେ ୧୨ଟି ବିରୋଧୀ ରାଜନୈତିକ ଦଳ ପକ୍ଷରୁ ବୁଧବାର ପୂର୍ବାହ୍ନରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ-ଏମଏଲ (ଲିବେରେସନ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଆମ ଆଦମୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତାକ୍ରାନ୍ତି ଦଳ, ଆରପିଆଇ, ସିପିଆଇ-ଏମଏଲ (ରେଡ ଷ୍ଟାର) ପ୍ରମୁଖ ୧୨ଟି ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ।
ଆନ୍ଦୋଳନରେ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଜନାର୍ଦ୍ଦନ ପତି, ଲକ୍ଷ୍ମଣ ମୁଣ୍ଡା, ଆଶିଷ କାନୁନଗୋ, ଜୟନ୍ତ ଦାସ, ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ନିଶିକାନ୍ତ ମହାପାତ୍ର, ରବି ବେହେରା, ସୁଦର୍ଶନ ପ୍ରଧାନ, ହରୀଶ ମହାପାତ୍ର, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ, ଅମୀୟ ପାଣ୍ଡବ, ବିଶ୍ୱଜିତ ଦାସ, ପ୍ରଭାତ ପାଣିଗ୍ରାହୀ ଓ ସୁରେଶ ରାଉତରାୟ ପ୍ରମୁଖ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ।
ବିରୋଧୀ ଦଳମାନଙ୍କ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତବାରିସି ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବା, ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ପ୍ରସଙ୍ଗ ରହିଛି। ସେହିଭଳି ସମସ୍ତ ମୃତକମାନଙ୍କର ନାମ ତାଲିକା ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାରେ ଦୈନିକ ଖବର କାଗଜରେ ପ୍ରକାଶ କରିବା ଏବଂ ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟେକ ମୃତକ ପରିବାରକୁ ତତ୍କ୍ଷଣାତ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସମସ୍ତ ଆହତ ମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ପ୍ରଦାନ ଦାବି ରହିଛି। ସେହିଭଳି ପ୍ରତ୍ୟେକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳ ବିଭାଗରେ ଖାଲି ପଡ଼ିଥିବା ୩ଲକ୍ଷ ୧୨ହଜାର ପଦବି ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମିର ବିକାଶ, ରେଳ ଧାରଣାର ରକ୍ଷଣାବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ ‘କବଚ’ ବ୍ୟବହାର କରିବା, ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା ଆଦି ଦାବି କରାଯାଇଥିଲା।