ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାନଗା ଦୁର୍ଘଟଣା: ଦିନ ୧୫ଟାରେ ସବୁକିଛି ଶିଥିଳ, ଦିଲ୍ଲୀ ଫେରିଗଲେ ୨ ସିବିଆଇ ଅଧିକାରୀ

ଭୁବନେଶ୍ବର : ଲୋମଟାଙ୍କୁରା ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାକୁ ୧୫ ଦିନ ବିତି ଗଲାଣି। କାହିଁକି, କେମିତି ଦୁର୍ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ? ସାରା ରାଜ୍ୟବାସୀ ଏଭଳି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଥିବା ବେଳେ ଦୁର୍ଘଟଣା ପଛର ରହସ୍ୟ ଉପରୁ ପରଦା ଉଠାଇ ପାରିଲାନି ସିବିଆଇ। ଦୋଷୀକୁ ଛଡ଼ାଯିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳ ପରିଦର୍ଶନରେ ଆସି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏପରିକି ଦୁର୍ଘଟଣାର କାରଣ ଜଣାପଡ଼ିବା ସହ ଦୋଷୀ ମଧ୍ୟ ଚିହ୍ନଟ ହୋଇଛି ବୋଲି କହିଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପରେ ସେହିଦିନ ସନ୍ଧ୍ୟାରେ ସିବିଆଇ ତଦନ୍ତ ସୁପାରିସ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଆରମ୍ଭରୁ ସମସ୍ତେ ଯେଉଁଭଳି ଭାବେ ତତ୍ପରତା ଦେଖାଇଲେ, ଜଣାପଡ଼ୁଥିଲା ଦୋଷୀ ଅଧିକ ସମୟ ଲୁଚି ରହିପାରିବନାହିଁ। ହେଲେ ଦୁଇ ସପ୍ତାହ ପରେ ଆଜିର ଚିତ୍ର କହୁଛି, ଏହି ଘଟଣାର ପ୍ରସଙ୍ଗକୁ ନେଇ ଆଉ କେହି ସେମିତି ତତ୍ପର ନାହାନ୍ତି। ସିବିଆଇ ତଦନ୍ତକୁ ନେଇ ସେବେ ବିରୋଧୀ ଯେଉଁ ସନ୍ଦେହ ପ୍ରକଟ କରୁଥିଲେ,ତାହା ଯେ ସମ୍ପୂର୍ଣ୍ଣ ଅମୂଳକ ନୁହେଁ, ଏ ଚର୍ଚ୍ଚା ବି ଆରମ୍ଭ ହେଲାଣି।

ଏହି ଦୁର୍ଘଟଣା ସାରାବିଶ୍ବକୁ ଦୋହଲାଇ ଦେଇଥିଲା। ଯାହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ମଧ୍ୟ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସେ ପ୍ରସଙ୍ଗ ଆଉ କେହି ଉଠାଉନାହାନ୍ତି। ଏପଟେ ୮୧ ମୃତଦେହର ପରିଚୟ ମିଳିନାହିଁ।ପରିଜନ ଡିଏନ୍‌ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି। କେବଳ ସେତିକି ନୁେହଁ ବିହାର ଓ ପଶ୍ଚିମବଙ୍ଗ ସରକାର ଯେଉଁ ୧୧୯ ଜଣଙ୍କର ନିଖୋଜ ଅଭିଯୋଗ ଆଣିଥିଲେ ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ସେହିଭଳି ଚିକିତ୍ସାଧୀନ ଆହତମାନଙ୍କ ମଧ୍ୟରୁ ଇତିମଧ୍ୟରେ ଦୁଇଜଣ ଆଖି ବୁଜିଦେଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ସିବିଆଇ ଏହି ମାମଲାରେ ସାମାନ୍ୟତମ ସୁରାକ୍ ପାଇପାରିନାହିଁ। ଏପରିକି ରେଳ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ତଦନ୍ତକାରୀ ଦଳକୁ ସଠିକ୍ ତଥ୍ୟ ଦେଇପାରୁନାହାନ୍ତି। ଯାହାଫଳରେ, ସିବିଆଇ ତଦନ୍ତକୁ ଆଗେଇ ପାରୁନାହିଁ। ଷ୍ଟେସନ ମାଷ୍ଟରଙ୍କ ସମେତ ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେମାନଙ୍କ ଠାରୁ ସଠିକ୍ ତଥ୍ୟ ମିଳି ପାରୁନାହିଁ। ସିଗ୍‌ନାଲ, ରିଲେ ରୁମ୍, ଅଟୋମେଟିକ୍‌ ସୁଇଚ୍ ବୋର୍ଡ ଜବତ କରିଥିଲେ ମଧ୍ୟ ସେଥିରୁ ବିଶେଷ ସୁଫଳ ପାଇପାରୁନି ସିବିଆଇ। ଯାହାଫଳରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ସିବିଆଇ ପାଇଁ କଷ୍ଟକର ହୋଇପଡ଼ିଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀରୁ ଆସିଥିବା ସିବିଆଇ ଟିମ୍‌ର କେତେକ ଅଫିସର ଫେରି ଯାଇଛନ୍ତି। ପ୍ରାଥମିକ ଯାଞ୍ଚ ପରେ ଏହି ଅଫିସର ଫେରି ଯାଇଥିଲେ ହେଁ ପୁଣି ଫେରିବେ ବୋଲି କୁହାଯାଉଛି। କିନ୍ତୁ ଏତେ ବଡ଼ ଦୁର୍ଘଟଣା ଉପରୁ କେବେ ପରଦା ଉଠିବ, ସେନେଇ କିଛି ସ୍ପଷ୍ଟ ସୂଚନା ସିବିଆଇ ପକ୍ଷରୁ ଆଉ ଦିଆଯାଉନାହିଁ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପାଇଁ ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ଉତ୍ତର ମିଳି ପାରିନାହିଁ। ଏଠାରେ ପ୍ରଶ୍ନ ଉଠୁଛି ରେଳ ଦୁର୍ଘଟଣା ସଂକ୍ରାନ୍ତରେ ସିବିଆଇ ପାଖରେ ସେଭଳି କିଛି ଜ୍ଞାନକୌଶଳ ନ ଥିବାବେଳେ କାହିଁକି ତଦନ୍ତଭାର ଦିଆଯାଇଥିଲା? ସିବିଆଇ ମାମଲାର ପର୍ଦ୍ଦାଫାସ୍ କରିପାରୁ ନ ଥିବା ବେଳେ ଏହାପରେ କି ପଦକ୍ଷେପ ନିଆଯିବ? ଏତେ ବଡ଼ ଦୁର୍ଘଟଣା ପଛରେ ଷଡ଼୍‌ଯନ୍ତ୍ର ରହିଥିବା ରେଳ ଅଧିକାରୀ ମଧ୍ୟ ସନ୍ଦେହ କରିଥିଲେ।

ସୂଚନାଯୋଗ୍ୟ, ଚଳିତମାସ ୨ ତାରିଖ ସନ୍ଧ୍ୟାରେ ବାହାନଗା ଷ୍ଟେସନରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା। ଏଥିରେ ୨୮୮ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶହଶହ ସଂଖ୍ୟାରେ ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବି ମେଡିକାଲ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏଥିସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।