ବାହାନଗା ରେଳ ଦୁର୍ଘଟଣାକୁ ୪୮ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଏବେ ବି ବହୁ ଶବ ପରିଚୟ ଅପେକ୍ଷାରେ ରହିଛନ୍ତି। ଶବଗୁଡ଼ିକୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କୁ ହସ୍ତାନ୍ତର କରିବା ପାଇଁ ୧୫୦ରୁ ଊର୍ଦ୍ଧ୍ବ ଶବ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଶବାଗୃହରେ ରଖାଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅଧିକାଂଶ ଆହତଙ୍କୁ ଏଠାରେ ଚିକିତ୍ସା କରାଯାଉଛି। ତେଣୁ ଏହି ଘଟଣା ଉପରେ ଥିବା ପୂରା ବିଶ୍ବର ନଜର ଆଜି ବାହାନଗାରୁ ହଟି ଭୁବନେଶ୍ବର ଉପରେ ରହିଥିଲା। ଶବ ସ୍ଥାନାନ୍ତର, ଚିହ୍ନଟଠାରୁ ଆରମ୍ଭ କରି ଆତ୍ମୀୟ ସ୍ବଜନଙ୍କ ଗହଳି, ଆହତଙ୍କ ଚିକିତ୍ସା ସେବା ସମୀକ୍ଷା ପାଇଁ ନେତା-ମନ୍ତ୍ରୀଙ୍କ ଗସ୍ତ, ସମ୍ପର୍କୀୟଙ୍କୁ ସମସ୍ତ ସୂଚନା ଯୋଗାଇଦେବା ଓ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବିଏମ୍ସିର ତତ୍ପରତା ଆଜି ଦିନତମାମ ରାଜଧାନୀରେ ଦେଖିବାକୁ ମିଳିଥିଲା। ରେଳ ଦୁର୍ଘଟଣା ସଂପର୍କରେ ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଉପରେ ମଧ୍ୟ ସମସ୍ତଙ୍କର ଆଖି ରହିଥିଲା। ସବୁଠାରୁ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଶବ ସଂରକ୍ଷଣ ଗୃହରେ। କାନ୍ଦବୋବାଳିରେ ଫାଟି ପଡ଼ିଥିଲା ହସ୍ପିଟାଲ ପରିସର। ଏଣେ ଫସି ରହିଥିବା ଲୋକଙ୍କୁ ମାଗଣାରେ କୋଲକାତା ପଠାଇବାକୁ ସରକାର ଘୋଷଣା କରିବା ପରେ ଏହାକୁ ଶୃଙ୍ଖଳିତ କରିବା ପାଇଁ ରାସ୍ତାର ବିଭିନ୍ନ ଜାଗାରେ ପରିବହନ ବିଭାଗର ଅଧିକାରୀମାନେ ଛିଡ଼ା ହେବା ସହ ବସ୍ରେ ଚଢ଼ଉ ଜାରି ରଖିଥିଲେ।
କ୍ୟାପିଟାଲ ହସ୍ପିଟାଲରେ ୧୪ ମୃତଦେହ: କାନ୍ଦବୋବାଳିରେ ଫାଟି ପଡ଼ିଲା
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୧୪ଜଣଙ୍କ ଶବ କ୍ୟାପିଟାଲ ହସ୍ପିଟାଲ ଶବାଗାରରେ ରଖାଯାଇଛି। ସେଥିମଧ୍ୟରୁ ଆଜି ୩ଟି ଶବ ଚିହ୍ନଟ କରାଯାଇଛି। ମୃତଦେହ ଚିହ୍ନଟ ସମୟରେ ପରିବାରଲୋକ ନିଜ ପରିଜନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଦେଖି କୋହ ସମ୍ଭାଳି ପାରି ନଥିଲେ। କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ। ପାଖରେ ଥିବା ପୁଲିସ ଓ ଅନ୍ୟ କର୍ମଚାରୀମାନେ ଆଶ୍ବାସନା ଦେଇଥିଲେ ସୁଦ୍ଧା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।
ଚିହ୍ନଟ ହେଲା ୩, ଗୋଟିଏ ହସ୍ତାନ୍ତର
ଦୁର୍ଘଟଣାରେ ନିଖୋଜ ପ୍ରିୟଜନଙ୍କୁ ଖୋଜି ଖୋଜି ପ୍ରଥମେ ବାଲେଶ୍ବର ହସ୍ପିଟାଲ, ପରେ ଭଦ୍ରକରେ ଖୋଜାଖୋଜି କରିବା ପରେ ଆଜି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଚିହ୍ନଟ ହୋଇଥିବା ମୃତକ ହେଲେ, ବିହାର ପୁନିଆ ଜିଲ୍ଲା ଭବାନୀପୁର ଥାନା ସୁଣ୍ଡିହା ଗ୍ରାମର ମିଥିଲେଶ ରାମ(୨୨)। ତାଙ୍କ ଭାଇ ଓ ସମ୍ପର୍କୀୟ ଆସି ମୃତଦେହ ନେଇଛନ୍ତି। ସେହିପରି ଆଉ ଦୁଇଟି ମୃତଦେହ ଚିହ୍ନଟ କରାଯାଇଥିଲେ ସୁଦ୍ଧା ସମ୍ପର୍କୀୟ ଆସି ନ ଥିବାରୁ ମୃତଦେହ ହସ୍ତାନ୍ତର କରାଯାଇ ନାହିଁ।
ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ରାତି ତମାମ୍ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟ ଘରୋଇ ହସ୍ପିଟାଲରେ ଥିବା ମୃତଦେହଗୁଡ଼ିକ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ହେବ। ଏଥିପାଇଁ ଶବ ବ୍ୟବଚ୍ଛେଦ ଗୃହରେ ଆଲେକୀକରଣ କରାଯିବା ସହ ଆବଶ୍ୟକ କର୍ମଚାରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
କ୍ୟାପିଟାଲ ହସ୍ପିଟାଲକୁ ଟ୍ରେନ୍ ଦୁର୍ଘଟଣାରେ ଆହତ ୬ଜଣ ଆସିଥିବା ବେଳେ ୫ଜଣ ସାମାନ୍ୟ ଆହତ ଓ ଜଣେ ଗୁରୁତର ଅଛନ୍ତି। ୫ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗୁରୁତରଙ୍କୁ ଏକ ସ୍ବତନ୍ତ୍ର କ୍ୟାବିନ୍ରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ହେଲେ ଖାରବେଳନଗର ଅଞ୍ଚଳର ସତ୍ୟାନନ୍ଦ ସାହୁ। ଦୁର୍ଘଟଣାରେ ତାଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସି ସତ୍ୟାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସତ୍ୟାନନ୍ଦ କହିଛନ୍ତି ଯେ ସେ ବାଲେଶ୍ବରରୁ କରମଣ୍ଡଳ ଏକ୍ସପ୍ରେସରେ ଆସୁଥିଲେ। ୧୦-୧୫ ମିନିଟ୍ ପରେ ସେ ବସିଥିବା ବଗିଟି ଓଲଟି ପଡ଼ିଥିଲା। ପରେ ସେ ସଂଜ୍ଞାହୀନ ହୋଇଯାଇଥିଲେ। କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ସେଠାରେ କିଛି ସମୟ ରହିବା ପରେ ଜଣେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଏକ ବସ୍ରେ ଭୁବନେଶ୍ବର ପଳାଇ ଆସିଥିଲେ। ରାତି ପ୍ରାୟ ୨ଟା ୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚି କିଛି ସାଙ୍ଗଙ୍କ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ମା’ ସାମ୍ନାରେ ଆଖି ବୁଜିଲା ପୁଅ
ଭୁବନେଶ୍ବର: ମା’ ଓ ପୁଅ ଉଭୟ ଟ୍ରେନରେ ଯାତ୍ରା କରୁଥିଲେ। ମା’ଙ୍କ ସମ୍ମୁଖରେ ଭେଣ୍ଡିଆ ପୁଅ ନୀହାରର ଜୀବନ ଚାଲିଗଲା। ପାଖରେ ଅନ୍ୟ କୌଣସି ସମ୍ପର୍କୀୟ ନଥିଲେ। ସକାଳେ ନୀହାରଙ୍କ ମରଶରୀର ବାଲେଶ୍ବରରୁ ଭୁବନେଶ୍ବର ଏମ୍ସରେ ଆସି ପହଞ୍ଚିବା ପରେ ମା’ ଆସି ଶବ ଚିହ୍ନଟ କରିଥିଲେ। ମାତ୍ର ନିଜ ଘର କେନ୍ଦୁଝରକୁ କେମିତି ନେବେ, ଜାଣିପାରୁନଥିଲେ। ସ୍ଥାନୀୟ ସମାଜସେବୀ ଋଷି ମଙ୍ଗରାଜଙ୍କ ସହଯୋଗରେ ପୁଅର ଶବକୁ ନେଇ ଫେରିଛନ୍ତି।
ଫର୍ମାଲିନ୍ ସଂକଟ
ଭୁବନେଶ୍ବର: ଫର୍ମାଲିନ୍ ଅଭାବକୁ ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୪ଟି ଶବ ଏହି ହସ୍ପିଟାଲ ଶବାଗୃହରେ ସଂରକ୍ଷିତ କରାଯାଇଛି। କିନ୍ତୁ ମୃତଦେହକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ କରିବା ପାଇଁ ବ୍ୟବହାର ହେଉଥିବା ଫର୍ମାଲିନ୍ ଆବଶ୍ୟକ ପରିମାଣର ନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ସାଧାରଣତଃ ଗୋଟିଏ ଶବ ସଂରକ୍ଷଣ ପାଇଁ ୧ରୁ ୨ ଲିଟର ପର୍ଯ୍ୟନ୍ତ ଫର୍ମାଲିନ୍ ବ୍ୟବହାର କରାଯାଇଥାଏ। କିନ୍ତୁ ଭୁବନେଶ୍ବର ଆସିବାରେ ବିଳମ୍ବ ହୋଇଥିବାରୁ ଶବଗୁଡ଼ିକର ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏ ପରିସ୍ଥିତିରେ ଶବ ପିଛା ଅଧିକ ଫର୍ମାଲିନ୍ର ଆବଶ୍ୟକତା ରହିଛି। କିନ୍ତୁ ସେ ତୁଳନାରେ ହସ୍ପିଟାଲରେ ଫର୍ମାଲିନ୍ ଗଚ୍ଛିତ ନଥିବା ଜଣାଯାଇଛି। ପୂର୍ବରୁ ହସ୍ପିଟାଲରେ ୫-୬ ଲିଟର ଫର୍ମାଲିନ୍ ଷ୍ଟକ୍ ରହିଥିବା ବେଳେ ସନ୍ଧ୍ୟାରେ ଆଉ ୩୦ ଲିଟର ଆସିଥିବା ଜଣାଯାଇଛି। ହଠାତ ଏତେ ସଂଖ୍ୟାରେ ମୃତଦେହ ଆସିଯିବାରୁ ଏ ପ୍ରକାର ସଂକଟ ଦେଖାଦେଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଫର୍ମାଲିନ୍ ଏକପ୍ରକାର ରସାୟନ। ଶବକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ପାଇଁ ଏହାର ବ୍ୟବହାର ହୋଇଥାଏ। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ମାଛ ସଂରକ୍ଷଣରେ ଏହାକୁ ବ୍ୟବହାର କରିବାରୁ ଖୋଲା ବଜାରରେ ଏହାର ବିକ୍ରିକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି।
ଦୁଇଦିନରେ ୫୩୦ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ରକ୍ତ ଯୋଗାଇ ଦେବାକୁ କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍ବ୍ୟାଙ୍କ ବିଭାଗ ଦୁଇ ଦିନ ମଧ୍ୟରେ ପ୍ରାୟ ୫୩୦ ୟୁନିଟ୍ ରକ୍ତ ସଂଗ୍ରହ କରିଛି। ଗତକାଲି ସ୍ବେଚ୍ଛାସେବୀଙ୍କଠାରୁ ୨୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଜି ୨୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ବର୍ତ୍ତମାନ ହସ୍ପିଟାଲର ବ୍ଲଡ୍କ୍ୟାଙ୍କରେ ମୋଟ ୭୦୦ ୟୁନିଟ୍ ରକ୍ତ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଲେଶ୍ବର, ଭଦ୍ରକ ଓ କଟକରେ ରକ୍ତ ଆବଶ୍ୟକ ହେଲେ ସେଠାକୁ ରକ୍ତ ପଠାଇବା ପାଇଁ ମଧ୍ୟ ଏକ ଗାଡ଼ି ପ୍ରସ୍ତୁତ ରହିଛି।