ରାଜ୍ୟ

ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ପାଣ୍ଡିଆନଙ୍କ ପ୍ରଚାର: ନିର୍ବାଚନ ଆସିଲେ ବିରୋଧୀ ଅଭିନୟ କରନ୍ତି

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଭି କେ ପାଣ୍ଡିଆନ ଆଜି ବାଲେଶ୍ବର ସଂସଦୀୟ କ୍ଷେତ୍ର ଅଧୀନସ୍ଥ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଧୂଅଁାଧାର ପ୍ରଚାର କରିଛନ୍ତି। ଏହି ପ୍ରଚାର ସମୟରେ ସେ ବିଜେପିକୁ ଟାର୍ଗେଟ୍‌ କରିବା ସହିତ ଗତ ୧୦ ବର୍ଷରେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅପାରଗତା ବିଷୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ପ୍ରତି ନିର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି। ବିଜେପିକୁ ଲକ୍ଷ୍ୟ କରି ଶ୍ରୀ ପାଣ୍ଡିଆନ କହିଥିଲେ, ସେମାନେ ନିର୍ବାଚନ ହେଲେ ଆସୁଛନ୍ତି, ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ଆସିଲେ ସେମାନଙ୍କର ଅଭିନୟ ଆରମ୍ଭ ହୋଇଥାଏ। ସେମାନେ କଥା କଥାରେ କାନ୍ଦି ପକାଇବେ। କିନ୍ତୁ ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖା ମିଳିବନାହିଁ। ବାହାରୁ ଆସୁଥିବା ନେତା ଆସି ବଡ଼ ବଡ଼ କଥା କହୁଛନ୍ତି। ନବୀନବାବୁଙ୍କ ମାଗଣା ବିଜୁଳି କଥା ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଯାଇଛି।

କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ପାଣ୍ଡିଆନ କହିଥିଲେ, ଦରଦାମ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ବ। ଡାଲି ଦର କମିଲା କି? ତେଲ ଦର କମିଲା କି? ଏଲ୍‌ପିଜି ଦର କମିଲା କି? କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି। କେନ୍ଦ୍ର ସରକାର କହିଥିଲେ ପ୍ରତିବର୍ଷ ଦୁଇ କୋଟି ଚାକିରି ଦେବେ। ଦଶ ବର୍ଷରେ କୋଡ଼ିଏ କୋଟି। ଓଡ଼ିଶା ଭାଗ ପଡ଼ିଥା’ନ୍ତା ୮୦ ଲକ୍ଷ। ବାଲେଶ୍ବର ଭାଗ ପଡ଼ିଥାନ୍ତା ୬ ଲକ୍ଷ। ଯଦି କୌଣସି ନିର୍ବାଚନମଣ୍ଡଳୀରରୁ ହଜାରେ ଲୋକ ଚାକିରି ପାଇଥିବେ, ତେବେ ମୁଁ ଚାକିରି ଛାଡିଦେବି ବୋଲି ସେ କହିଥିଲେ।

ସବୁ ସଭାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍‌ କରି ସେ କହିଥିଲେ, ଗତଥର ଆପଣମାନେ ଯାହାଙ୍କୁ ସାଂସଦ କରିଥିଲେ, ସେ ଆପଣଙ୍କ ସୁଖଦୁଃଖରେ ସାମିଲ ହେଲେ କି ? ସେ କେନ୍ଦ୍ରରେ ମନ୍ତ୍ରୀ ରହିଲେ। କିନ୍ତୁ ଏ ଅଞ୍ଚଳ ପାଇଁ କିଛି କଲେ ନାହିଁ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ହେଉ ବା ଜବାହର ନବୋଦୟ ବିଦ୍ୟାଳୟ ହେଉ, କିଛି କଲେ ନାହିଁ। ମୋବାଇଲ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ମଧ୍ୟ କିଛି କଲେ ନାହିଁ। ପାଣ୍ଡିଆନ୍ କହିଥିଲେ, ନବୀନ ବାବୁ ଆପଣଙ୍କ ସୁଖଦୁଃଖରେ ସାମିଲ ଅଛନ୍ତି। ଆପଣମାନଙ୍କ ଯାହାବି ଅସୁବିଧା ଅଛି ତାହା ଦୂର ହେବ, ଏଇଟା ନବୀନବାବୁଙ୍କ ଗ୍ୟାରେଣ୍ଟି। ବାହାରୁ ନେତା ଆସି କହୁଛନ୍ତି କେନ୍ଦ୍ରାପଡ଼ାରେ, ଜଗତସିଂହପୁରରେ ଓ ଭଦ୍ରକରେ ମେଡିକାଲ କଲେଜ କରିବେ। ଯିଏ ୩ ରୁ ୧୩ ଟି ମେଡିକାଲ କଲେଜ କରିଛନ୍ତି, ସେଇ ନବୀନବାବୁ ୩୦ଟା ମେଡିକାଲ କଲେଜ ମଧ୍ୟ କରିପାରିବେ। ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ବିଶ୍ବବିଦ୍ୟାଳୟ କରିବୁ। ସେମାନେ ୧୦ ବର୍ଷ କ୍ଷମତାରେ ଥିଲେ, ଚାହିଁଥିଲେ ଆଗରୁ କରିପାରିଥା’ନ୍ତେ। ଓଡ଼ିଶାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହୋଇଛନ୍ତି।

ସେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ କେନ୍ଦ୍ରୀୟ ପ୍ରତିଷ୍ଠାନ କରିଛନ୍ତି କି? ନବୀନବାବୁ କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବେ। ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ.ରେ ସମସ୍ତଙ୍କୁ ସାମିଲ କରିବେ, ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା, ଚତୁର୍ଥ ଦସ୍ତଖତରେ ଯୁବପିଢ଼ି ପାଇଁ ଖୁସି ଖବର ଆଣିଦେବେ, ନୂଆ-ଓ ଛାତ୍ରବୃତ୍ତି ରାଶି ପରିମାଣକୁ ବୃଦ୍ଧି କରିବେ। ବସ୍ତାରେ ସେ କହି‌ଲେ, ବିରୋଧୀ କହୁଛନ୍ତି କେମିକାଲ ପ୍ଲାଣ୍ଟ ପାଇଁ ଆପଣମାନେ ବିସ୍ଥାପିତ ହେବେ। ମୁଁ ଏଠାରେ କହି ରଖୁଛି ଯେ, କେମିକାଲ୍‌ ପ୍ଲାଣ୍ଟ ପାଇଁ ଜଣେ ବି ବିସ୍ଥାପିତ ହେବେ ନାହିଁ, ଏହା ନବୀନ ଗ୍ୟାରେଣ୍ଟି। ବସ୍ତା ଓ ବାଲିଆପାଳକୁ ଏନ.ଏ.ସି. ମାନ୍ୟତା ଦିଆଯାଇଛି। ଭୋଗରାଇରେ ସେ କହିଥିଲେ, ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରିବା ଲୋକ। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆମେ କାମ କରୁଛୁ। ଭୁଷଣ୍ଡେଶ୍ୱର ମନ୍ଦିର କାମ ଚାଲିଛି। ଭୋଗରାଇ ସଂସ୍କାର ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା, ଓଡ଼ିଶା କୋଷ୍ଟ କେନାଲ ପ୍ରକଳ୍ପ ପାଇଁ ୨୧୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ପାନଚାଷୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି।

ନୀଳଗିରିରେ ପାଣ୍ଡିଆନ କହିଥିଲେ, ଆପଣମାନଙ୍କର କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ, ଜାହିରା ଆଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ଏହା ବାଦ୍ ପଞ୍ଚଲିଙ୍ଗେଶ୍ବର ମନ୍ଦିର ପାଇଁ ୧୬ କୋଟି, ନୀଳଗିରି ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି, ଶାଳନ୍ଦୀ ବାମପାର୍ଶ୍ବ କେନାଲ ପାଇଁ ୨୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଜଳେଶ୍ବରରେ ସେ କହିଥିଲେ, ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି। ନଦୀରେ ପଥର ପ୍ୟାକିଂ କରାଯାଇଛି। ବଡ଼ସାହିରେ ସେ କହିଥିଲେ, ବେତନଟୀକୁ ଏନ୍‍ଏସି ମାନ୍ୟତା ସହ ସୋନୋ ବ୍ୟାରେଜ ପାଇଁ ୭୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ଏବଂ ମାଣିତ୍ରୀ ଶିବ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରେମୁଣାରେ ମଧ୍ୟ ଏକ ନିର୍ବାଚନୀ ସଭାରେ ପାଣ୍ଡିଆନ ସାମିଲ ହେବା ସହ ସନ୍ଧ୍ୟାରେ ବାଲେଶ୍ବରରେ ଏକ ରୋଡ୍‌ ସୋ’ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।