ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଅଧିନ ତରଭା ଗାଁ ଲୋକେ ଏବେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର । ଗାଁ ନିକଟ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିଲେ । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖିବୁଜି ବସିଥିବାବେଳେ କିଛିଦିନ ତଳେ ଗାଁ ଲୋକେ ମିଳିମିଶି ଘାଟ ନିକଟରେ ପ୍ରତିବାଦ କରିଥିଲେ । ସେହିଦିନ ଠାରୁ ବାଲି ଉଠାଣ ବନ୍ଦ ରହିଛି ।
ହେଲେ ଗାଁ ଲୋକଙ୍କ ପ୍ରତି ଆକ୍ରୋଶ ରଖି ଯାତାୟାତ ସମୟରେ ମାଫିଆ ମାନେ ଲୋକଙ୍କୁ ଟେକା ପଥର ମାରିବା ସହ ବାଇକ୍ ରାସ୍ତାରେ ଅଟକାଇ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏବେ ଗାଁ ଲୋକେ ମାଫିଆଙ୍କ ଭୟରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଆଜି ବାଧ୍ୟ ହୋଇ ଗାଁ ଲୋକେ ମାଫିଆଙ୍କ ଦୌରାତ୍ମ୍ୟ ସମ୍ପର୍କରେ ଆନନ୍ଦପୁର ଥାନା ଅଧିକାରୀ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ନିଜ ସୁରକ୍ଷା ଦାବି କରିଛନ୍ତି ଗ୍ରାମବାସୀ । ତୁରନ୍ତ ବାଲିଘାଟ ରାସ୍ତାରେ ଡ୍ରେନ୍ ଖୋଲାଯାଇ ବାଲିଚୋରି ରୋକିବାକୁ ପଦକ୍ଷେପ ନେବା ସହ ଏସଡିପିଓଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।