କଟକ: ଇଣ୍ଡିଆନ ଆଇଡଲରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଡାକ୍ତର ରୋହନ ବିଶ୍ବାଳଙ୍କ ସଂଗୀତର ମୂର୍ଚ୍ଛନା ଆଉ ଶୀତଲ ପାତ୍ରଙ୍କ ନୃତ୍ୟ ବିଚିତ୍ରା ଗୁରୁବାର ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚ ସମ୍ମୁଖ ଦର୍ଶକଙ୍କ ମନରେ ଉତ୍ସାହ, ଉତ୍କଣ୍ଠା ଆଉ ଉନ୍ମାଦନା ଭରି ଦେଇଥିଲା। ଡାକ୍ତର ବିଶ୍ବାଳଙ୍କ କଣ୍ଠ ନିସୃତ ‘ନଜା ନଜା ରାଧିକା…, କେସେ ହୁଆ ତୁ ଇତ୍ନା ଜରୁରୀ… ଭଳି ହିଟ୍ ଗୀତ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ପ୍ରଦାନ କରିଥିଲା। ଡାକ୍ତର ବିଶ୍ବାଳ ନିଜେ ଗାଇବା ସହିତ ଦର୍ଶକମାନଙ୍କୁ ଗାଇବାର ଅବସର ସୃଷ୍ଟି କରିଥିଲେ।
ଏହା ସହ ନୃତ୍ୟଶିଳ୍ପୀ ଶୀତଲ ପାତ୍ର ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ହଜାର ହଜାର ଦର୍ଶକଙ୍କୁ ବୈଷ୍ଣବ ପାଣି ମଞ୍ଚ ମନସ୍କ କରିଥିଲେ। ଓଡ଼ିଶୀ ନୃତ୍ୟ ମଣ୍ଡଳ ପକ୍ଷରୁ ଗୁରୁ ଆଶିଷ ଦାସଙ୍କ ନିର୍ଦ୍ଦେଶିତ ଓଡ଼ିଶୀ ନୃତ୍ୟ, ଅଙ୍କିକା ନୃତ୍ୟାନୁଷ୍ଠାନର ଓଡ଼ିଶୀ ଅଭିନୟ ଆଜି ବାଲିଯାତ୍ରା ଚତୁର୍ଥ ସଂଧ୍ୟାର ଥିଲା ମୁଖ୍ୟ ଆକର୍ଷଣ। ଏହା ବ୍ୟତୀତ ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚରେ ଇଣ୍ଡିଆନ ଆଇଡଲ୍ ସୋହିନୀ ମିଶ୍ର ଓ କୁଲଦୀପ ପଟ୍ଟନାୟକଙ୍କ ସଂଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଭୋର କରିଥିଲା।