ରାଜ୍ୟ

ବାରିପଦା ସହରରେ ବୁଲିଲା ଦନ୍ତା: ୩ ଘଣ୍ଟା ଧରି ଆତଙ୍କ ଖେଳାଇଲା, ଭାଙ୍ଗିଲା ହାଇସ୍କୁଲ ପାଚେରି ଓ ଗ୍ରିଲ୍‌

ବାରିପଦା: ହାତୀ ଭଳି ବିଶାଳକାୟ ପ୍ରାଣୀ ପାଇଁ ଜଙ୍ଗଲରେ ଆଉ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ କିମ୍ବା ଜଳ ମିଳୁନି। ତେଣୁ ଜଙ୍ଗଲ ଛାଡ଼ି ହାତୀପଲ ଜନବସତିମୁହାଁ ହେଉଛନ୍ତି। ଗୁରୁବାର ତାର ଝଲକ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ। ଏକ ବିରାଟ ଦନ୍ତାହାତୀ ସହର ରାଜରାସ୍ତାରେ ଅବାଧ ବିଚରଣ କରିବା ସହ ୩ ଘଣ୍ଟା ଧରି ଆତଙ୍କ ଖେଳାଇଥିଲା। ଗତକାଲି ରାତିରେ ସହର ଉପକଣ୍ଠ ଲକ୍ଷ୍ମୀପୋଷି ଅଞ୍ଚଳରେ ହାତୀପଲ ବୁଲୁଥିବା ବେଳେ ସେଥିରୁ ଏହି ଦନ୍ତାଟି ଅଲଗା ହୋଇ ଆଜି ଭୋର୍‌ ପ୍ରାୟ ୪ଟା ସମୟରେ ବାରିପଦା ସହରର ଦରଗାଡାହି, ବସ୍‌ଷ୍ଟାଣ୍ଡ ଦେଇ ଏମ୍‌କେସି ହାଇସ୍କୁଲ ଫାଟକ ଭାଙ୍ଗି ଭିତରେ ପଶିଯାଇଥିଲା। ସ୍କୁଲ ପାଚେରି ଓ ଗ୍ରିଲ୍ ଭାଙ୍ଗିବା ସହ ଏଣେତେଣେ ଧାଁଦୌଡ଼ କରିଥିଲା। ଦନ୍ତାର ଉଗ୍ରରୂପ ଦେଖି ସ୍କୁଲ ପରିସର ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଓ କର୍ମଚାରୀ ଭୟଭୀତ ହୋଇ ପଡ଼ିଥିଲେ। ସେପଟେ ସହର ଭିତରେ ହାତୀ ପଶିଥିବା ଜାଣି ସୁରକ୍ଷା ଦୃଷ୍ଟିରୁ ସାରା ସହରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା। ସକାଳୁ ପ୍ରାତଃଭ୍ରମଣରେ ଆସିଥିବା ଶହଶହ ଲୋକ ହାତୀ ଦେଖିବାକୁ ସ୍କୁଲ ପାଖକୁ ଛୁଟିଥିଲେ। ବନ ବିଭାଗ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଦନ୍ତା ପାଖକୁ ନ ଯିବା ପାଇଁ ବାରଣ କରିବା ସହ ହାତୀ ଘଉଡ଼ାଇବା ପାଇଁ ଅପରେସନ୍‌ ଆରମ୍ଭ କରିଥିଲେ।

ଶିମିଳିପାଳର ଅତିରିକ୍ତ କ୍ଷେତ୍ର ନିର୍ଦ୍ଦେଶକ ସମ୍ରାଟ୍ ଗୌଡ, ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ସୁଜିତ କୁମାର ପ୍ରଧାନ, ଟାଉନ୍‌ ଥାନା ଅଧିକାରୀ ସୁମିତ ସୋରେନ୍‌ଙ୍କ ତତ୍ତ୍ବାବଧାନରେ ବନ କର୍ମଚାରୀମାନେ ୩ ଘଣ୍ଟା ପରିଶ୍ରମ କରିବା ପରେ ସ୍କୁଲରୁ ପଦାକୁ ବାହାରିଥିଲା ଦନ୍ତା। ପରେ ଅମ୍ବିକା ମନ୍ଦିର ଦେଇ ବୁଢାବଳଙ୍ଗ ନଦୀ କୂଳେ କୂ‌ଳେ ଅସ୍ତିଆ ବଜାରରେ ପଶିଥିଲା। ବାଟଯାକ ଲୋକଙ୍କୁ ମାରିବାକୁ ଗୋଡ଼ାଇଥିଲା ଦନ୍ତା। ଶେଷରେ ରଙ୍ଗମାଟିଆ ହୋଇ ସହରରୁ ଜଙ୍ଗଲ ଆଡ଼କୁ ପଳାଇଥିଲ‌ା। ଡିଏଫ୍‌ଓ ଶ୍ରୀ ଯୋଶୀଙ୍କ କହିବା ଅନୁଯାୟୀ, ଦନ୍ତାଟି ଶିମିଳିପାଳ ଜଙ୍ଗଲ ଭିତରକୁ ଚାଲିଯାଇଛି। ବାରିପଦା ସହର ଉପକଣ୍ଠରେ ହାତୀଙ୍କ ଗତିବିଧି ନିରୀକ୍ଷଣ ଓ ଲୋକଙ୍କୁ ସତର୍କ କରାଇବା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଛି। ହେଲେ ଦନ୍ତାଟି ସହର ଭିତରକୁ ପଶିଲା ଓ କେହି କିଛି ଜାଣି ପାରିଲେନି; ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ଯେମିତି ଏଭଳି ତ୍ରୁଟି ନହୁଏ, ସେଥିପ୍ରତି ସଜାଗ ରହିବାକୁ ବନ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।