ଭୁବନେଶ୍ବର : ପୂର୍ବତଟ ରେଳପଥରେ ବାରମ୍ବାର ଟ୍ରେନ୍ ଲାଇନ୍ଚ୍ୟୁତ ହେବା ଘଟଣାକୁ ଗୁରୁତ୍ବର ସହ ନେଇଛି ପୂର୍ବତଟ ରେଳପଥ। ଦୁଇ ମାସ ମଧ୍ୟରେ ଭୁବନେଶ୍ବର, ପୁରୀ, ଯାଜପୁର ସମେତ ରେଳପଥ ପରିସୀମା ମଧ୍ୟରେ ୫ରୁ ଅଧିକ ମାଲବାହୀ ଟ୍ରେନ୍ ଟ୍ରାକ୍ ବାହାରକୁ ଚାଲି ଯାଇଛି। ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ରେଳଲାଇନ୍ ମରାମତି ଓ ରକ୍ଷଣାବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିରାପତ୍ତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକ ମଧ୍ୟରେ ପୁରୁଣା ବ୍ରିଜ୍ଗୁଡ଼ିକର ମରାମତି, ଲେଭେଲ୍ କ୍ରସିଂକୁ ରୂପାନ୍ତର କରି ସୀମିତ ଉଚ୍ଚତା ଉପ-ମାର୍ଗ(ଏଲ୍ଏଚ୍ଏସ୍) ସ୍ଥାପନ, ଦୋହରୀକରଣ ଓ ତୃତୀୟ ରେଳ ଲାଇନ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଟ୍ରାକ୍ଗୁଡ଼ିକର ଇଣ୍ଟର୍-ଲକିଂ କରାଯିବ। ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନପହଞ୍ଚାଇ ଜରୁରୀ ମରାମତି କାର୍ଯ୍ୟ ଶେଷ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ୍ଗୁଡ଼ିକୁ ବାତିଲ ପରିବର୍ତ୍ତେ ଚଳାଚଳ ସମୟରେ ଅସ୍ଥାୟୀ ପରିବର୍ତ୍ତନ କିମ୍ବା ସେମାନଙ୍କୁ ନିକଟସ୍ଥ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ନେବାକୁ ଯଥାସମ୍ଭବ ପ୍ରୟାସ କରାଯାଇଛି, ଯେଉଁଠାରେ ସର୍ବାଧିକ ସଂଖ୍ୟକ ଯାତ୍ରୀ ଯାଇ ଆସିପାରିବେ। ଏହାକୁ ଆଂଶିକ ବାତିଲ କିମ୍ବା ଟ୍ରେନ୍ର ସର୍ଟ ଟର୍ମିନେସନ୍ କୁହାଯାଏ।
୧୩୦ କିମି ବେଗରେ ଟ୍ରାକ୍ରେ ଗଡ଼ିଲା ଟ୍ରେନ୍

ଆସନ୍ତା ଦୁଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ସେକ୍ସନ୍ଗୁଡ଼ିକରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରିବାକୁ ଯୋଜନା ହୋଇଛି। ରବିବାରଗୁଡ଼ିକରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ଉପମାର୍ଗ ନିର୍ମାଣ ସହ ଦୋହରୀକରଣ କାର୍ଯ୍ୟ ପାଇଁ ରେଳ ଟ୍ରାକ ସଂଯୋଗ କାର୍ଯ୍ୟ କରାଯିବ। ସେହିପରି ଗୁରୁବାରଗୁଡ଼ିକରେ ପଲାସା-ବିଜୟନଗରମ୍ ରେଳ ସେକ୍ସନ ମଧ୍ୟରେ ବ୍ରିଜ୍ଗୁଡ଼ିକ ଉପରେ ପୁରୁଣା ଗାର୍ଡ ବଦଳାଇ ନୂତନ ଗାର୍ଡ ସ୍ଥାପନ ପାଇଁ ଯୋଜନା ହୋଇଛି। ଏଥିସହ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ମଙ୍ଗଳବାର ଓ ଶନିବାରଗୁଡ଼ିକରେ ଟିଟିଲାଗଡ଼-ରାୟପୁର ରେଳ ସେକ୍ସନ୍ରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ରେଳପଥ ଦ୍ୱାରା ଅଗ୍ରୀମ ଯୋଜନା ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା କରାଯିବ ନାହିଁ। ବିଭିନ୍ନ ରେଳ ମାର୍ଗରେ ଆଧୁନିକୀକରଣ କାର୍ଯ୍ୟ ବିଭିନ୍ନ ଦିନଗୁଡ଼ିକରେ ବଣ୍ଟନ ହୋଇଛି। ଫଳରେ ସର୍ବନିମ୍ନ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍ ଓ ମାର୍ଗ ପରିବର୍ତ୍ତନ କରାଯାଇପାରିବ। ଯାତ୍ରୀମାନଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ରେଳପଥ ବହୁ ପୂର୍ବରୁ ବହିତ ପଦକ୍ଷେପ ଗ୍ରହଣ କରିଛି। ଯାତ୍ରୀଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବା ଲାଗି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ପରେ ପୂର୍ବତଟ ରେଳପଥ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ରେଳପଥ ଅଧୀନ ରେଳ ଧାରଣାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ୧୩୦ କିମି ବେଗରେ ଗଡ଼ିପାରିବ କି ନାହିଁ ସେନେଇ ଅନୁଧ୍ୟାନ ଚାଲିଛି। ଗତ କିଛି ଦିନ ମଧ୍ୟରେ ପୂର୍ବତଟ ରେଳପଥ ଅଧୀନ ରେଳ ଧାରଣାରେ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଛି। ଟ୍ରେନ୍ ଗଡ଼ିବା ପୂର୍ବରୁ ଏସମ୍ପର୍କରେ ସମସ୍ତଙ୍କୁ ସତର୍କ କରାଇ ଦିଆଯାଉଛି। ଗତ ଦୁଇଟି ଟ୍ରାଏଲ୍ ରନ୍ରେ ସଫଳତା ମିଳିଥିବା ଜଣାପଡ଼ିଛି। କ୍ଷୀପ୍ର ବେଗରେ ଚାଲୁଥିବା ଏହି ଟ୍ରେନ୍ ପଲାସାରୁ ଭଦ୍ରକ ପର୍ଯ୍ୟନ୍ତ ଯାଇଥିଲା ଏବଂ ସଫଳତା ମଧ୍ୟ ମିଳିଛି। ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ ଏମିତିରେ ବିଭିନ୍ନ ସମୟରେ ବର୍ତମାନର ରେଳ ଧାରଣାରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ ବେଗରେ ଟ୍ରେନ୍ ଚଳାଚଳ କରୁଛି। କୌଣସି ପ୍ରକାର ଅସୁବିଧା ହେଉ ନାହିଁ। ଯେହେତୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବନ୍ଦେ ଭାରତ ଟ୍ରେନ୍ ଓଡ଼ିଶାରେ ଚଳାଇବାକୁ ଘୋଷଣା କରିଛନ୍ତି ତାହାକୁ ନଜରରେ ରଖି ଆମେ ପ୍ରସ୍ତୁତି ଚଲାଇଛୁ। ଦୁଇରୁ ତିନି ମାସ ମଧ୍ୟରେ ଏହି ଟ୍ରେନ୍ ଗଡ଼ିବ।