ଖଲ୍ଲିକୋଟ ୧୮।୦୬: ଛତ୍ରପୁର ଥାନା ବିଦ୍ୟାଧର ନଗରସାହିର ବାବୁଲା ବେହେରା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଲା ଛତ୍ରପୁର ପୋଲିସ। ଅଭିଯୁକ୍ତ ଜଣକ ହେଲେ ପାଲିଆ ଛତ୍ରପୁର ଗାଁର ଏସ୍. କ୍ରିଷ୍ଣା ରାଓ ବୋଲି ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ହିଁ ଅଭିଯୁକ୍ତକୁ ଧରିଲା ପୁଲିସ ।
ଖବର ଅନୁଯାୟୀ, ୧୪ ତାରିଖ ସକାଳେ ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରେ ବାବୁଲା ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ପାଇ ଘଟଣାସ୍ଥଳରେ ଗଞ୍ଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପି.କେ ଦଲେଇ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ସବଇନିସପେକ୍ଟର ସିଲୁ ଧଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ବୈଷୟିକ ଟିମ୍ ଓ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ଅଧିକ ଛାନଭିନ ଆରମ୍ଭ କରାଯାଇଥିଲା । ଏନେଇ ଛତ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ୧୯/୨୨ ରୁଜୁ କରି ବାବୁଲାର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ ।
ପୋଲିସ ସେବେଠାରୁ ବିଭିନ୍ନ ଅଂଚଳରେ ଏହି ଘଟଣା ନେଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଘଟଣାଟି ହତ୍ୟାକାଣ୍ଡ ଆଡକୁ ମୁହାଁଇଥିଲା । ଯାହା ଫଳରେ ଅପମୃତ୍ୟୁ ମାମଲାରୁ ଏହା ଏକ ହତ୍ୟା ମାମଲାରେ ୩୩୦/୨୨ କେସ ରୁଜୁ ହୋଇ ତଦନ୍ତ ଜାରି ରହିଥିଲା । ଛତ୍ରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଘଟଣାର ଅଧିକ ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ ହୋଇଛି । ତେବେ କାଳୀ ଢାବାର ସିସିଟିଭି ଫୁଟେଜ ଦ୍ୱାରା ପୁରା ତଥ୍ୟ ଜଣାପଡିଥିଲା । ଏହି ଘଟଣାରେ ଜଡିତ ଥିବା ପାଲିଆ ଛତ୍ରପୁର ଗାଁର ଏସ. କ୍ରିଷ୍ଣା ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାବୁଲା ଓ ଏସ୍. କ୍ରିଷ୍ଣା ରାଓ ଦୁହେଁ ମଦ ପିଇଥିଲେ । ପରେ ଉଭୟ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଏସ. କ୍ରିଷ୍ଣା ବାବୁଲା ବେହେରାଙ୍କୁ ଗଳା ଚିପି ହତ୍ୟା କରିଥିଲା ବୋଲି ଛତ୍ରପୁର ଥାନାଧିକାରୀ କହିଛନ୍ତି ।