ପ୍ରସ୍ତୁତି: ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ
ସରକାରଙ୍କ ନିର୍ଦ୍ଦେଶ ଓ ଆଇନ କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ବ କାର୍ଯ୍ୟପାଳିକା ହାତରେ ନ୍ୟସ୍ତ। ସୁତରାଂ ଲୋକ ପ୍ରତିନିଧି ବା ସରକାର ଯେତେ ପ୍ରଭାବୀ ହେଲେ ବି କ୍ଷମତାର ଶୀର୍ଷରେ ଥିବା ଅଧିକାରୀଙ୍କ ଭୂମିକାକୁ ଗୌଣ କରାଯାଇପାରିବ ନାହିଁ। ଆହୁରି ସରଳ ଭାବେ କହିଲେ, ପ୍ରାଶାସନିକ ଅଧିକାରୀମାନେ ଯେତେ ଅଧିକ ନିଷ୍ଠାପର ଭାବେ କାର୍ଯ୍ୟକରିବେ, ଯେତିକି ଅଧିକ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବେ, ସରକାର ସେତେ ବେଶି ଲୋକପ୍ରିୟ ହେବେ ଓ ନାଗରିକମାନେ ସୁଶାସନ ଉପଲବ୍ଧି କରିପାରିବେ। ଓଡ଼ିଶାରେ ବିଲକ୍ଷଣ ହେଲା, ଏଠାରେ ନିର୍ବାଚିତ ଜନପ୍ରତିନିଧି କମ୍ ବରଂ ପ୍ରାଶାସନିକ ଅଧିକାରୀମାନଙ୍କୁ ନେଇ ଅଧିକ ଚର୍ଚ୍ଚା ଆଲୋଚନା ଚାଲିଥାଏ। କେବେ ଭଲ ପାଇଁ, ଆଉ କେବେ ବିବାଦ ସେମାନଙ୍କୁ ଚର୍ଚ୍ଚାକୁ ଆଣିଥାଏ। ୨୦୨୩ ବର୍ଷରେ ମଧ୍ୟ ଭିନ୍ନ ଭିନ୍ନ କାରଣ ପାଇଁ ସର୍ବଭାରତୀୟ ସେବା ଅଧିକାରୀମାନଙ୍କୁ ନେଇ ଢେର୍ ଆଲୋଚନା ହୋଇଛି। କେତେଜଣଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା ବା ବିଶ୍ବସନୀୟତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି, ଆଉ କେତେଜଣ ଅଲୋଡ଼ା କାରଣ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି। ସେଭଳି ଅମଲାତନ୍ତ୍ରକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…
ମଙ୍ଗ ଧରିଥିଲେ ନୂଆ ମୁଖିଆ
ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ଯେତେବେଳେ ଯେଉଁ ପଦବିରେ ଥାନ୍ତି, ଚର୍ଚ୍ଚା ତାଙ୍କ ଆଖପାଖରେ ଘୂରିବୁଲୁଥାଏ। ଶ୍ରୀ ଜେନାଙ୍କୁ ମୁଖ୍ୟସଚିବ ନିଯୁକ୍ତିରେ ବିଳମ୍ବ ମଧ୍ୟ ବର୍ଷ ଆରମ୍ଭରେ ବେଶ୍ ଆଲୋଚନାର ବିଷୟ ହୋଇଥିଲା। ରାଜ୍ୟ ସରକାର କିନ୍ତୁ ଠିକ୍ ସମୟରେ ଅନେକ ବରିଷ୍ଠଙ୍କୁ ପଛରେ ପି କେ ଜେନାଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସେହି ସମୟରେ ବରିଷ୍ଠ ଆଇଏଏସ୍ ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର୍ ଭାବେ ମଧ୍ୟ ନିଯୁକ୍ତି ଦିଆଗଲା। ଚଳିତ ବର୍ଷ ଡିସେମ୍ବରରେ ଶ୍ରୀ ଜେନା ଅବସର ଗ୍ରହଣ କରିବେ। ହେଲେ ରାଜ୍ୟ ସରକାର ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି କରୁଥିବା
ନେଇ େଜାର ଚର୍ଚ୍ଚା
ଚାଲିଛି।
ପୁଣି ତୃତୀୟ ମହଲା ଭାୟା ଓଇଆର୍ସି…
ମୁଖ୍ୟଶାସନ ସଚିବ ଭାବେ ଅଧିକ ଏକବର୍ଷ ଶାସନ ଉପଭୋଗ କରିବା ପରେ ଅବସର ନେଇଥିଲେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର। ସରକାର ତାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ତତ୍କାଳ ନିଯୁକ୍ତି ଦେଇଥିଲେ। ହେଲେ ସୁରେଶଙ୍କ ଉପରେ ସରକାରଙ୍କ ଭରସା ଏତେ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ଲୋକସେବାଭବନର ତୃତୀୟ ମହଲାକୁ ଫେରାଇ ଆଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଅବସରପ୍ରାପ୍ତ ଆଇଏଏସ୍ ଆର୍. ବାଲକ୍ରିଷ୍ଣନ ଓ ଅସିତ ତ୍ରିପାଠୀଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା (ଅତିରିକ୍ତ ଦାୟିତ୍ୱ)ରୁ ଅବ୍ୟାହତି ଦିଆଯାଇଥିଲା।
ରାଜନୀତିରେ ପାଣ୍ଡିଆନ
ଗତ ଦଶନ୍ଧିର ରାଜ୍ୟର ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ। ଏବର୍ଷ ସେ ରାଜ୍ୟର ସବୁଠୁ କ୍ଷମତାଶାଳୀ ଅଧିକାରୀ। ହଠାତ୍ ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗଦେଇଛନ୍ତି । ତାଙ୍କର ରାଜନୀତିରେ ଯୋଗଦେବା ଅପେକ୍ଷା ଅଧିକ ଚର୍ଚ୍ଚିତ ଥିଲା ତାଙ୍କର ସ୍ବେଚ୍ଛାକୃତ ଅବସର। କାରଣ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ, ବିରୋଧୀଙ୍କୁ ଅସହ୍ୟ ହୋଇପଡ଼ିଥିଲା। ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ପାଣ୍ଡିଆନ ବୁଲନ୍ତୁ ବୋଲି ଆହ୍ବାନ ଦେଇଥିଲେ ବିରୋଧୀ। ଏପଟେ ତାଙ୍କର ସ୍ବେଚ୍ଛାକୃତ ଅବସର ନେଇ ନିୟମିତ ବ୍ୟବଧାନରେ କଥା ଉଠୁଥିଲା। ହେଲେ ସାରା ଦେଶ ଦଶହରା ପାଇଁ ଉତ୍ସବ ମୁଖର ଥିବାବେଳେ ସମସ୍ତଙ୍କୁ ଚକ୍ମା ଦେଇ ଅକ୍ଟୋବର ୨୦ରେ ଶ୍ରୀ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେଇଥିଲେ। କେନ୍ଦ୍ର ସରକାରରେ ତିନି ଦିନରେ ଅର୍ଥାତ୍ ଅକ୍ଟୋବର ୨୩ରେ ଶ୍ରୀ ପାଣ୍ଡିଆନଙ୍କ ଅବସର ଆବେଦନକୁ ମଞ୍ଜୁରୀ ମିଳିଥିଲା। ଅକ୍ଟୋବର ୨୪ରେ ରାଜ୍ୟ ସରକାର ଶ୍ରୀ ପାଣ୍ଡିଆନଙ୍କୁ ୫-ଟି ସଚିବରୁ ୫-ଟି ଅଧ୍ୟକ୍ଷ କରିବା ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଇଛନ୍ତି। ହେଲେ ଶ୍ରୀ ପାଣ୍ଡିଆନଙ୍କୁ ନେଇ ଅନ୍ୟ ବ଼ଡ଼ ଖବରଟି ହେଲା, ନଭେମ୍ବର ୨୭ କାର୍ତ୍ତିକ ପୂର୍ଣ୍ଣିମାରେ ସେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି। ନିର୍ବାଚନ ବର୍ଷରେ ପାଣ୍ଡିଆନଙ୍କର ବିଜେଡିରେ ଆବିର୍ଭାବ ଗୋଟେ ମାମୁଲି ଖବର ନୁହେଁ। ଏବେ ବିଜେଡିରେ ପାଣ୍ଡିଆନଙ୍କୁ କୌଣସି ପଦପଦବି ମିଳିନି। ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ମନା କରିସାରିଛନ୍ତି। ତଥାପି ପୂର୍ବପରି ସେ ହିଁ ପ୍ରଶାସନ ଓ ଶାସକ ଦଳର ସର୍ବେସର୍ବା ଭାବେ ପରିଗଣିତ।
ଜେଠ୍ୱାଙ୍କ ନେତୃତ୍ବରେ ସକ୍ରିୟ ଭିଜିଲାନ୍ସ
ସରକାରଙ୍କ ଦୁର୍ନୀତିମୁକ୍ତ ଆହ୍ବାନକୁ ବଳ ଦେଇଛି ଓଡ଼ିଶା ଭିଜିଲାନ୍ସ। ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନରେ ଜାତୀୟ ସ୍ତରରେ ଓଡ଼ିଶା ଏବେ ତୃତୀୟ ସ୍ଥାନରେ ରହିଛି। ଏହି କାର୍ଯ୍ୟାନୁଷ୍ଠାନ ପଛରେ ପ୍ରମୁଖ ଚେହେରା ହେଉଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା। ତାଙ୍କର କାର୍ଯ୍ୟ ହିଁ ସରକାରଙ୍କ ଭାବମୂର୍ତି ପଛର ଅନେକ କାରଣ ମଧ୍ୟରୁ ଗୋଟିଏ।
ଏବର୍ଷ ବି ବୋଥ୍ରା ଭରସା
ଦେଶରେ ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଥିଲା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ। ପୁଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା ନବଙ୍କୁ। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ପୁଲିସ ସର୍ଭିସ୍ ରିଭଲଭରରୁ ଗୁଳି କରି ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ପକାଇଥିଲା। ଗତବର୍ଷ ମମିତା ମେହେର ଭଳି ଏବର୍ଷ ବି ଏହି ମାମଲାର ଦାୟିତ୍ବ ଯାଇଥିଲା ଅରୁଣ ବୋଥ୍ରାଙ୍କ ହାତକୁ। ବିରୋଧୀ ସରକାରଙ୍କୁ ଘେରିବାକୁ ଯାଇ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା, କୋଇଲା କାରବାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅଭିଯୋଗ ଆଣି ସାମ୍ନାରେ ରଖିଲେ। ଗଣମାଧ୍ୟମରେ ଗର୍ଜିଲେ। ହେଲେ ଗୋପାଳ ଦାସ ବ୍ୟକ୍ତିଗତ କାରଣରୁ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା, ଏକଥା ବୋଥ୍ରାଙ୍କ ତଦନ୍ତ ପ୍ରମାଣିତ କରିଥିଲା। ଗୋପାଳର ନାର୍କୋ ଟେଷ୍ଟରୁ ଆରମ୍ଭ କରି ବିଭିନ୍ନ ନମୁନାର ପରୀକ୍ଷା ଦେଶର ସର୍ବଶ୍ରେଷ୍ଠ ପରୀକ୍ଷାଗାରରେ କରିବା ସହ ଗୋପାଳ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତା’ର ଚାର୍ଜସିଟ୍ରେ ଦର୍ଶାଇଲା। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ହେଉ କି ନୟାଗଡ଼ରେ ପରୀ ହତ୍ୟାକାଣ୍ଡ ସବୁଥିରେ ରାଜ୍ୟ ସରକାରଙ୍କ ବିଶ୍ବାସକୁ ପ୍ରମାଣିତ କରିଥିବା ଏଡିଜି ଅରୁଣ ବୋଥ୍ରା, ନବ ଦାସ ହତ୍ୟାକାଣ୍ଡରେ ବି ତା’ଙ୍କ ଦକ୍ଷତା ଦେଖାଇଲେ।
ସରକାରଙ୍କ ତଦନ୍ତ ଭରସା ରଖିଲା, ବିରୋଧୀ ତୁନି ପଡ଼ିବାକୁ ବାଧ୍ୟ ହେଲେ।
ଭିନିଲ୍ କ୍ରିଷ୍ଣାଙ୍କ କାଟ୍ତି
ଲୋକସେବାଭବନ କ୍ଷମତା ଅଳିନ୍ଦରେ ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଭିନିଲ୍ କ୍ରିଷ୍ଣା ଜଣେ ଚର୍ଚ୍ଚିତ ବ୍ୟକ୍ତି। ସେ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ସହ କ୍ରୀଡ଼ା ବିଭାଗ ଦାୟିତ୍ବ ତୁଲାଉଛନ୍ତି। ତୃତୀୟ ମହଲାରେ ସେ ଜଣେ କ୍ଷମତାଶାଳୀ ଅଧିକାରୀ ଭାବେ ଜଣାଶୁଣା। ଭି କେ ପାଣ୍ଡିଆନ୍ ଜିଲ୍ଲାକୁ ଜିଲ୍ଲା ବୁଲି ଅଭିଯୋଗ ଶୁଣାଣି କରୁଥିଲା ବେଳେ ପାଖେ ପାଖେ ରହୁଥିଲେ ଭିନିଲ୍ କ୍ରିଷ୍ଣା। ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ଦ୍ରୁତ ବିକାଶ ପଛରେ ଭିନିଲ୍ଙ୍କର ହିଁ ଯୋଜନାବଦ୍ଧ ଉଦ୍ୟମ ରହିଥିବା କୁହାଯାଉଛି। ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ଫାଇଲ ବି ତାଙ୍କ ଟେବୁଲ୍ରୁ ଆଗକୁ ବଢ଼ୁଛି।
ଅତି ବିଶ୍ବସ୍ତ: ମାଥିଭାଥନନ୍ ରେକର୍ଡ କଲେ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାପାଳ
ନଗର ଉନ୍ନୟନ ବିଭାଗର ପ୍ରମୁଖସଚିବ ତଥା ୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜି.ମାଥିଭାଥନନ୍ ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଏକ ଅଲୋଡ଼ା ରେକର୍ଡ କରିଛନ୍ତି। ଶ୍ରୀ ମାଥିଭାଥନନ୍ ୨୦୧୪ରୁ ନଗର ଉନ୍ନୟନ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବାରୁ ଏନେଇ ରାଜ୍ୟ ସରକାରଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କେବଳ ନଗର ଉନ୍ନୟନ ବିଭାଗ ନୁହେଁ ଶ୍ରୀ ମାଥିଭାଥନନ୍ ମଧ୍ୟ ୨୦୧୦ ମସିହାରୁ ସଂସଦୀୟ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବିଭାଗରେ ସେ ୧୩ବର୍ଷ ହେଲା ଅବସ୍ଥାପିତ ଅଛନ୍ତି। ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ ବିବାଦ ଘେରକୁ ଟାଣିଛନ୍ତି। ଏକଦା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଶ୍ରୀ ମାଥିଭାଥନନ୍ ସରକାରଙ୍କର ଯେ ଅତି ବିଶ୍ବସ୍ତ ଅଫିସର ଏକଥା ଆଉ କାହାକୁ ଅଛପା ନାହିଁ।
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଓ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ମଧ୍ୟ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଦୁଇ ଅଧିକାରୀ ସେହି ଜିଲ୍ଲାରେ ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି। ଇତିମଧ୍ୟରେ ଅନେକ ଜିଲ୍ଲା ଦୁଇରୁ ଅଧିକ ଜିଲ୍ଲାପାଳଙ୍କୁ ଦେଖିଛି। ହେଲେ ଉଭୟଙ୍କୁ ସରକାର ବଦଳି କରିବାକୁ ଚାହୁଁନାହାନ୍ତି। ଏକଥା ଉଭୟ ରାଜନୈତିକ ଓ ପ୍ରାଶାସନିକ ମହଲରେ ଆଲୋଚନାର ବିଷୟ ହୋଇଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ବିଭିନ୍ନ ମହଲରୁ ଏଥି ପାଇଁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତା’ ସତ୍ତ୍ବେ ଉଭୟଙ୍କର ବଦଳି ନ େହବା ସମସ୍ତଙ୍କୁ ବିସ୍ମିତ କରିବା ସ୍ବାଭାବିକ।
ଆରମ୍ଭ ହେଲା ନୂଆ ଜୀବନ
ପୂର୍ବରୁ ବିବାହିତ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସହ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ବିବାହ ଏବର୍ଷ ଚର୍ଚ୍ଚାର ବିଷୟ ଥିଲା। ଚଞ୍ଚଳଙ୍କ ପ୍ରଥମ ପତ୍ନୀ ରାୟଗଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବିବାହ କରିଥିଲେ। ଶ୍ରୀ ବର୍ମାଙ୍କର ପୂର୍ବରୁ ବିବାହ ବିଚ୍ଛେଦ ହୋଇଥିଲା। ଅନନ୍ୟାଙ୍କ ପ୍ରଥମ ସ୍ବାମୀ ଅବଦଲ୍ ଅଖତର୍ ଏବେ କୋରାପୁଟ ଜିଲ୍ଲାପାଳ ଅଛନ୍ତି।
ରାଧିକା ଆସିବା ମାତ୍ରେ..
୧୯୮୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବି ରାଧିକା କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିବା ପରଠୁ ଚର୍ଚ୍ଚାରେ। ତାଙ୍କୁ ପରବର୍ତ୍ତୀ ପୁଲିସ ଡିଜି କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ସରକାର ତାଙ୍କୁ ପୁଲିସ୍ ରିକ୍ରୁଟ୍ମେଣ୍ଟ୍ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ହୋମ୍ଗାର୍ଡଙ୍କୁ ନିର୍ଯାତନା
ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଥିବା ବେଳେ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାୟଙ୍କ ପତ୍ନୀ ନିଜ ଘରେ କାର୍ଯ୍ୟରଚ ଜଣେ ହୋମ୍ଗାର୍ଡଙ୍କୁ ନିର୍ଯାତନା ଘଟଣା ସରକାରଙ୍କୁ ଅଡ଼ୁଆରେ ପକାଇଥିଲା। ନିର୍ଯାତନା ସହି ନପାରି ସଂପୃକ୍ତ ମହିଳା ହୋମ୍ଗାର୍ଡ ରେଳ ଲାଇନ୍କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ବଞ୍ଚିଗଲେ ସତ, କିନ୍ତୁ ସବୁଦିନ ପାଇଁ ଦୁଇ ଗୋଡ଼ ହରାଇଲେ। ଶ୍ରୀ ରାଏଙ୍କୁ ସରକାର ସେଠାରୁ ବଦଳି କରି ପୁଲିସ୍ ମୁଖ୍ୟାଳୟକୁ ଆଣିଲେ। ହେଲେ ହୋମଗାର୍ଡଙ୍କୁ ଏଯାଏ ନ୍ୟାୟ ମିଳିପାରିନାହିଁ।