କଳା ଓ ସଂସ୍କୃତି ଧର୍ମ ପର୍ଯ୍ୟଟନ

ବାଇଗଣ ଓ ବିରଞ୍ଚିନାରାୟଣ

ଗଞ୍ଜାମ ଜିଲାର ବୁଗୁଡ଼ାଠାରେ ଅଛି ପ୍ରସିଦ୍ଧ ବିରଞ୍ଚିନାରାୟଣ ମନ୍ଦିର। ‘ବିରଞ୍ଚିନାରାୟଣ’ କହିଲେ, ବ୍ରହ୍ମା, ବିଷ୍ଣୁ ଓ ସୂର୍ଯ୍ୟଙ୍କୁ ବୁଝାଏ। କିନ୍ତୁ ଏହି ମନ୍ଦିରରେ ସୂର୍ଯ୍ୟଦେବତା ପୂଜା ପାଆନ୍ତି। ମନ୍ଦିରର କାଠ ଖୋଦେଇ କାମ କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଖୁବ୍ ସୂକ୍ଷ୍ମ ଓ ସୁନ୍ଦର। ତେଣୁ ଏହା ‘କାଠର କୋଣାର୍କ’ ଭାବରେ ଖ୍ୟାତ।

ଶାମ୍ବଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହି ପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ। ଶାମ୍ବଦଶମୀର ସ୍ୱତନ୍ତ୍ର ଭୋଗ ପରମ୍ପରା ମଧ୍ୟ ରହିଛି। ଏହି ପର୍ବରେ ପ୍ରତ୍ୟୁଷରୁ ସ୍ନାନ ସାରି, ‘ବାଳସୂର୍ଯ୍ୟ’ଙ୍କୁ ଖିରି, ଛେନା ଓ କଦଳୀ ଆଦିରେ ପ୍ରସ୍ତୁତ ପଣାଭୋଗ; ମଧ୍ୟାହ୍ନରେ ‘ମାର୍ତ୍ତଣ୍ଡ’ଙ୍କୁ ଖିରି, ଖେଚେଡ଼ି ଓ ଅନ୍ୟାନ୍ୟ ବ୍ୟଞ୍ଜନ ଏବଂ ସୂର୍ଯ୍ୟାସ୍ତ ସମୟରେ ‘ବିକର୍ତ୍ତନ’ ଦେବଙ୍କୁ ସୁମିଷ୍ଟ ପିଠାଭୋଗ ଆଦି ଅର୍ପଣ କରାଯିବାର ବିଧି ରହିଛି।

ଏଥିରେ ଘରର ଅଗଣାକୁ ଗୋବରରେ ଲିପି, ସେଠାରେ ସାତଟି ଠାଆ କରି, ଅରୁଆ ଚାଉଳ ପିଠଉରେ ଚିତା ଲେଖି, ସାତଟି ବାଇଗଣପତ୍ରକୁ ଠାଆ ଉପରେ ରଖି, ଭୋଗ ସାମଗ୍ରୀ ଅର୍ପଣ କରିବାର ବିଧି ଅଛି। ଅନ୍ୟ କେତେକ ଅଞ୍ଚଳରେ, ଛୋଟପିଲାଙ୍କୁ ବାଇଗଣ ପତ୍ର ଉପରେ ଭୋଗ କରାଯାଇଥିବା ଗରମ ଗରମ ଜାଉ ଖାଇବାକୁ ଦିଆଯିବାର ବିଧି ମଧ୍ୟ ରହିଛି। ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିରରେ ଏହି ପର୍ବରେ ବାଉଁଶ ପାଛିଆରେ ବିରି ଓ ବାଇଗଣ ଆଣି ଭକ୍ତମାନେ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିଥାଆନ୍ତି।

ଏହା ସୂଚାଏ ଯେ ବାଇଗଣ ସହ ଏହି ପର୍ବର ସଂପର୍କ ଅଛି। କିନ୍ତୁ କାହିଁକି ଏହି ପର୍ବର ପରମ୍ପରାରେ ବାଇଗଣ ବା ବାଇଗଣ ପତ୍ର ଯୋଡ଼ା ହୋଇଛି, ତାହାର ନିର୍ଦ୍ଦିଷ୍ଟ କାରଣ ଜଣାଯାଏ ନାହିଁ। ତେବେ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି ଯେ ବାଇଗଣ କେତେକଙ୍କ ଶରୀରରେ ବିଷାକ୍ତ ପ୍ରତିକ୍ରିୟା ଦେଖାଇଥାଏ। ତେଣୁ ତାହାର ସେବନ ଚର୍ମରୋଗୀଙ୍କ ପାଇଁ ନିଷେଧ। ସମ୍ଭବତଃ ବାଇଗଣର ସେହି ହାନିକର ଉପାଦାନକୁ ନଷ୍ଟ କରି, ଆମ ଶରୀରରୁ ଚର୍ମରୋଗ ନିପାତ କରିବାର ମାନସିକତାରୁ ଏହି ବାଇଗଣ ଉପହାର ଶାମ୍ବଦଶମୀ ପରମ୍ପରାରେ ଯୋଡ଼ା ହୋଇଛି। ଏଣୁ ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିରରେ ଉପାସିତ ସୂର୍ଯ୍ୟ ଦେବତାଙ୍କୁ ବିରି, ବାଇଗଣ ଓ ବିଞ୍ଚଣା ଉପହାର ଦେଇ, ବିଇଞ୍ଚି ଆଦି ଚର୍ମରୋଗରୁ ମୁକ୍ତ କରିବାକୁ ପ୍ରାର୍ଥନା କରାଯାଇଥାଏ।

କିନ୍ତୁ ଆଧୁନିକ ଗବେଷଣା ତଥ୍ୟ କହେ ଯେ ସୂର୍ଯ୍ୟଙ୍କର ‘ଅଲ୍‌ଟ୍ରାଭାଓଲେଟ୍‌’ ବା ଅତିବାଇଗଣି ରଶ୍ମି ଆମର ଶରୀରକୁ କ୍ଷତି ପହଞ୍ଚାଇଥାଏ। ତାହା ଆମ ଚର୍ମରେ ପ୍ରଦାହ ସୃଷ୍ଟି କରେ; ଅକାଳ ବାର୍ଦ୍ଧକ୍ୟ ଓ କର୍କଟ ରୋଗର କାରଣ ମଧ୍ୟ ହୁଏ। ଏଣୁ ଶରୀରରେ ଏହାର ପ୍ରତିରୋଧକ ଶକ୍ତି ଜାଗ୍ରତ କରିବାପାଇଁ ଛୋଟ ପିଲାଙ୍କୁ ବାଇଗଣ ପତ୍ରରେ ଗରମ ଜାଉ ଖାଇବାକୁ ଦିଆଯାଏ ବୋଲି ଅନେକଙ୍କର ବିଶ୍ୱାସ।

ଫଟୋ: ସ୍ଥିତଧୀ ରଥ

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ