ଜୟପୁର: ସମସ୍ତ ବସ୍ତି ବାସିନ୍ଦାଙ୍କୁ ସେମାନେ ରହୁଥିବା ଘରର ମାଲିକନା ସତ୍ବ (ରେକର୍ଡ ଅଫ ରାଇଟସ୍ ) ଜମି ପଟ୍ଟା ରାଜ୍ୟ ସରକାର ପ୍ରଦାନ କରିବାକୁ ଦାବି କରିଛନ୍ତି ଯୁବ ସଂଗଠନ କୋରାପୁଟର ଆବାହକ ରବିନ୍ଦ୍ର ମହାପାତ୍ର। ଜୟନଗର, ଚିଲ୍ଲୀଗୁଡା,ହାନାଗୁଡା, ହରିଜନ ସାହି, ପରଜାସାହି, ଗୋପବନ୍ଧୁନଗର, ଟାଉନହଲ୍ ଅଂଚଳ,ଋଷିଆ କଲୋନୀ, ଗୋଡିଆ ଧୋବାସାହି ଆଦି ବସ୍ତି ଅଂଚଳର ଶତାଧିକ ଲୋକେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ଏମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଏହାକୁ ବୁଝି ପଦକ୍ଷେପ ନେବେ ବୋଲି କହିଥିଲେ।
ସରକାର ଯେଭଳି ଗ୍ରାମ୍ୟକଣ୍ଠ ପରମବକର ଜବରଦଖଲକାରୀଙ୍କୁ ପଟ୍ଟା ଦେଉଛନ୍ତି ସେଭଳି ଦେବାକୁ ଦାବି କରିଛନ୍ତି। ୬ବର୍ଷ ତଳେ ଉଷା ଯୋଜନାରେ ସର୍ଭେ କରି ସହରର ୨୭ଟି ବସ୍ତିରେ ଏଲଆରସି(ଲ୍ୟାଣ୍ଡ ରେକର୍ଡ ସାର୍ଟିପିକେଟ) ଓ ଏଲଇସି ଯୋଗ୍ୟତା କିପ୍ରମାଣପତ୍ର ବିତରଣ କରାଯାଇଛି। ତେବେ ଏହାକୁ ନେଇ ହିତାଧିକାରୀ ମାନେ କୌଣସି ସରକାରୀ ସୁବିଧା ଓସୁଯୋଗ ପାଉନଥିବା ଅଭିଯୋଗ କରିଛନ୍ତି। ଏପରିକି ସାମାନ୍ୟତମ ବାସ ,ଆୟ, ଜାତି ପ୍ରମାଣପତ୍ର କି ବ୍ୟାଙ୍କରୁ ଋଣ ବି ଏହା ଦ୍ବାରା ପାଇ ପାରୁନଥିବା ଅଭିଯୋଗ କରିଛନ୍ତି। ସେଭଳି ବାର୍ଦ୍ଧକ୍ୟ ଭତ୍ତା, ଓ ଅନ୍ୟାନ୍ୟ ଭତ୍ତା ଗୁଡିକ ଅନ୍ୟ ରାଜ୍ୟରେ ହିତାଧିକାରୀ ମାନେ ଅଧିକା ପାଉଥିବା ବେଳେ ଓଡିଶାରେ ୫୦୦ଟଙ୍କା ଦିଆଯାଉଛି। ଏହାକୁ ବୃଦ୍ଧି କରି ୧୫୦୦ଟଙ୍କା କରିବାକୁ ଏମାନେ ଦାବି କରିଛନ୍ତି।
ସୂଚନା ଯୋଗ୍ୟ, ଗତ ୬ବର୍ଷ ତଳେ ଉଷା ଯୋଜନାରେ ସହରରେ ଥିବା ୨୮ଟି ୱାର୍ଡର ୨୭ଟି ବସ୍ତିରେ ଡ୍ରୋନ ସର୍ଭେ ହୋଇଥିଲା। ଏଥିରେ କେତେ ସଂଖ୍ୟକ ଚାଳଛପର ଘର , ପକ୍କା ଘର ରହିଛି ଚିହ୍ନଟ ହୋଇଥିଲା। ଏଥିରେ ୫୧୧୬ଟି ଘର ରହିଥିବା ଚିହ୍ନଟ ହୋଇଥିଲା। ଏଥିରୁ ୨ହଜାର ୬୩୮ଜଣଙ୍କୁ ଏଲଆରସି(ଲ୍ୟାଣ୍ଡ ରେକର୍ଡ ସାର୍ଟିପିକେଟ) ଦେବା ପାଇଁ ଅନୁମୋଦନ ହୋଇଥିଲା। ଏଥିରୁ ୧୯୮୦ଜଣଙ୍କୁ ଏହାରି ମଧ୍ୟରେ ଏହି ସାର୍ଟିପିକେଟର ବିତରଣ ସରିଛି। ବଳକା ୬୫୮ଜଣଙ୍କର ବିତରଣ କରାଯିବା ପାଇଁ ବାକି ରହିଛି। ସେଭଳି ୧୮୬୭ଜଣ ଏଲଇସି ପ୍ରମାଣପତ୍ରରୁ ଏଲଆରସି ପ୍ରମାଣପତ୍ର ଦେବାରେ ବିଭିନ୍ନ ସ୍ତରରେ ବାଧକ ରହିଛି। ଏହାକୁ ସମାଧାନ କରିବା ଦିଗରେ ପୌରପ୍ରଶାସନ ପକ୍ଷରୁ ତହସିଲଦାର, ରାଜପରିବାର, ମନ୍ଦିର ପରିଚାଳନା କମିଟି, ବିଦ୍ୟାଳୟ ଓଗଣଶିକ୍ଷା ବିଭାଗ, ଏନଏଚ୍ , ପୂର୍ତ୍ତ ବିଭାଗ ସହ ବିଚାରବିଭାଗକୁ ଚିଠି ଦେଣ ନେଣ ପ୍ରକ୍ରିୟା ଜାରୀ ଜାରୀ ରହିଛି। ଏଲଆରସି ପଟ୍ଟା ପାଇବା ନିଶ୍ଚିତ ରୁପେ ବସ୍ତି ବାସନ୍ଦାଙ୍କ ମନରେ ରହିଥିବା ଜମି ଉଚ୍ଛେଦ ଭୟ ଦୁର ହୋଇ ପାରିଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ଏଭଳିକି ଏଲଆରସି ପ୍ରମାଣପତ୍ର ପାଇବା ପରେ ହିତାଧିକାରୀର ମାଲିକାନାସତ୍ବ ଆସି ଯାଉଛି। ସେ ପ୍ରଧାନମନ୍ତ୍ରୀ ଆବାସ ପକ୍କା ଘର ଯୋଜନାରେ ୨ଲକ୍ଷ, ବୋନସ୍ ୨୦ହଜାର , ଶୌଚାଳୟ ପାଇଁ ୧୦ହଜାର ପାଇବା ପାଇଁ ଯୋଗ୍ୟ।
ତେବେ ସେ ଏହାକୁ ନିଜ ପରିବାରର ସଦସ୍ୟ ପୁଅ କିମ୍ବା ଝିଅ ନାଁରେ ପରିବର୍ତ୍ତନ କରି ପାରିବେ। ତେବେ ସେ ଏହାକୁ ବିକ୍ରୀ କରିପାରିବେ ନାହିଁ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଏହି ପ୍ରମାଣପତ୍ର ଦ୍ବାରା ହିତାଧିକାରୀ ନିଜ ପିଲାଙ୍କ ପାଇଁ ସବୁ ପ୍ରମାଣପତ୍ର ହାସଲ କରିପାରିବ , ଏଥିରେ କେହି ବାଧକ ନାହିଁ ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।