ଖଣ୍ଡଗିରି: ବିମାନବନ୍ଦର, ବସ୍ଷ୍ଟାଣ୍ଡ, ଓୟୁଏଟିଠାରୁ ଆରମ୍ଭ କରି ୧୬ ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ, ସବୁ ପାଇଁ ବରମୁଣ୍ଡା ଗାଁ ବଳିଦାନ ଦେଇଛି। ରାଜଧାନୀରେ ବିକାଶର ଏହି ସ୍ବରୂପ ପ୍ରଦାନ ପାଇଁ ପ୍ରତି ମୁହୂର୍ତ୍ତରେ ସଙ୍କୁଚିତ ହୋଇଛି ବରମୁଣ୍ଡା ଗାଁ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ବିମାନବନ୍ଦର ପାଇଁ ସମ୍ପୂର୍ଣ୍ଣ ବରମୁଣ୍ଡା ଗାଁକୁ ବିସ୍ଥାପିତ ଯୋଜନା ହୋଇଥିଲା। ମାତ୍ର ଜନଆନ୍ଦୋଳନ ପରେ ଶେଷରେ ବାତିଲ ହୋଇଥିଲା। ରାଜଧାନୀରେ ଥାଇ ମଧ୍ୟ ଆଜି ବି ଗାଁ ଚରିତ୍ରକୁ ନେଇ ବଞ୍ଚିଥିବା ଏହି ଅଞ୍ଚଳ ପ୍ରତି ରାଜ୍ୟ ସରକାର ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପଯୁକ୍ତ ନଜର ପଡ଼ିଲେ, ଏହାକୁ ରାଜଧାନୀର ଆଦର୍ଶ ଗାଁରେ ପରିଣତ କରାଯାଇ ପାରିଥାଆନ୍ତା ଏବଂ ଏହା ପର୍ଯ୍ୟଟନ କେନ୍ଦ୍ର ହେବା ସହିତ ଉଦାହରଣ ସୃଷ୍ଟି କରିଥାଆନ୍ତା। କିନ୍ତୁ ଆଜି ବରମୁଣ୍ଡା ଗାଁ ନିଜ ମୂଳ ପରିଚୟ ହରାଇବା ସହିତ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହୋଇଛି। ଯାହାକୁ ନେଇ ଆଜି ସେମାନେ ସ୍ବର ଉଠାଇଛନ୍ତି।
ଜବରଦଖଲରେ ଜମି, ନିର୍ମାଣ ହେଉନି ପାର୍କ, କମ୍ୟୁନିଟି ସେଣ୍ଟର
ପ୍ରତ୍ୟେକ କଲୋନିରେ ପାର୍କ, ସ୍ବାସ୍ଥ୍ୟକେନ୍ଦ୍ର, କଲ୍ୟାଣ ମଣ୍ଡପ ଏବଂ କମ୍ୟୁନିଟି ସେଣ୍ଟର ନିର୍ମାଣ କରୁଛି ବିଏମ୍ସି। କିନ୍ତୁ ରାଜଧାନୀର ବିକାଶ ପାଇଁ ଜମି ଦେଇଥିବା ବରମୁଣ୍ଡା ଗାଁରେ ଏସବୁ ସର୍ବନିମ୍ନ ସୁବିଧା ନାହିଁ। ନୀଳକଣ୍ଠେଶ୍ବର ମାର୍ଗଠାରୁ ବରମୁଣ୍ଡା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଥିବା ୫ ଏକର ଜମିରେ ଶିଶୁ ପାର୍କ, ଡାକଘର, କଲ୍ୟାଣ ମଣ୍ଡପ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଅନେକ ବର୍ଷ ଧରି ସ୍ଥାନୀୟ ବରିଷ୍ଠ ନାଗରିକ ଏବଂ ସାମାଜିକ କର୍ମକର୍ତ୍ତାମାନେ ଦାବି କରି ଆସୁଛନ୍ତି। ମାତ୍ର ସ୍ଥାନୀୟ ପ୍ରଶାସନ ଏହାକୁ ଦୃଷ୍ଟି ଦେଲା ନାହିଁ। ଏପରିକି ଏଠାରେ ଖାଲି ପଡ଼ିଥିବା ୩ ଏକର ଜମିର ସଦୁପଯୋଗ ପାଇଁ କିଛି ସଚେତନ ନାଗରିକ ଲଗାତାର ଦାବି କରି ଆସୁଥିଲେ ବି କାମ ହେଉନି। ଅନେକ ବର୍ଷ ଧରି ସ୍ଥାନୀୟ ପ୍ରଶାସନ ଏହା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜମି କହି ଭୁଆଁ ବୁଲାଇ ଆସୁଥିଲେ। ବର୍ତ୍ତମାନ ଏହି ଜମିରେ ପାଚେରି ନିର୍ମାଣ କରାଯାଇ କିଛି ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ କଲ୍ୟାଣ ମଣ୍ଡପ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏଠାରେ ଆଜି ପର୍ଯ୍ୟନ୍ତ ପିଲାଙ୍କ ଖେଳିବା ପାଇଁ ପଡ଼ିଆ କିମ୍ବା ବରିଷ୍ଠ ନାଗରିକଙ୍କ ଚାଲିବା ସ୍ବତନ୍ତ୍ର ସୁବିଧା ନାହିଁ। ଯେଉଁଠି ମଧ୍ୟ କିଛି ବରିଷ୍ଠ ନାଗରିକ ସକାଳ କିମ୍ବା ସଂଧ୍ୟାରେ ଚାଲିବା ପାଇଁ ସ୍ବତନ୍ତ୍ର ସ୍ଥାନ ପାଇଁ ଦାବି କରନ୍ତି, ସେମାନଙ୍କୁ ଅପମାନିତ ହେବାକୁ ପଡ଼େ। ଏପରିକି ବୈଠକ କରୁଥିବା ବେଳେ ଅସାମାଜିକ ବ୍ୟକ୍ତି ପଶି ଆସି ଗଣ୍ଡଗୋଳ କରିଥିବା ମଧ୍ୟ ଉଦାହରଣ ରହିଛି। ନୀଳକଣ୍ଠେଶ୍ବର ମନ୍ଦିର ପାଖରେ କମ୍ୟୁନିଟି ସେଣ୍ଟର ପାଇଁ ଦାବି କରାଯାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରେ ଯେଉଁଠି ଖାଲି ଜମି ରହୁଛି, ସେହି ସ୍ଥାନ ଜବରଦଖଲ କରି ଦିଆଯାଇ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଯାଉଛି। ଏହାକୁ ନେଇ ବିଏମ୍ସି ସ୍ଥାଣୁ ପାଲଟିଛି।
ଚାଉଳ ପାଇଁ ଭୋର୍ରୁ ଧାଡ଼ି
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଲୋକଙ୍କୁ ମାଗଣା ଚାଉଳ ଦିଆଯାଉଛି ସତ, କିନ୍ତୁ ଏଥିପାଇଁ ହିତାଧିକାରୀମାନେ ପ୍ରତି ମାସରେ ହୀନସ୍ତା ହେଉଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଚାଉଳ ପାଇଁ ଭୋର୍ ୪ଟାରୁ ପିଡିଏସ୍ କେନ୍ଦ୍ର ସମ୍ମୁଖରେ ଧାଡ଼ିରେ କାର୍ଡ ରଖି ଦେଇଥାଆନ୍ତି। କେନ୍ଦ୍ର ଖୋଲିବା ପରେ ଧାଡ଼ି ଅନୁସାରେ ଚାଉଳ ମିଳେ। କିନ୍ତୁ ହିତାଧିକାରୀଙ୍କୁ ଏଥିପାଇଁ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼େ। ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶାର ବରମୁଣ୍ଡା ପିଡିଏସ୍ କେନ୍ଦ୍ରରେ କ୍ଷମତାଠାରୁ ଅଧିକ ହିତାଧିକାରୀଙ୍କୁ ଚାଉଳ ଦେବାକୁ ପଡ଼ୁଥିବାରୁ ଏଭଳି ଅବସ୍ଥା ହେଉଛି। ଏହି ପିଡିଏସ୍ କେନ୍ଦ୍ରରୁ ବରମୁଣ୍ଡା, ଫାୟାର ଷ୍ଟେସନ, ଭଗବତ ବସ୍ତିର ହିତାଧିକାରୀ ଚାଉଳ ନେଇ ଥାଆନ୍ତି। କିଛିଦିନ ହେଲା ଗଣ୍ଡମୁଣ୍ଡା ଏବଂ ବରବାରିର କିଛି ଲୋକ ଏଠାରୁ ଚାଉଳ ନେଉଛନ୍ତି। ଏତେ ସଂଖ୍ୟକ ହିତାଧିକାରୀଙ୍କ ପାଇଁ ଆଉ ଏକ ପିଡିଏସ୍ କେନ୍ଦ୍ର ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ବାଲି ଜମିବାରୁ ରାସ୍ତାରେ ନାଳା ପାଣି: କର୍ପୋରେଟର
୫୦ ନମ୍ବର ୱାର୍ଡ କର୍ପୋରେଟର ରାମଚନ୍ଦ୍ର ରଣସିଂହଙ୍କ ଅନୁସାରେ, ନାଳା ନିର୍ମାଣ ବେଳେ ବାଲି ଜମିବାରୁ ପାଣି ଠିକ ଭାବରେ ନିଷ୍କାସିତ ହୋଇନପାରି ରାସ୍ତାକୁ ଚାଲି ଆସୁଛି। ପୂର୍ବରୁ ରାସ୍ତାରେ ପାଣି ଜମିବାର କାରଣ ଜଣା ପଡ଼ୁନଥିଲା। ବର୍ତ୍ତମାନ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଖୁବ ଶୀଘ୍ର ସମାଧାନ ହୋଇଯିବ। ଏହି ଅଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରାଯାଇଛି। ପ୍ରାୟ ୪୦୦ ଲୋକଙ୍କ ଭତ୍ତା ପାଇଁ ଆବେଦନ କରାଯାଇଛି। କିଛି ଦିନ ପୂର୍ବରୁ କିଛି ନୂତନ ହିତାଧିକାରୀଙ୍କ ନାମ ଭତ୍ତା ତାଲିକାରେ ସାମିଲ ବି ହୋଇଛି। ଖୁବ ଶୀଘ୍ର ବାକି ଯୋଗ୍ୟ ହିତାଧିକାରୀ ନିଜ ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ମଧ୍ୟ ଆବେଦନ ହୋଇଥିବା ସେ ଜଣାଇଛନ୍ତି।
ଗଳିକୁ ପଶିପାରୁନି ଆମ୍ବୁଲାନ୍ସ
ବରମୁଣ୍ଡା ଗାଁର ବିଭିନ୍ନ ଗଳିର ଅବସ୍ଥା ଏଭଳି ସଂକୀର୍ଣ୍ଣ ଯେ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ପଶିପାରେ ନାହିଁ। ସେହିଭଳି ବଡ଼ ଆବର୍ଜନା ଗାଡ଼ି ମଧ୍ୟ ପଶିପାରେ ନାହିଁ। ସ୍ଥାନୀୟ ଜଣେ ଅଧିବାସୀଙ୍କ ଅନୁସାରେ, କିଛି ଦିନ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କୁ ମସ୍ତିଷ୍କାଘାତ ହେଲା। ତୁରନ୍ତ ଡାକ୍ତରଖାନାକୁ ଯିବାକୁ ଆବଶ୍ୟକ ପଡ଼ିଲା। ଆମ୍ବୁଲାନ୍ସ ମଧ୍ୟ ନିର୍ଦ୍ଧାରିତ ସମୟରେ ପହଞ୍ଚିଲା, କିନ୍ତୁ ଘର ପାଖକୁ ଆସିପାରିଲା ନାହିଁ। ପାଲା ମଣ୍ଡପ ପାଖରେ ଛିଡ଼ା ହେଲା। ତେଣୁ ପରିବାର ଲୋକେ ଅତି କଷ୍ଟରେ ପୀଡ଼ିତା ମହିଳାଙ୍କୁ ବୋହି ଆଣି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ। ତେଣୁ ଚିକିତ୍ସାକୁ ବିଳମ୍ବିତ ହୋଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ଅନେକ ପରିବାରର ବ୍ୟଥା। ଗଳି ରାସ୍ତାରେ ଜବରଦଖଲ ଯୋଗୁ ଏ ଅବସ୍ଥା। ଏପରିକି ଏଠାରେ ରହୁଥିବା ଓଡ଼ିଶାର ବଡ଼ ଶିଳ୍ପପତି ମଧ୍ୟ ସାମାନ୍ୟ ସରକାରୀ ଜମି ଜବରଦଖଲ ମୋହରୁ ନିଜକୁ ମୁକ୍ତ ରଖିପାରି ନାହାନ୍ତି।
ନାଳା ନିର୍ମାଣ ପରେ ରାସ୍ତାରେ ଆବର୍ଜନା ପାଣି
ଗୋଟିଏ ମାସ ପୂର୍ବରୁ ବୁଣାସାହିରେ ନାଳା ନିର୍ମାଣ ହୋଇଥିଲା। କିନ୍ତୁ ଏହା ପରଠୁ ଏଠାରେ ଉପଯୁକ୍ତ ଭାବରେ ଆବର୍ଜନା ପାଣି ନିଷ୍କାସିତ ହେବା ଦୂରର କଥା, ବରଂ ନାଳା ପାଣି ରାସ୍ତାରେ ଭାସୁଛି। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ୬୦ରୁ ଅଧିକ ପରିବାର ଏହି ନାଳା ପାଣି ଘେରରେ ରହିଛନ୍ତି। ସେମାନେ ନିଜ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ସେହି ନାଳା ପାଣି ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏହାର ପାର୍ଶ୍ବରେ ପକାଯାଉଥିବା ଆବର୍ଜନା ମଧ୍ୟ ନିୟମିତ ଭାବରେ ଉଠାଯାଉ ନାହିଁ। କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ପରେ ସ୍ଥିତି ଜଟିଳ ହୋଇଛି। ଡେଲ୍ଟା ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସ୍ବେରେଜ୍ ନିର୍ମାଣ ପାଇଁ ରାସ୍ତା ବନ୍ଦ ହୋଇ ପଡ଼ିଛି। ଏଠାରେ ସ୍ବେରେଜ୍ ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଯେ ଲୋକଙ୍କ କଷ୍ଟ କାହିଁରେ କେତେ ବଢ଼ି ଯାଇଛି। ନିର୍ଦ୍ଦିଷ୍ଟ ଏହି ଅଞ୍ଚଳ ନୁହେଁ, ବରମୁଣ୍ଡା ଗାଁର ଅନେକ ଗଳି ରାସ୍ତାରେ ଯେଉଁଭଳି ପାଣି ଜମି ରହୁଛି ଏହା ଡେଙ୍ଗୁ ମଶା ପାଇଁ ସୁବିଧା ହୋଇଛି। କାହିଁକି ବିଏମ୍ସି ଜମିଥିବା ପାଣି ନିଷ୍କାସନ ବ୍ୟବସ୍ଥା କରୁ ନାହିଁ, ତାକୁ ନେଇ ଲୋକଙ୍କ ଅଶାନ୍ତି ବଢ଼ିବାରେ ଲାଗିଛି।
ଭତ୍ତା, ଆବାସ ଆବେଦନ ପଡ଼ିଛି
୭୦ ବର୍ଷିୟ ବସନ୍ତ ଦାସ କହନ୍ତି, ୧୦ ମାସ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ପରେ ସେ ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି ଯେ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ଏଥିପୂର୍ବରୁ ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। ସ୍ଥାନୀୟ ଅଧିବାସୀ ଫଗୁ ସେନାପତି ଦେଢ଼ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରି ନିରାଶ ହୋଇଛନ୍ତି। ସତ୍ୟଭାମା ମହାରଣା କାହିଁ କେତେ ଯୁଗ ହେଲା ବୁଣାସାହିରେ ରହୁଛନ୍ତି। ଘର ପାଇଁ ଅନେକ ଦିନରୁ ଆବେଦନ କରି ମଧ୍ୟ ମିଳିପାରି ନାହିଁ। ମାଟି ଘରର ସ୍ଥିତି ଏଭଳି ଯେ ଯେକୌଣସି ସମୟରେ ଭୁଶୁଡ଼ି ଯାଇପାରେ। ଆର୍ଥିକ ଦୁରାବସ୍ଥା ଯୋଗୁ ସେମାନେ ଏଠାରେ ରହିବାକୁ ବାଧ୍ୟ ହେଉଛନ୍ତି। ଏମାନେ କେବଳ ଉଦାହରଣ ମାତ୍ର। ଏହି ୱାର୍ଡର ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନେ ବିଧବା, ବାର୍ଦ୍ଧକ୍ୟ ଏବଂ ଆବାସ ପାଇଁ ଯୋଗ୍ୟ, ମାତ୍ର ସେହି ସୁବିଧାରୁ ସେମାନଙ୍କୁ ବଞ୍ଚିତ କରାଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା ନୁହେଁ, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଭତ୍ତା ଦିଆଯାଏ। ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ମିଳେ।