ଭୁବନେଶ୍ବର: ସାରା ରାଜ୍ୟରେ ଲଗାଣ ବର୍ଷା ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଉପୁଜାଇଲାଣି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ରାତି ୧୧ଟା ବେଳକୁ ଆଖୁଆପଦାରେ ଜଳସ୍ତର ୧୯.୬୬ମିଟର ଥିଲା। ଏଠାରେ ବିପଦ ସଂକେତ ୧୭.୮୩ ମିଟର। ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ମିଟର ଥିବାବେଳେ ଏବେ ୪୦ମିଟରରେ ପାଣି ବହୁଛି। ଏବେବି ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି। ସେହିଭଳି ବ୍ରାହ୍ମଣୀ ମଧ୍ୟ ଫୁଲିବା ଆରମ୍ଭ କଲାଣି। କେବଳ ସେତିକି ନୁହେଁ, ଆଜି ଭଳି ଆସନ୍ତାକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଏହି ବର୍ଷା ମହାନଦୀ ଅବବାହିକାରେ ଛୋଟ ଧରଣର ବନ୍ୟା ଆଣିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥିତିର ଗମ୍ଭୀରତା ଲକ୍ଷ୍ୟ କରି ସରକାର ତନାଘନା ଆରମ୍ଭ କରିଛନ୍ତି। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା, ରିଲିଫ ଯୋଗାଇବା ନେଇ ଏସ୍ଆର୍ସି ୧୭ଟି ଜିଲ୍ଲାପାଳଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି।
ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ, ଏସ୍ଆର୍ସି, ଜିଲ୍ଲାପାଳଙ୍କୁ ସତର୍କ କରାଗଲା
୮ଟି ଓଡ୍ରାଫ୍, ୨ଟି ଏନ୍ଡିଆର୍ଏଫ୍, ୧୩ଟି ଅଗ୍ନିଶମ ଟିମ୍ ମୁତୟନ
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି ଯେ ସାରା ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିଲେ ହେଁ ବୈତରଣୀ ଆମ ପାଇଁ ଚିନ୍ତାର ବିଷୟ ପାଲଟିଛି। ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ବରିଷ୍ଠ ଅଧିକାରୀମାନଙ୍କୁ ପଠାଯାଇଛି। ଠିକ୍ ସେହିଭଳି ଲଗାଣ ବର୍ଷାରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଭୟଙ୍କର ରୂପ ଧାରଣ କରିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବା ଦ୍ବାରା କଣିହାଁ ବ୍ଲକ୍ରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶାଖା ନଦୀ ଟିକିରା, ଚିଲାଣ୍ଟି, ସମାକୋଇ, ମରଦା ଓ ସିଙ୍ଗିଡ଼ା ନଦୀରେ ପ୍ରବଳ ମାତ୍ରାରେ ବନ୍ୟାଜଳ ଆସିବା ଦ୍ବାରା ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସମଲ ବ୍ୟାରେଜ୍ କର୍ତ୍ତୃପକ୍ଷ ବୁଧବାର ୭ଟି ଗେଟ୍ ଖୋଲି ପାଣି ନିଷ୍କାସନ କରୁଥିବା ଜଣାପଡ଼ିଛି।
ଅପରପକ୍ଷେ ମହାନଦୀ ତଳ ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବ। ଉପକୂଳ ଓଡ଼ିଶାରେ ଛୋଟ ବନ୍ୟା ଆସିପାରେ। ଏବେ ଖଇରମାଳରେ ୫ଲକ୍ଷ କ୍ୟୁସେକ୍ରୁ ସାମାନ୍ୟ ଅଧିକ ଜଳ ପ୍ରବାହ ହେଉଛି। ଗୁରୁବାର ସକାଳ ୧୦ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ହେବ। ତେଣୁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ଆସିବ। ଆସନ୍ତାକାଲି ବର୍ଷା ପରେ ଏହି ପରିମାଣ ବଢ଼ିବ। ବିଶେଷକରି ତଳିଆ ଅଞ୍ଚଳରେ ପାଣି ପଶିବ। ଲଗାଣ ବର୍ଷା ଓ ବିଭିନ୍ନ ନଦୀରେ ବନ୍ୟା ସ୍ଥିତିକୁ ଦେଖି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଆଜି ୧୭ଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ବର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ଲୋକ ଜଳବନ୍ଦୀ ଅଛନ୍ତି ଏବଂ ଜଳବନ୍ଦୀ ହେବାର ଆଶଙ୍କା ଅଛି ସେଠାରେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏହାସହ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇବେ। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ୍ ରଖିବାକୁ କୁହାଯାଇଛି। ସ୍ଥାନୀୟ ଅଗ୍ନିଶମ କେନ୍ଦ୍ର ଓ େପୗରାଞ୍ଚଳ କର୍ତ୍ତୃପକ୍ଷ ଜଳ ନିଷ୍କାସନ ଏବଂ ଉପୁଡ଼ିଥିବା ଗଛକୁ ତୁରନ୍ତ ହଟାଇବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଜିଲ୍ଲାପାଳମାନେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରିବା ନେଇ ନିଷ୍ପତ୍ତିି ନେବେ। ଜଳାର୍ଣ୍ଣବ ଅଞ୍ଚଳରେ ଗାଡ଼ି ଯାତାୟତ ବ୍ୟବସ୍ଥା କରିବେ।
ଏହାସହ ବୌଦ୍ଧ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର, ଯାଜପୁର, ଭଦ୍ରକରେ ଉଦ୍ଧାର କାର୍ଯ୍ୟ ପାଇଁ ଆଗ୍ନିକ ଟିମ୍ ନିୟୋଜିତ କରିବାକୁ ଅଗ୍ନିଶମ ଡିଜିଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଦୁଇଦିନ ପ୍ରବଳ ବର୍ଷା ହେବାକୁ ଥିବାରୁ କେନ୍ଦୁଝର, ସମ୍ବଲପୁରର ରେଢ଼ାଖୋଲରେ ଓଡ୍ରାଫ ଟିମ୍ ମୁତୟନ କରିବାକୁ କୁହଯାଇଛି। ଭଦ୍ରକ ଓ ଯାଜପୁରରେ ୨ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଉପରେ ନଜର ରଖିବାକୁ ଏସ୍ଆର୍ସି ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟାସ୍ଥିତିକୁ ନଜରରେ ରଖି ଭଦ୍ରକରେ ଗୋଟେ ଓଡ୍ରାଫ୍ ଟିମ୍, ଗୋଟେ ଏନ୍ଡିଆର୍ଏଫ୍ ଟିମ୍ ଏବଂ ୩ଟି ଅଗ୍ନିଶମ ବିଭାଗ ଟିମ୍ ମୁତୟନ କରାଯାଇଛି। ଯାଜପୁରରେ ବି ସମାନ ୫ଟି ଟିମ୍, ସମ୍ବଲପୁରରେ ୨ଟି, କେନ୍ଦୁଝରରେ ୨ଟି, ମୟୂରଭଞ୍ଜରେ ୨ଟି, ଅନୁଗୁଳରେ ୨ଟି, ସୋନପୁରରେ ଗୋଟିଏ, ବୌଦ୍ଧରେ ୨ଟି ଟିମ୍, କନ୍ଧମାଳରେ ୧ଟି, ବାଲେଶ୍ବରରେ ୧ଟି ଟିମ୍ ମୁତୟନ କରାଯାଇଛି।