ରାଜ୍ୟ

ବର୍ଦ୍ଧିତ ଦର ପାଇଁ ଅଙ୍ଗନବାଡ଼ିର ବିଚିତ୍ର ନୀତି: ଫୋନ୍‌ ପେ’ରେ ଅଣ୍ଡା ଖାଇବେ ଶିଶୁ

ଝାରସୁଗୁଡ଼ା: ୫ ବର୍ଷ ତଳେ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦର ତୁଳନାରେ ଅଣ୍ଡା ଦର ପ୍ରାୟ ଦୁଇଗୁଣା ହୋଇସାରିଲାଣି। କିନ୍ତୁ ଅଙ୍ଗନବାଡ଼ିରୁ ଶିଶୁ, ଛାତ୍ରଛାତ୍ରୀ, କିଶୋରୀ ଓ ପ୍ରସୂତିଙ୍କୁ ମିଳୁଥିବା ଅଣ୍ଡା ଦରରେ ପରିବର୍ତ୍ତନ ହେଉନି। ଫଳସ୍ବରୂପ ଅଙ୍ଗନବାଡ଼ିରେ ପୋଷଣ ପାଇଁ ନିର୍ଦ୍ଧାରିତ ଅଣ୍ଡା ମିଳିପାରୁନାହିଁ। ଯାହାକୁ ନେଇ ଅନେକ ସମୟରେ ଅପ୍ରୀତିକର ସ୍ଥିତି ବି ଉପୁଜୁଛି। ଏଥିରୁ ମୁକୁଳିବା ପାଇଁ ଝାରସୁଗୁଡ଼ାର କିଛି ଅଙ୍ଗନବାଡ଼ି କେନ୍ଦ୍ର ଏବେ ଅଭିନବ ଉପାୟ ଆରମ୍ଭ କରିଛନ୍ତି। ପିଲାଙ୍କ ହାତରେ ଅଣ୍ଡା ଦେବା ପରିବର୍ତ୍ତେ ସେମାନଙ୍କ ଅଭିଭାବକଙ୍କ ନିକଟକୁ ଫୋନ୍‌ ପେ’ରେ ଅଣ୍ଡା ବାବଦ ମାସିକ ଟଙ୍କା ପଠାଇ ଦିଆଯାଉଛି। ତେବେ ଉକ୍ତ ଟଙ୍କାରେ ଶିଶୁ ପାଇଁ ଅଣ୍ଡା କିଣାଯାଉଛି ନା’ ତାହା ଅଭିଭାବକମାନେ ଅନ୍ୟ ଦିଗରେ ଖର୍ଚ୍ଚ କରୁଛନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ। ବ୍ରଜରାଜନଗର ମ୍ୟୁନିସିପାଲଟିରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କୁ ପିଲାଙ୍କ ଅଣ୍ଡା କୁଆଡ଼େ ଯାଉଛି ବୋଲି ଜ‌ଣେ ଅଭିଭାବକ କୁଆଡ଼େ ପଚାରିଥିଲେ। ଏହାପରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ସେହି ଅଭିଭାବକଙ୍କ ଆକାଉଣ୍ଟକୁ ୨ ମାସର ୨୪ଟି ଅଣ୍ଡା ବାବଦକୁ ୧୨୦ ଟଙ୍କା ଫୋନ୍‌ ପେ’ରେ ପଠାଇ ଦେଇଥିଲେ। ଫୋନ୍‌ ପେ’ରେ ଟଙ୍କା ପଠାଇବାର କାରଣ ବାବଦରେ ପଚାରିବାକୁ ସେ କହିଥିଲେ ଯେ ଅଣ୍ଡାଦର ବୃଦ୍ଧି କରିବାପାଇଁ ବାରମ୍ବାର ଦାବି କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ। ତେଣୁ, ବାଧ୍ୟହୋଇ ଯାହା ଟଙ୍କା ମିଳୁଛି ତାହାକୁ ସିଧାସଳଖ ପିଲାଙ୍କ ଅଭିଭାବକଙ୍କୁ ଧରାଇଦେଉଛୁ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଯେଉଁ ଅଭିଭାବକଙ୍କର ଫୋନ୍‌ ପେ’ ବା ଗୁଗଲ ପେ’ ନାହିଁ ସେମାନଙ୍କୁ ନଗଦ ଟଙ୍କା ବି ଧରାଇ ଦିଆଯାଉଛି।

ପ୍ରଶ୍ନ ଉଠୁଛି, ଗ୍ରାମାଞ୍ଚଳରେ ବିଶେଷକରି ଶ୍ରମିକ ତଥା ଗରିବ ଶ୍ରେଣୀର ଲୋକଙ୍କ ଶିଶୁ ଅଙ୍ଗନବାଡ଼ିକୁ ଯାଉଥିବା ବେଳେ ଏହି ନଗଦ ଟଙ୍କା ପିଲାଙ୍କ ପୁଷ୍ଟି ସାଧନରେ ଲାଗୁଛି ନା ନାହିଁ? ସେପଟେ, କେବଳ ଯେ ଶିଶୁ ନୁହନ୍ତି ବରଂ ଗର୍ଭବତୀ, ପ୍ରସୂତି ଓ କିଶୋରୀଙ୍କ କ୍ଷେତ୍ରରେ ବି ଅନୁରୂପ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୂଣ୍ୟବତୀ ହେଲେନ୍‌ ଖେସ୍‌ଙ୍କୁ ପଚାରିବାରୁ ଯଦି ଏଭଳି କିଛି ହେଉଥାଏ ତେବେ ଏହା ସାଂଘାତିକ ଏବଂ ଏହାର ତଦନ୍ତ ହେବ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଣ୍ଡା ପିଛା ସାଢ଼େ ୪ଟଙ୍କା ହିସାବରେ ସରକାରଙ୍କଠାରୁ ଟଙ୍କା ଆସୁଛି। ତେବେ, ବଜାରଦର ଅଧିକ ଥିବାରୁ ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ ଅଣ୍ଡା ଯୋଗାଇବା ସମ୍ଭବପର ହେଉନାହିଁ। ଯେଉଁଥିପାଇଁ ଅଣ୍ଡା ବାବଦରେ ଅର୍ଥ ବୃଦ୍ଧି କରିବାପାଇଁ ଦାବି ହୋଇ ଆସୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।