ଅପରାଧ ରାଜ୍ୟ

ବନ୍ଧୁକ ଦେଖାଇ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଓ ଧରାକୋଟ ବ୍ଲକ୍ ଅଧୀନ ଝାଡ଼ବନ୍ଧ ଗ୍ରାମର ଜଣେ ଦେଶୀମଦ ବେପାରୀଙ୍କୁ ବନ୍ଧୁକ ଦେଖାଇବା ଘଟଣାରେ ପୁଲିସ ୨ଜଣ ଜନପ୍ରତିନିଧିଙ୍କୁ ଅଟକ ରଖିଛି। ଦୁହିଁଙ୍କ ମଧ୍ୟରୁ ଜଣେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିବାବେଳେ ଅନ୍ୟଜଣେ ହେଉଛନ୍ତି ସରପଞ୍ଚ। ଉଭୟଙ୍କ ବାଇକ୍‌ ଡିକିରୁ ଗୋଟିଏ ଦେଶୀ ପିସ୍ତଲ ଓ ମାଉଜର ବି ଜବତ କରାଯାଇଛି। ଏହିଭଳି ଅପରାଧରେ ୨ ଜନପ୍ରତିନିଧିଙ୍କ ସମ୍ପୃକ୍ତିକୁ ପୁଲିସ ସ୍ବୀକାର କରିଥ‌ିଲେ ମଧ୍ୟ ପଚରାଉଚରା ଜାରି ରଖିଥିବାରୁ ନାମ ପ୍ରଘଟ କରିନାହିଁ। ତେବେ, ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାନୁସାରେ, ଝାଡ଼ବନ୍ଧ ଗ୍ରାମ ନିକଟରେ ଏକ ସରକାରୀ ଲାଇସେନ୍ସ୍‌ପ୍ରାପ୍ତ ଦେଶୀମଦ ବିକ୍ରୟ ପଏଣ୍ଟ୍ ରହିଛି। ଏହା ଜାନିବିଲି ମଦଭାଟି ଅଧୀନରେ ଥିବା ବେଳେ ବହୁଦିନ ହେଲା ମଦ ଏଠାରେ ବିକ୍ରି ହେଉଛି। ବ୍ରହ୍ମପୁରର କବି ସାହୁ ମଦ ଭାଟି ନିଲାମ‌ରେ ରଖିଛନ୍ତି, ଝାଡ଼ବନ୍ଧ ଗ୍ରାମର ବିଦୁ ବିଷୋୟୀ ମଦ ପଏଣ୍ଟ୍‌ରେ

ମଦ ବିକ୍ରି କରୁଛନ୍ତି। ପୁଲିସରେ ବିଦୁ ବିଷୋୟୀ ଦେଇଥିବା ଏତଲା ଅନୁସାରେ, ଗତକାଲି ରାତି ୧୧ଟାରେ ଦୁଇ ଜନପ୍ରତିନିଧି ମଦ ବିକ୍ରି ପଏଣ୍ଟ୍ ନିକଟରେ ପହଞ୍ଚିଥିଲେ। ଆଉ ମଦ ବେପାରକୁ କେନ୍ଦ୍ରକରି ବିଦୁଙ୍କ ସହ ଯୁକ୍ତିତର୍କ କରିବା ପରେ ବନ୍ଧୁକ ଦେଖାଇ ମଦ ବେପାର ତୁରନ୍ତ ବନ୍ଦ କରିବାକୁ ଧମକ ଦେଇଥିଲେ। ଏ ନେଇ ବିଦୁ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ଉଭୟ ପକ୍ଷକୁ ଡାକିଥିଲା। କିନ୍ତୁ ଦୁଇ ଜନପ୍ରତିନିଧିଙ୍କ ବାଇକ୍‌ରେ ବନ୍ଧୁକ ଥିବା ଯାଞ୍ଚ୍‌ କରିବାରୁ ଜଣାପଡ଼ିଲା। ଗୋଟିଏ ବାଇକ୍‌ ଡିକିରୁ ଦେଶୀ ପିସ୍ତଲ ଓ ଆଉ ଗୋଟିଏ ବାଇକ୍ ଡିକିରୁ ମାଉଜର୍ ମିଳିଥିଲା।

ସେମାନେ ବନ୍ଧୁକ କାହାଠୁ ଆଣିଥିଲେ ଓ ଏହାକୁ କେବେଠୁ ବ୍ୟବହାର କରୁଛନ୍ତି, ସମସ୍ତ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଉଭୟଙ୍କୁ ପଚରାଉଚରା ଜାରି ରହିଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

ଅନ୍ୟପଟେ, ଘଟଣାକୁ ନେଇ ଧରାକୋଟ ବ୍ଲକ୍‌ରେ ଚର୍ଚ୍ଚା ଜୋର୍ ଧରିଛି। ଏପଟେ ମାମଲା ରଫାଦଫା କରିବାକୁ ଗାଙ୍ଗପୁର ଥାନାକୁ ନେତାଙ୍କ ସୁଅ ଛୁଟିଥିଲା। ଖବର ଲେଖାଯିବା ସୁଦ୍ଧା ୨ ଜନପ୍ରତିନିଧିଙ୍କୁ ପୁଲିସ ଅଟକ ରଖିଛି। ପ୍ରାଥମିକ ଜେରାପରେ ଆସନ୍ତା କାଲି ମାମଲା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ଦିଆଯିବ ବୋଲି ପୁଲିସ କହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।