ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦ ହୋଇଯିବ କି ବିଏମ୍‌ସି ରକ୍ତଭଣ୍ଡାର!

ପୁରୁଣା ଭୁବନେଶ୍ବର, ୧୦/୭ (ଇମିସ): ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲ ପରିସରରେ ଥିବା ‘ଓଡ଼ିଶା ବ୍ଲଡ୍‌ ସେଣ୍ଟର୍‌’ ବା ପୂର୍ବର ବିଏମ୍‌ସି ରକ୍ତଭଣ୍ଡାର ଏବେ ଏକପ୍ରକାର ବନ୍ଦ ହୋଇଯିବା ଭଳି ସ୍ଥିତିରେ। ବର୍ଷ ବର୍ଷ ଧରି ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଟେକ୍ନିସିଆନ୍‌ ପଦ ପୂରଣ ନ ହେବା ଓ ଅଧାରୁ ଅଧିକ ମେସିନ୍‌ ଅଚଳ ପଡ଼ିବା ଘଟଣାରୁ ଏପରି ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀରେ ଏବେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ଡେଙ୍ଗୁରୋଗୀଙ୍କ ଚିକିତ୍ସା ଲାଗି ରକ୍ତ ପ୍ଲାଟଲେଟ୍‌ର ବହୁତ ଆବଶ୍ୟକତା ରହିଛି। କିନ୍ତୁ ଏପରି ସମୟରେ ଏହି ରକ୍ତଭଣ୍ଡାରରୁ ପ୍ଲାଟଲେଟ୍‌ ପୃଥକୀକରଣ ହୋଇପାରୁନାହିଁ। ମେସିନ୍‌ ଥିଲେ ହେଁ କର୍ମଚାରୀ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଅପରପକ୍ଷେ, ସୀମିତ ସମ୍ବଳ ଭିତରେ କିଛି କିଛି ରକ୍ତ ସଂଗ୍ରହ କରାଯାଉଥିଲେ ହେଁ ପ୍ରଶାସନିକ ଅବହେଳା ପାଇଁ ସମସ୍ୟା ବଢ଼ି ଯାଇଛି। ଏମିତିକି, ସ୍ବେଚ୍ଛାକୃତ ଭାବେ ରକ୍ତଦାନ ଶିବିର କରି ସହଯୋଗର ହାତ ବଢ଼ାଉଥିବା ସଂଗଠନକୁ ପ୍ରାୟ ୬ ମାସ ହେବ ଶିବିର ବାବଦ ଅର୍ଥ ଦିଆଯାଉନାହିଁ।

ଡେଙ୍ଗୁ ସମୟରେ ପୃଥକୀକରଣ ହୋଇପାରୁନି ପ୍ଲାଟଲେଟ୍‌
୬ ମାସ ହେଲା ଟଙ୍କା ପାଇନାହାନ୍ତି ଶିବିର ଆୟୋଜକ
ମେସିନ୍‌ ଅଚଳ, ନାହାନ୍ତି ଟେକ୍ନିସିଆନ୍‌

ସୂଚନାନୁସାରେ, ଭୁବନେଶ୍ବରରେ ରକ୍ତ ଆବଶ୍ୟକତାକୁ ଅନୁଭବ କରି ନବେ ଦଶକରେ ଏହି ରକ୍ତଭଣ୍ଡାର କାର୍ଯ୍ୟ କରିଥିଲା। ୧୯୯୯ ମସିହାରେ ‌ତତ୍‌କାଳୀନ ନଗରପାଳ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସମୟରେ ନୂତନ ରକ୍ତଭଣ୍ଡାର ତିଆରି ହୋଇଥିଲା। ରକ୍ତ ସଂଗ୍ରହ ଓ ରୋଗୀଙ୍କୁ ଆବଶ୍ୟକ ରକ୍ତ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଏବେ ଏହି ରକ୍ତଭଣ୍ଡାର ବନ୍ଦ ପ୍ରାୟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ତଥ୍ୟ ଅନୁସାରେ, ମାସକୁ ପ୍ରାୟ ୧୫ଟି ରକ୍ତଦାନ ଶିବିର ଏବଂ ରକ୍ତ ଭଣ୍ଡାରରେ ରକ୍ତ ସଂଗ୍ରହକୁ ମିଶାଇ ମାସକୁ ୭୦୦ରୁ ୯୦୦ ୟୁନିଟ୍‌ ରକ୍ତ ସଂଗ୍ରହ ହେଉଛି। ଏଥିରୁ ଅଧାରକ୍ତ ଥାଲାସେମିଆ ରୋଗୀଙ୍କ ପାଇଁ ଯାଉଥିବା ବେଳେ ବାକି ବିଏମ୍‌ସି ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲ ରୋଗୀଙ୍କ ପାଇଁ ଯାଇଥାଏ। ସମସ୍ୟା ହେଲା, ଏଠାରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଜଣେ ଡାକ୍ତର, ଜଣେ କାଉନସେଲର୍‌, ୩ଜଣ ଲାବରୋଟାରି ଟେକ୍ନିସିଆନ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ନେଇ ରକ୍ତଭଣ୍ଡାର ଚାଲିଛି। ପ୍ରାୟ ୧୦ବର୍ଷ ହେବ ଷ୍ଟାଫ୍‌ନର୍ସ ନାହାନ୍ତି। କମ୍ପୋନେଟ୍‌ ପକାଇବା ପାଇଁ ଡାକ୍ତର ନାହାନ୍ତି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଡ୍ୟୁଟି ସରିଲେ କିମ୍ବା କ୍ୟାମ୍ପ୍‌କୁ ଗଲେ ରକ୍ତଭଣ୍ଡାର ଫାଙ୍କା ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ କଥା, ଟେକ୍ନିସିଆନ୍‌ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଠାରେ ଉପଯୁକ୍ତ ଦରମା ମିଳୁନାହିଁ।
ରକ୍ତଭଣ୍ଡାର ଅଧିକାରୀ କଲ୍ୟାଣ ସରକାରଙ୍କ କହିବା କଥା, ଅତି କମ୍‌ରେ ଆଉ ଜଣେ ଡାକ୍ତର, ଦୁଇଜଣ ଷ୍ଟାଫ୍‌ ନର୍ସ, ୪ରୁ ୬ଜଣ ଟେକ୍ନିସିଆନ ଓ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ନିକଟରେ ଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ ବ୍ଲଡ୍‌ ବ୍ୟାଙ୍କରେ ୪୦ରୁ ଅଧିକ ଷ୍ଟାଫ୍‌ ଥିବା ବେଳେ ଏଠି କେମିତି ମାତ୍ର ୬ ଜଣଙ୍କୁ ନେଇ କାମ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରକ୍ତ ସଂଗ୍ରହ ହେବା ପରେ ସେଥିରୁ ପ୍ଲାଜ୍‌ମା ଓ ପ୍ଲାଟଲେଟ୍‌ ପୃଥକ୍‌ କରାଯାଇଥାଏ। ବିଶେଷକରି ଡେଙ୍ଗୁ ରୋଗୀଙ୍କ ପାଇଁ ରକ୍ତ ପ୍ଲାଟଲେଟ୍‌ର ବହୁ ଆବଶ୍ୟକତା ରହିଛି। ଭୁବନେଶ୍ବରରେ ଡେଙ୍ଗୁ କାୟା ମେଲାଉଥିବା ବେଳେ ଏଠି କିନ୍ତୁ ପ୍ଲାଟଲେଟ୍‌ ପୃଥକୀକରଣ ବନ୍ଦ ହୋଇଯାଇଛି।
ସୂଚନାନୁସାରେ, ଏଠାରେ ପ୍ଲାଟଲେଟ୍‌ ପୃଥକୀକରଣ ମେସିନ୍‌ ଥିଲେ ହେଁ କର୍ମଚାରୀ ଅଭାବରୁ ତାହା କାମରେ ଆସୁନି। ଅନ୍ୟ ଏକ କାରଣ ହେଲା ଏଠି ଉନ୍ନତମାନର ଓ ଭଲ ମେସିନ୍‌ ନାହିଁ। ପ୍ଲାଟଲେଟ୍‌ ପୃଥକୀକରଣ ପାଇଁ ଥିବା ମେସିନ୍‌ ବାରମ୍ବାର ଖରାପ ହେଉଛି। ପ୍ଲାଟଲେଟ୍‌ ଓ ପ୍ଲାଜମା ରଖିବାକୁ ଥିବା ଫ୍ରିଜ୍‌ ବି ଖରାପ ହୋଇଯାଇଛି। ଫଳରେ ରକ୍ତସଂଗ୍ରହ, ପୃଥକୀକରଣରେ ସମସ୍ୟା ସୃଷ୍ଟି ହେଉଛି।
ଅନ୍ୟ ଏକ ବଡ଼ ସମସ୍ୟା ହେଲା, ରକ୍ତଦାନ ଶିବିର କରି ସ୍ବେଚ୍ଛାକୃତ ଭାବେ ରକ୍ତ ଯୋଗାଉଥିବା ସଂଗଠନମାନେ ଘୋର୍‌ ଅବହେଳାର ଶିକାର ହେଉଛନ୍ତି। ଗୋଟିଏ ଛୋଟ କ୍ୟାମ୍ପ୍‌ରେ ହାରାହାରି ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସରକାରୀ ନିୟମ ଅନୁସାରେ, ‌ଗୋଟିଏ ୟୁନିଟ୍‌ ପିଛା ଟେଣ୍ଟ ପାଇଁ ୧୦ ଟଙ୍କା, ରକ୍ତଦାତାଙ୍କ ଖାଇବା ପାଇଁ ୫୦ ଟଙ୍କା ଦିଆଯାଉଛି। କିନ୍ତୁ ଏଠାରେ ମାସମାସ ଧରି ଶିବିର ଆୟୋଜକଙ୍କୁ ଅର୍ଥ ଦିଆଯାଉନାହିଁ। ୬ ମାସ ହେବ ୯୦ରୁ ଅଧିକ ଶିବିର କରିଥିବା ଆୟୋଜକମାନେ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନେ ସ୍ବେଚ୍ଛାକୃତ ଭାବେ ଶିବିର ଆୟୋଜନ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି।
ରକ୍ତଭଣ୍ଡାର ଅଧିକାରୀ ଡାକ୍ତର କଲ୍ୟାଣ କୁମାର ସରକାର ପ୍ରତିକ୍ରିୟା ଦେଇ କହିଛନ୍ତି, କ୍ୟାମ୍ପ ପରେ ପରେ ବିଏମ୍‌ସି ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ(ସିଏମ୍‌ଓ)ଙ୍କୁ ଅନୁମୋଦନ ପାଇଁ ଦିଆଯାଇଛି। କିନ୍ତୁ ସେ ଅନୁମୋଦନ କରିନାହାନ୍ତି। ଏ ସମ୍ପର୍କରେ ମୁଁ ମଙ୍ଗଳବାର ବିଏମ୍‌ସି କମିସନରଙ୍କୁ ଭେଟି ଆଲୋଚନା କରିବି। ଏ ସମ୍ପର୍କରେ ସିଏମ୍‌ଓ ଡାକ୍ତର ଜିତେନ୍ଦ୍ର ବେବର୍ତ୍ତା କହିଛନ୍ତି, କିଛି ସମସ୍ୟା ଥିବା ଯୋଗୁ ପ୍ଲାଟଲେଟ୍‌ ପୃଥକୀକରଣ ହୋଇପାରୁନଥିଲା। ଏବେ ସବୁ ଠିକ୍‌ ହୋଇଗଲାଣି। ସେହିପରି ରକ୍ତଦାନ ଶିବିର ଆୟୋଜକଙ୍କୁ ଟଙ୍କା ଦିଆସରିଛି ବୋଲି କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।