ରାଜ୍ୟ

ବଣ୍ଡାଘାଟିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଶୋଉଛନ୍ତି ଯେଉଁଠି, ପଢ଼ୁଛନ୍ତି ସେଇଠି

ମାଲକାନଗିରି: ଧାଡ଼ି ଧାଡ଼ି ହୋଇ ଖଟ ପଡ଼ିଛି। କାନ୍ଥରେ ମଶାରି ମଧ୍ୟ ଟଙ୍ଗା ହୋଇଛି। ବାହାରୁ ଏହି ଦୃଶ୍ୟ ଯେ କେହି ଦେଖିବ, ନିଶ୍ଚିତ କହିବ ଏହା କୌଣସି ହଷ୍ଟେଲ। କିନ୍ତୁ ବାସ୍ତବତା ହେଲା ଏହା ହେଉଛି ୫-ଟି ରୂପାନ୍ତରିତ ବିଦ୍ୟାଳୟର ଶ୍ରେଣୀଗୃହ। ଯେଉଁଠି ପିଲା ରାତିରେ ଶୋଉଛନ୍ତି, ଦିନରେ ପାଠ ପଢ଼ୁଛନ୍ତି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଏମିତି ଚାଲିଛି ଶିକ୍ଷାଦାନ। ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ମୁଦୁଲିପଡ଼ାରେ ଆଦିମ ଜନଜାତି ବଣ୍ଡାଙ୍କ ନିମନ୍ତେ ୧୯୫୯ ମସିହାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଉଚ୍ଚବିଦ୍ୟାଳୟ ସ୍ଥାପନ ହୋଇଥିଲା। ୬ଦଶନ୍ଧି ପୁରୁଣା ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୯୧ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୧୦ଟି ଶ୍ରେଣୀର ପିଲାଙ୍କ ଶିକ୍ଷାଦାନ ନିମନ୍ତେ ମାତ୍ର ୭ଟି କୋଠରି ରହିଛି। ଏହାବ୍ୟତୀତ ଗୋଟିଏ କାର୍ଯ୍ୟାଳୟ ଓ ଶିକ୍ଷକଙ୍କ କମନରୁମ୍ ରହିଛି। ସ୍ଥାନ ଅଭାବ ଯୋଗୁଁ କମନରୁମ୍‌କୁ ଗୋଦାମ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଭାଗ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ବିଦ୍ୟାଳୟରେ ପରିଚାଳିତ ହେଉଛି। କିନ୍ତୁ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ରଖି ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଛି। ତେଣୁ ସ୍ଥାନ ଅଭାବ ଯୋଗୁଁ ଶ୍ରେଣୀଗୃହକୁ ହିଁ ହଷ୍ଟେଲ ରୂପ ଦିଆଯାଇଛି। ୧୦ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ୭ଟି ଶ୍ରେଣୀଗୃହ ରହିଥିବାରୁ ଶିକ୍ଷାଦାନ କେମିତି ଚାଲିଥିବ ଅନୁମାନ କରିପାରିବା। ସେଥିରେ ପୁଣି ଶ୍ରେଣୀଗୃହରେ ବିଛଣା ପକାଇ ପିଲାଙ୍କୁ ରଖାଯାଇଛି। ଧାଡ଼ି ଧାଡ଼ି ହୋଇଥିବା ଖଟଗୁଡ଼ିକ ମଧ୍ୟରେ କାନ୍ଥରେ ହୋଇଥିବା କଳାପଟାକୁ ଦେଖିଲେ ଭ୍ରମ ସୃଷ୍ଟି ହେଉଛି।

ଅପରପକ୍ଷରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶହେ ଶଯ୍ୟା ହଷ୍ଟେଲର କ୍ଷମତା ଠାରୁ ଦୁଇ ଗୁଣ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି। ଶ୍ରେଣୀଗୃହ ଗୁଡ଼ିକରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ରହୁଛନ୍ତି। ତେଣୁ ଶ୍ରେଣୀଗୃହରୁ ଚୌକି, ଟେବୁଲ ବାହାର କରାଯାଇଛି। ଚିନ୍ତାର କଥା ହେଲା ଯେଉଁ କୋଠରିରେ ୨୪ଘଣ୍ଟା ପିଲା ବିତାଉଛନ୍ତି ତାହା ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ। ଛାତରୁ ବାରମ୍ବାର ପ୍ଲାଷ୍ଟର ଖଣ୍ଡ ଖସୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ବଣ୍ଡାଘାଟି ପିଲାଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିବା ବିଦ୍ୟାଳୟରେ ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ପଞ୍ଚାୟତ ସମେତ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଚିତ୍ରକୋଣ୍ଡା ଅଞ୍ଚଳର ପିଲା ମଧ୍ୟ ରହି ପାଠ ପଢ଼ୁଛନ୍ତି। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସିଂହଭାଗ ଅର୍ଥାତ ୩୭୦ରୁ ଅଧିକ କେବଳ ଆଦିବାସୀ ବର୍ଗର ବୋଲି ଜଣାପଡ଼ିଛି। ବଣ୍ଡାଘାଟିର ବିକାଶ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅଥଚ ଏହି ବିଦ୍ୟାଳୟର ଭିତ୍ତିଭୂମି ବିକଶିତ ହୋଇପାରିଲା ନାହିଁ। ଏମିତି ସମସ୍ୟା ମଧ୍ୟରେ ଆଦିବାସୀ ପିଲାଙ୍କ ଭବିଷ୍ୟତ କେମିତି ଗଢ଼ା ହେବ ବୋଲି ପ୍ରଶ୍ନ ଉଠିଛି। କେବଳ ଶିକ୍ଷା ଭିତ୍ତିଭୂମି ନୁହଁ ଏହି ବିଦ୍ୟାଳୟରେ ପାଣି ସମସ୍ୟା ବି ଲାଗି ରହିଛି। ଗୋଟିଏ ମାତ୍ର ନଳକୂପ ରହିଥିବାରୁ ପର୍ଯ୍ୟାପ୍ତ ପାଣି ମିଳୁନି। ବିଦ୍ୟାଳୟର ପ୍ରଧାନଶିକ୍ଷକ ୱାଗା ମାଢ଼ୀଙ୍କୁ ଯୋଗାଯୋଗ କରିବାରୁ ଶ୍ରେଣୀଗୃହ ଅଭାବ ରହିଥିବା ସ୍ବୀକାର କରିଥିଲେ। ଭିତ୍ତିଭୂମି ନଥିବା ସତ୍ତ୍ବେ ସମସ୍ତ ପିଲାଙ୍କୁ ରଖି ଶିକ୍ଷାଦାନ କରିବାକୁ ପଡ଼ୁଛି। ଶ୍ରେଣୀଗୃହ ଓ ପାନୀୟ ଜଳ ସମସ୍ୟା ବିଷୟରେ ଆଇଟିଡିଏକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।