ରାଜ୍ୟ

ବଣାଇ ମାଟିରେ ବାଜିନି ଶଙ୍ଖ : ବିଜେଡିକୁ ସଫଳତା ମିଳିବ କେବେ ?

କୋଇଡ଼ା (ଅବିନାଶ ଶର୍ମା): ରାଜ୍ୟର ୧୪ ନମ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବିଧାନସଭା ନିର୍ବାଚନମଣ୍ଡଳୀ ‘ବଣାଇ’। ଏହି ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ। ଗତ ନିର୍ବାଚନ ସମୟର ତଥ୍ୟ ଅନୁଯାୟୀ ଏହି ନିର୍ବାଚନମଣ୍ଡଳୀରେ ୪ଟି ବ୍ଲକ୍, ଯଥା: ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା ଓ କୋଇଡ଼ାକୁ ମିଶାଇ ମୋଟ୍‌ ଭୋଟର ସଂଖ୍ୟା ହେଉଛନ୍ତି ୨,୧୬,୨୧୦ । ୧୯୫୧ ନିର୍ବାଚନରେ ଏହାର ପ୍ରଥମ ବିଧାୟକ ଭାବେ ନୀଳମଣି ସିଂ ଦଣ୍ଡପାଟ (ଗଣ ପରିଷଦ) ନିର୍ବାଚିତ ହୋଇଥିଲେ। ୧୯୫୧ରୁ ୨୦୧୯ ପର୍ଯ୍ୟନ୍ତ ହୋଇଥିବା ମୋଟ୍‌ ୧୬ ଥର ବିଧାନସଭା ସାଧାରଣ ନିର୍ବାଚନରେ ଏହି ଆସନରୁ ୩ ଥର କଂଗ୍ରେସ, ୪ ଥର ବିଜେପି, ୨ ଥର ଗଣ ପରିଷଦ, ଥରେ ଗଣତନ୍ତ୍ର ପରିଷଦ, ଥରେ ଜନତା ପାର୍ଟି, ୨ ଥର ସ୍ୱାଧୀନ ଓ ୩ ଥର ସିପିଆଇଏମ୍ ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି। ହେଲେ ବିଜେଡି ଏ ପର୍ଯ୍ୟନ୍ତ ବଣାଇ ମାଟିରେ ଖାତା ଖୋଲିବାରେ ସମର୍ଥ ହୋଇନାହିଁ।

ଉଲ୍ଲେଖନୀୟ ଯେ ବଣାଇ ବିଧାନସଭା ଅଞ୍ଚଳ ଭିତରେ ରହିଛି ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବିଶାଳ ଖଣି ଇଲାକା। ଏହି ରତ୍ନଗର୍ଭା ମାଟିରୁ କେତେ କମ୍ପାନି, ପରିବହନ ସଂସ୍ଥା ଓ ଅନ୍ୟାନ୍ୟ ସଂସ୍ଥା ଲାଭବାନ ହୋଇଆସୁଛନ୍ତି। ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଏହି କାରଣରୁ ଏହି ଆସନକୁ ନିଜ ଅଧୀନକୁ ଆଣିବାଲାଗି ସବୁ ଦଳ ନିଜର ସମସ୍ତ ବଳ ଉପଯୋଗ କରିଥାନ୍ତି। ସାରା ରାଜ୍ୟରେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ତିନି ମୁଖ୍ୟ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିବାବେଳେ ଏହି ନିର୍ବାଚନମଣ୍ଡଳୀରେ ସିପିଆଇଏମ ଅପରାଜେୟ ଭାବେ ଗଣା ହେଉଛି। ସାରା ରାଜ୍ୟରେ ବିଜେଡିର ଜୟ ଜୟକାର ଶୁଣାଯିବା ସମୟରେ ମଧ୍ୟ ଗତ ୪ ସାଧାରଣ ନିର୍ବାଚନରେ ଏହି ସ୍ଥିତି ବଜାୟ ରହିଛି।

ପ୍ରଥମ ଥର ପାଇଁ ସିପିଆଇ(ଏମ୍‌) ୨୦୦୪ରେ ଲଗାତାର ଭାବେ ୩ ଥର ବିଜୟୀ ହୋଇ ଆସିଥିବା ବିଜେପିକୁ ହରାଇ ଥିଲା ଓ ଲକ୍ଷ୍ମଣ ମୁଣ୍ଡା ବିଧାୟକ ହୋଇଥିଲେ। ପରେ ୨୦୦୯ରେ ଅବଶ୍ୟ ବିଜେପି ଏହି ଆସନକୁ ନିଜ ଅଧୀନକୁ ଆଣିଥିଲା ଓ ଭୀମସେନ ଚୌଧୁରୀ ବିଧାୟକ ହୋଇଥିଲେ। ହେଲେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ସିପିଆଇ(ଏମ୍‌) ନିଜ ଦମ୍ଭ ଦେଖାଇ ବଡ଼ ବ୍ୟବଧାନ ସହ ବିଜୟଲାଭ କରିଥିଲା, ଲକ୍ଷ୍ମଣ ମୁଣ୍ଡା ପୁଣି ବିଧାନସଭାକୁ ଯାଇଥିଲେ। ଏବେ ସ୍ଥିତି ଏମିତି ହୋଇଛି ଯେ ଭିତିରି ବୁଝାମଣା ହୋଇ ବଣାଇ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଉନାହିଁ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସାରା ରାଜ୍ୟରେ ବିଜୟ ପତାକା ଉଡ଼ାଉଥିବା ବିଜେଡି ଏହି ଆସନରେ ବହୁବାର ଦ୍ୱିତୀୟ ସ୍ଥାନରେ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ। ଏ ଆସନ ପାଇଁ ନିଜେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ଆସିଛନ୍ତି। ଏବେ ମନ୍ତ୍ରୀପଦ ପାଇଥିବା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ଏ ଆସନକୁ ତଦାରଖ କରି ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ହେଲେ ଦଳ ଏ ଆସନରୁ ସଫଳ ହୋଇ ପାରିନାହିଁ।

ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ ବଣାଇ ମାଟିରେ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ତଥା ବିଭିନ୍ନ ଦଳ ସହିତ ଥିବା ଅଦୃଶ୍ୟ ବୁଝାମଣା କାରଣରୁ ସିପିଆଇ(ଏମ୍‌)କୁ ଫାଇଦା ମିଳୁଛି। ଚର୍ଚ୍ଚା ହେଉଛି ଯେ ଜିଲ୍ଲାରେ ବିଜେଡିର ମଙ୍ଗ ଧରିଥିବା ଏକାଧିକ ନେତା ନିଜ ନିଜ ଆସନରେ ନିଜର ସଫଳତା ପାଇଁ ସିପିଆଇ(ଏମ୍‌)କୁ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି ଏବଂ ବଣାଇଁ ଆସନରେ ଆଶାନୁରୂପ ବଳ ଖଟାଉନାହାନ୍ତି। ତେଣୁ ସାରା ରାଜ୍ୟରେ ବିଜେଡି ଶଙ୍ଖ ଅହରହ ବାଜୁଥିଲେ ହେଁ ବଣାଇ ସେଥିରୁ ବାଦ୍‌ ପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।