ଚିତ୍ରକୋଣ୍ଡା ୧୪।୭: ବଢୁଛି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଅଡୁଆ । ରାତି ଅଧରେ ଘରେ ପସି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଧାନସଭା ଅଚଳ ହେବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ପୀଡିତା ମହିଳାମାନେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚିତ୍ରକୋଣ୍ଡା ଏସଡିପିଓଙ୍କ ବିରୋଧରେ ୪ ଜଣ ପୀଡିତା ମାଲକାନଗିରି ଏସଡିଜେଏମ୍ କୋର୍ଟରେ ସିଆରପିସି ୨୦୦ରେ ଏକ ୧ସିସି ଦାଖଲ କରିଛନ୍ତି ।
ଗତ ମାସ ୭ ତାରିଖ ରାତିରେ ଚିତ୍ରକୋଣ୍ଡା ଆରଏସସି ୧୩ ଗାଁରେ ପସି ଗଞ୍ଜେଇ ଖୋଜିବା ଆଳରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ଘରେ ପସି ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ମହିଳା ପୋଲିସ ବିନା ଏସଡିପିଓ ଅଂଶୁମାନ ଦ୍ବିବେଦୀ ମହିଳାଙ୍କ ଘରେ ଚଢାଉ କରିଥିଲେ। ଏହି ଘଟଣାରେ ଆହତ ହୋଇ ମହିଳାମାନେ ଚିତ୍ରକୋଣ୍ଡା ଡାକ୍ତରଖାନାରେ ବି ଭର୍ତ୍ତି ହୋଇଥିଲେ । ତେଣୁ ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ବିରୋଧରେ ଆଇପିସିର ଧାରା ୨୯୪, ୩୨୩, ୫୦୬, ୩୫୪, ୪୫୮, ୪୬୦ ଓ ୩୪ରେ ମାମଲା ଦାୟର କରିବାକୁ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି । ଏହାସହ ଏସଡିପିଓଙ୍କୁ ତୁରନ୍ତ ଚାକିରୀରୁ ବରଖାସ୍ତ କରିବା ସହ ଗିରଫ ଦାବି କରିଛନ୍ତି ।