ରାଜ୍ୟ ସ୍ପେଶାଲ ରିପୋର୍ଟ

ବଡ଼ଦାଣ୍ଡରେ କଂଗ୍ରେସର ପଦଯାତ୍ରା: ‘କାର୍ତ୍ତିକ ପୂର୍ବରୁ ଚାରିଦ୍ବାର ଖୋଲ’

ପୁରୀ: କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲ। ଘଣ୍ଟା ଘଣ୍ଟା ମୁଣ୍ଡଫଟା ଖରାରେ ଭକ୍ତଙ୍କୁ ଛିଡ଼ା ନ କରି ଚାରିଦ୍ବାରରୁ ଦର୍ଶନର ସୁଯୋଗ ଦିଅ। ଚାବି ହଜିବା ବାହାନାରେ ବର୍ଷ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉନି। ତୁରନ୍ତ ରତ୍ନଭଣ୍ଡାର ଖୋଲି ଏଥିରେ ଥିବା ଅଳଙ୍କାର ଗଣତି ଓ ମଣତି କର। ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ଜମିରେ ଥିବା ୮୦ହଜାର ପରିବାରଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କର। ଆଜି ଏଭଳି ନାରା ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶହଶହ ନେତା, କର୍ମୀ ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଧସେଇ ପଶିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଠାରୁ ଏହାର ଜବାବ ମାଗିଛନ୍ତି। ଦଳ ପକ୍ଷରୁ ଏ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କୁ ପ୍ରଦାନ କରାଯାଇଛି। କୁମାର ପୂର୍ଣ୍ଣିମା ସୁଦ୍ଧା ଚାରିଦ୍ବାର ନ ଖୋଲିଲେ ଦଳ ପ୍ରତି ପଞ୍ଚାୟତରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ନେତା ଓ କର୍ମୀ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଏକାଠି ହେବା ପରେ ପଦଯାତ୍ରାରେ ବାହାରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଯିବାକୁ ଅନୁମତି ନ ଦେବାରୁ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ପରେ ବହୁ କଂଗ୍ରେସ ନେତା ଓ କର୍ମୀ ଧସେଇ ପଶି ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। କଂଗ୍ରେସ ଅଭିଯୋଗ କରିଛି, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଓ ଭକ୍ତଙ୍କ ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ନ ଖୋଲିବା ଦୁଃଖ ଓ ପରିତାପର ବିଷୟ। ତୁରନ୍ତ ଏହାର ମରାମତି ସହ କେତେ ପରିମାଣର ସୁନା, ରୁପା, ହୀରା, ମୋତି, ମାଣିକ୍ୟ ଓ ମୂଲ୍ୟବାନ ରତ୍ନପଥର ରହିଛି, ତାର ଗଣତି କରାଯାଉ। ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଯେଉଁ ଜମି ଦେଇଥିଲେ, ନିରୀହ ଚାଷୀମାନଙ୍କୁ କାଳବିଳମ୍ବ ନ କରି ଫେରାଇବାକୁ ଦଳ ଦାବି କରିଛି। ଆଜିର ଏହି ପଦଯାତ୍ରାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ବିଶ୍ବଭୂଷଣ ଦାସ, ବିଶ୍ବରଂଜନ ଦାସ, ବିଶ୍ବ ମହାନ୍ତି, ରବୀନ୍ଦ୍ର ସେଠୀ, ସିଦ୍ଧାର୍ଥ ରାଉତରାୟ, ନିଶିକାନ୍ତ ମିଶ୍ରଙ୍କ ସମେତ ରାଜ୍ୟ ମହିଳା କଂଗ୍ରେସ, ସେବା ଦଳ, ଜିଲ୍ଲା କଂଗ୍ରେସର ଯୁବ, ଛାତ୍ର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।