ରାଜ୍ୟ ସ୍ପେଶାଲ ରିପୋର୍ଟ

ବଙ୍ଗୋପସାଗରରେ ଆସୁଛି ବାତ୍ୟା: ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୩୦ ତାରିଖ ତଥା ଗୁରୁବାର ସୁଦ୍ଧା ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବା ସହ ଡିସେମ୍ବର ୨ ବେଳକୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ। ଏହାର ପ୍ରଭାବରେ ଡିସେମ୍ବର ପହିଲାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨ ତାରିଖ ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିମି ଏବଂ ସ୍ଥଳ ବିଶେଷରେ ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ବାତ୍ୟା କେଉଁଠି ସ୍ଥଳ ଭାଗ ସ୍ପର୍ଶ କରିବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥିସହ ଯେଉଁମାନେ ଗଭୀର ସମୁଦ୍ରରେ ରହିଛନ୍ତି ସେମାନେ ତୁରନ୍ତ ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଡିସେମ୍ବର ୩ ଓ ୪ରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ଏବଂ ୫ ଓ ୬ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେଣୁ ଓଡ଼ିଶାର କୃଷକମାନଙ୍କ ପାଇଁ ଆବଶ୍ୟକୀୟ ପରାମର୍ଶ ଜାରି କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ କୃଷି ସଚିବଙ୍କୁ ଚିଠି ଲେଖାଯାଇଛି। ଧାନ ସମେତ ଅନ୍ୟାନ୍ୟ ଫସଲ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ କୃଷି ବିଭାଗର ତଳସ୍ତର କର୍ମଚାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି।

ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର
ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା
ପହିଲାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ସତର୍କ ସୂଚନା ଜାରି କଲେ ଏସ୍‌ଆର୍‌ସି

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଡିସେମ୍ବର ୧ରେ ଗଭୀର ଅବପାତରେ ପରିଣତ ହୋଇ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ରହିବ। ଏହାର ଗତିପଥ ଓ ତୀବ୍ରତା ନେଇ ବିଭିନ୍ନ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ସମ୍ଭାବନା ହେଉଛି ଯେ ଡିସେମ୍ବର ୨ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ରହିବ। ଏହାପରେ ଦିଗ ପରିବର୍ତ୍ତନ କରିବ ଏବଂ ୩ ତାରିଖରେ ବାତ୍ୟା ରୂପ ନେବ। ୪ ତାରିଖରୁ ଉତ୍ତର-ପୂର୍ବ ଦିଗରେ ଗତି କରି ୬ ତାରିଖରେ ବାଂଲାଦେଶ ଉପକୂଳ ସ୍ପର୍ଶ କରିବ। ଯଦି ଏପରି ହୁଏ ତେବେ ଓଡ଼ିଶାରେ କିଛି ପରିମାଣରେ ବର୍ଷା ହୋଇପାରେ। ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲା, ୫ ଓ ୬ ତାରିଖରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ଉପକୂଳରୁ ବହୁ ଦୂର ଦେଇ ଏହା ଯାଉଥିବାରୁ ପବନ ନେଇ କୌଣସି ଭୟଭୀତ ହେବାର ଆଶଙ୍କା ନାହିଁ। ତେବେ ସମୁଦ୍ର ଅଶାନ୍ତ ରହିବାକୁ ଥିବା ବେଳେ କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଅଧିକ ବର୍ଷା ‌ହୋଇପାରେ। ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ କମ୍‌ ବର୍ଷା ହେବାକୁ ଥିବା ବେଳେ ବାକି ଅଞ୍ଚଳରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବ। ୨ ତାରିଖ ବେଳକୁ ଏହାର ଗତିପଥ ଓ ତୀବ୍ରତାର ଠିକ୍‌ ଆକଳନ କରାଯାଇପାରିବ। ତେବେ ଚାଷୀମାନେ ସତର୍କତା ଅବଲମ୍ବନ କରିପାରନ୍ତି। ପାଚିଥିବା ଠିଆ ଧାନ ଫସଲକୁ କାଟି ସୁରକ୍ଷିତ ସ୍ଥାନକୁ ନେବା, ଦକ୍ଷିଣ ଓଡ଼ିଶାର ପାଚିଲା ମକାକୁ ତୋଳିବା, ମେଘୁଆ ପାଗ ଯୋଗୁଁ ସମ୍ଭାବ୍ୟ ରୋଗପୋକ ପ୍ରତି ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।