ରାଜ୍ୟ ସ୍ପେଶାଲ ରିପୋର୍ଟ

ଫାଇଲ୍‌ ତଳେ ଜିଲ୍ଲା ସଦର ମହକୁମା ବସ୍‌ଷ୍ଟାଣ୍ଡର ବିକାଶ

ଖୋର୍ଦ୍ଧା: ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଓ ତ୍ବରିତ ଗମନାଗମନର ସୁବିଧା ଦେବା ପାଇଁ ପ୍ରତ୍ୟେକ ଜିଲ୍ଲାର ସଦରମହକୁମା ବସଷ୍ଟାଣ୍ଡ, ବ୍ଲକ ଓ ପଞ୍ଚାୟତ ମହକୁମାର ବସଷ୍ଟାଣ୍ଡର ବିକାଶ ସହ ଲକ୍ଷ୍ମୀ ବସ୍‌ ସଂଯୋଗ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହା ସହ ୫-ଟି ଅଭିଯାନରେ ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦିଆଯାଉଛି। ‌ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସହ ଏକାଧିକ ବସ୍‌ଷ୍ଟାଣ୍ଡର ବିକାଶ ପାଇଁ ଅନୁଦାନ ମିଳୁଛି, କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲାର ସଦର ମହକୁମାରେ ଥିବା ବସଷ୍ଟାଣ୍ଡ ଏଯାଏଁ ସରକାରଙ୍କ କୃପାଦୃଷ୍ଟିରେ ପଡ଼ିନାହିଁ। ପ୍ରାୟ ଦୁଇ ଦଶନ୍ଧୀ ପୂର୍ବେ ନିର୍ମିତ ହୋଇଥିବା ଭିତ୍ତିଭୂମି ମଧ୍ୟ ଏବେ ଭାଙ୍ଗିରୁଜି ଯିବାକୁ ବସିଛି।

ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡକୁ ଦୈନିକ ୪୦ରୁ ଉର୍ଦ୍ଧ୍ବ ବସ୍‌ ନୟାଗଡ଼, ବୌଦ୍ଧ, ଫୁଲବାଣୀ ଆଦି ସହ ଜିଲ୍ଲାର ଅନ୍ୟ ବ୍ଲକକୁ ଚଳାଚଳ କରେ। ବସଷ୍ଟାଣ୍ଡର ଭଡ଼ା ଆଦାୟ କେନ୍ଦ୍ରର ଏକ ମୋଟାମୋଟି ହିସାବ ଅନୁସାରେ ଦୈନିକ ୬ହଜାରରୁ ୭ ହଜାର ଯାତ୍ରୀ ଯିବାଆସିବା କରିଥାନ୍ତି।

ତତ୍‌କାଳୀନ ଖୋର୍ଦ୍ଧା-ନୟାଗଡ଼ ପ୍ରସ୍ତାବିତ ରାଜ୍ୟ ରାଜପଥ କଡ଼ରେ ଓ ପୋଷ୍ଟ ଅଫିସ ନିକଟରେ ଥିବା ବସ୍‌ଷ୍ଟାଣ୍ଡକୁ ସ୍ଥାନାଭାବ ଯୋଗୁଁ ୧୯୯୫ରେ ଭାଲିଆବାଡ଼ି ନକଟ ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହୋଇଥିଲା। ଭୁବ‌ନେଶ୍ବର ଉନ୍ନୟନ କର୍ତୃପକ୍ଷ ଏହାର ନିର୍ମାଣ କରି ପରିଚାଳନା ଭାର ଖୋର୍ଦ୍ଧା ପୌର ପରିଷଦକୁ ହସ୍ତାନ୍ତର କରିଥିଲା। ସେହି ସମୟରେ ନିର୍ମାଣ ହୋଇଥିବା ଦୋକନଘର ଠାରୁ ଭଡ଼ା, ପାର୍କିଂ ଫି, ସୁଲଭ ଶୌଚାଳୟ ବ୍ୟବହାର କର ଆଦି ପୌର ପରିଷଦ ଆଦାୟ କରି ଏହାର ରକ୍ଷଣାବେକ୍ଷଣ ଓ ମରାମତି କରିବା ପାଇଁ ଚୁକ୍ତି ହୋଇଥିଲା। ୨୦୧୦ରେ ଖୋର୍ଦ୍ଧା ଓ ଜଟଣୀ ବସ୍‌ଷ୍ଟାଣ୍ଡର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍‌ ଆଇଆଇଟି ଖଡ଼ଗପୁର ପ୍ରସ୍ତୁତ କରି ବିଡିଏକୁ ହସ୍ତାନ୍ତର କରିଥିଲା। ଗ୍ରେଟର ଭୁବନେଶ୍ବର ଯୋଜନାରେ ଏହାକୁ ଭୁବନେଶ୍ବର ବସ୍‌ଷ୍ଟାଣ୍ଡ ଢାଞ୍ଚାରେ ବିକାଶ କରାଯିବାକୁ ଯୋଜନା ରହିଥିଲା। ଏହା ମଧ୍ୟରେ ୧୩ ବର୍ଷ ବିତିଯାଇଛି କିନ୍ତୁ ଏନେଇକୌଣସି ପଦକ୍ଷେପ ନିଆଯାଇପାରିନାହିଁ। ୨୦୨୦ରେ, ମୁକ୍ତା ଯୋଜନାରେ ବସ୍‌ଷ୍ଟାଣ୍ଡର ବିକାଶ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ନିଷ୍ପତ୍ତି ମଧ୍ୟ ହୋଇଥିଲା, କିନ୍ତୁ ଏହି ନିଷ୍ପତ୍ତି ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତମାନ ଏହାର ଦାୟିତ୍ବ ବିଡିଏ ହାତରେ ଅଛି ନା ପୌର ପରିଷଦ ହାତରେ ସେନେଇ ଉଭୟ ବିଭାଗ ସନ୍ଦେହରେ ଅଛନ୍ତି। ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନାରେ ବସ୍‌ଷ୍ଟାଣ୍ଡ ପରିଚାଳନା, ରକ୍ଷଣାବେକ୍ଷଣ‌ କାର୍ଯ୍ୟରେ ଓ  ଭଡ଼ା ଟଙ୍କା ଆଦାୟରେ ବ୍ୟାପକ ଜାଲିଆତି ହେବା ଅଭିଯୋଗ ହୋଇଥିଲା। ଫଳରେ ୨୦୧୭ରେ ପୁଣିଥରେ ପୌର ପରିଷଦରେ ଏକ ପ୍ରସ୍ତାବ ଗୃହୀତ ହୋଇ ଏହାକୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ)କୁ ହସ୍ତାନ୍ତର କରାଯାଇଛି।

ଗତ ତିନି ବର୍ଷ ଧରି ଭାଙ୍ଗିରୁଜି ଯାଇଥିବା ସୁଲଭ ଶୌଚାଳୟଟି ଅନେକ ଦାବି ପରେ ବର୍ତମାନ ମରାମତି କରାଯାଇଛି, କିନ୍ତୁ ଏହା ସର୍ବସାଧାରଣ ବ୍ୟବହାର ଯୋଗ୍ୟ ହୋଇପାରିନାହିଁ।  ସେହିଭଳି ଦୋକାନଘରଗୁଡ଼ିକରୁ ଭଡ଼ା ନିଆଯାଉଥିବା ବେଳେ ଅନେକ ଦୋକାନକୁ ବିଦ୍ୟୁତ୍‌ସଂଯୋଗ ବିଛିନ୍ନ ହୋଇଯାଇଛି। ଯେଉଁ ଦୋକାନଗୁଡ଼ିକ ସଚଳ ରହିଛି ମରାମତି ଅଭାବରୁ ବର୍ଷା ହେଲେ ପାଣି ଗଳିବା ସହ ଛାତ ଭୁଷୁଡ଼ିବା ଅବସ୍ଥାରେ ରହିଛି। ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ରଜିୱାନା କ୍ବାକୁମ୍‌ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବର୍ତମାନ କୌଣସି ସ୍ବତନ୍ତ୍ର ଯୋଜନାରେ ବସ୍‌ଷ୍ଟାଣ୍ଡକୁ ଯୋଡ଼ାଯାଇନାହିଁ। ବସ୍‌ଷ୍ଟାଣ୍ଡର ଦୋକାନୀମାନେ ଦୋକାନଘର ମରାମତି ଓ ବିଦ୍ୟୁତ୍‌ସଂଯୋଗ ଆଦି ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।