ଢେଙ୍କାନାଳ ୧୭/୧୨ : ପଡ଼ିଆ ଜମିରେ ଟଙ୍କା ଫଳାଇଲେ ମହିଳା ଚାଷୀ । ଏକଥା ଆପଣଙ୍କୁ ଟିକେ ଅଜବ ଲାଗୁଥିବ, ହେଲେ ଢ଼େଙ୍କାନାଳ ସଦର ବ୍ଲକ ଶଙ୍ଖୁଆ ଗାଁର କିଛି ମହିଳା ଚାଷୀଙ୍କୁ ଉଦ୍ୟମକୁ ଦେଖିଲେ ଆପଣ ବୁଝିପାରିବେ ଏହାର ପ୍ରକୃତ ରହସ୍ୟ କ’ଣ ।
କିଛି ଦିନ ପୂର୍ବରୁ ପଡ଼ିଆ ପଡ଼ିଥିବା ଏହି ଜମିରେ ଆଜି ଫଳୁଛି ଟଙ୍କା । ଯେଉଁ ଟଙ୍କାରେ ଚଳୁଛନ୍ତି ୨୨ ଗରିବ ପରିବାର । ଢ଼େଙ୍କାନାଳ ଜିଲ୍ଲା ଶଙ୍ଖୁଆ ଗାଁ ନିକଟରେ ଏହି ୧୦ହେକ୍ଟର ଜମି ବହୁଦିନ ଧରି ଅଦରକାରୀ ହୋଇପଡ଼ି ରହିଥିଲା । ଗାଁର ଶବର ସାହିରେ ରହୁଥିବା ଅତ୍ୟନ୍ତ ଗରିବ ଓ ଦିନ ମଜୁରୀ କରି ଚଳୁଥିବା ମହିଳାମାନଙ୍କ ଉଦ୍ୟମରେ ଏହି ପଡ଼ିଆ ଜମିରେ କାଜୁ ଓ ରାଶି ଚାଷ ହେଉଛି । ଗାଁର ୧୨ଜଣ ମହିଳା ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଢ଼େଙ୍କାନାଳ ଜଳବିଭାଜିକ ପ୍ରକଳ୍ପରୁ ୨୮ଲକ୍ଷ ୪୨ହଜାର ଟଙ୍କା ସହାୟତା ନେଇ ଏହି ଜମିରେ ୨ହଜାର କାଜୁ ଗଛ ଲଗାଇଛନ୍ତି । ଯାହା ଆଗାମୀ ଦିନରେ ପରିବାର ପିଚ୍ଛା ବାର୍ଷିକ ଲକ୍ଷେ ଟଙ୍କା ଲେଖାଏଁ ରୋଜଗାରର ସମ୍ଭାବନା ସୃଷ୍ଟି କରିଛି । ଏଥି ସହ ସେମାନେ ଏହି ଜମିରେ ରାଶି ଚାଷ ମଧ୍ୟ କରିଛନ୍ତି । ଏମିତିରେ ଗାଁର ଗରିବା ମହିଳାମାନେ ସ୍ବାବଲମ୍ବୀ ହୋଇପାରିଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ପୂର୍ବରୁ ନିଜ ପରିବାର ପେଟ ପୋଷିବାକୁ ଅନ୍ୟ ପାଖରେ ମୂଲ ଲାଗୁଥିବା ଏହି ମହିଳାମାନେ ଏବେ ନିଜ ଇଚ୍ଛାର ନିଜେ ମାଲିକ ହୋଇଛନ୍ତି । ଘର ଚଳାଇବାକୁ ସେମାନଙ୍କୁ ଆଉ ସ୍ବାମୀଙ୍କ ପାଖରେ ହାତ ପତାଇବାକୁ ପଡ଼ୁନି । ପରିଶ୍ରମର ଫଳ ପାଇ ପରିବାର ଚଳାଇବାକୁ ସକ୍ଷମ ହୋଇପାରିଥିବାରୁ ସେମାନଙ୍କ ମନ ବି ଆନନ୍ଦରେ ପୂରି ଉଠିଛି ।
ସରକାରୀ ସହାୟତା ସାଙ୍ଗକୁ ନିଜ ନିଷ୍ଠା ଓ ଉଦ୍ୟମ ବଳରେ ଏହି ଗରିବ ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଆଉ ଏବେ ପଡ଼ିଆ ଜମିରେ ସବୁଜ ଫସଲ ଏମାନଙ୍କ ମୁହଁରେ ହସ ଫୁଟାଇଛି ।