ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରସୂତିଙ୍କ ଜୀବନ ନେଲା ଡେଙ୍ଗୁ

ଭୁବନେଶ୍ବର: ବେକାବୁ ଡେଙ୍ଗୁକୁ କାବୁ କରିବାକୁ ବିଏମ୍‌ସି ଯତ୍‌ପରୋନାସ୍ତି ଉଦ୍ୟମ କରୁଥିବା କହୁଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା କୁହାଯାଉଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ‘ଆଗ୍ରେସିଭ୍‌ ଆୱାରନେସ୍‌’। ଅର୍ଥାତ୍‌ ପ୍ରତ୍ୟେକ ଲୋକ ପାଖରେ ଯେଭଳି ସେଚତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ କରାଯାଉଛି। ହେଲେ ଏ ସବୁ ଧୂଆଁବାଣ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଛୁଇଁବାକୁ ବସିଥିବା ବେଳେ ଆଜି ରାଜଧାନୀରେ ଦ୍ବିତୀୟ ଡେଙ୍ଗୁ ମୃତ୍ୟୁ ହୋଇଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଡେଙ୍ଗୁ ଜଣେ ପ୍ରସୂତିଙ୍କ ଜୀବନ ନେଇଛି। ମୃତା ମହିଳା ହେଉଛନ୍ତି ଭିଏସ୍‌ଏସ୍‌ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି। ଶିଶୁକନ୍ୟାଙ୍କୁ ଜନ୍ମ ଦେବାର ୭ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି। ଶିଶୁକନ୍ୟା ସୁସ୍ଥ ଥିବା ହସ୍‌ପିଟାଲ୍‌ ପକ୍ଷରୁ କୁହାଯାଇଛି।

ଆଉ କେତେ ମଲେ ଚେତିବେ?

ଡ୍ରାଏ ଡେ, ଘରଘର ଅଭିଯାନ, ଆଗ୍ରେସିଭ୍‌ ଆୱାରନେସ୍‌ ସବୁ ଧୂଆଁବାଣ

ଗତ ୨୧ ତାରିଖରେ ଶର୍ମିଷ୍ଠା ଗର୍ଭଜନିତ କଷ୍ଟ ଯୋଗୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୩ ତାରିଖରେ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ସେତେବେଳେ ସେ ସୁସ୍ଥ ଥିଲେ। ୨୫ ତାରିଖରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଜ୍ବର ହେବା ସହ ବାନ୍ତି ହୋଇଥିଲା। ଏଣୁ ତାଙ୍କର ଅନ୍ୟାନ୍ୟ ପରୀକ୍ଷା ସହ ଡେଙ୍ଗୁ ପରୀକ୍ଷା କରାଯାଇଥିଲା। ସେତେବେଳେ ତାଙ୍କର ଡେଙ୍ଗୁ ପଜିଟିଭ୍‌ ରିପୋର୍ଟ ଆସିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟରେ କ୍ରମାଗତ ଭାବରେ ଅବନତି ଘଟିଚାଲିଥିଲା। ଶେଷରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବରୁ ବିଏମ୍‌ସି ନୂଆପଲ୍ଲୀ, ଜୟଦେବବିହାର, ପୁରୁଣା ଭୁବନେଶ୍ବର, ଜାଗମରା ପ୍ରଭୃତି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଭାବରେ ଚିହ୍ନଟ କରି ଡେଙ୍ଗୁ ନିବାରଣ କାର୍ଯ୍ୟକ୍ରମ ଚଳାଇଥିଲା। କିନ୍ତୁ ଭିଏସ୍‌ଏସ୍‌ ନଗରର ବାସିନ୍ଦା ଡେଙ୍ଗୁରେ ମୃତ୍ୟୁ ବରଣ କରିବା ପରେ ବିଏମ୍‌ସିର ବୁଦ୍ଧି ହଜିଯାଇଛି। ଏହି ଅଞ୍ଚଳରେ ଏବେ ସଚେତନତା ସହ ମଶାଧୂଆଁ, ମଶା ଲାର୍ଭା ନଷ୍ଟ କରୁଥିବା ତେଲ ସିଞ୍ଚନ କରିବା ଆରମ୍ଭ କରିଛି। ‘ଘର ଘର ଅଭିଯାନ’ରେ ଡାକ୍ତରମାନେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆସନ୍ତାକାଲି ଏକ ସ୍ବତନ୍ତ୍ର ଟିମ୍‌ ଭିଏସ୍‌ଏସ୍‌ ନଗର ବୁଲି ସମ୍ପୃକ୍ତ ଅଞ୍ଚଳର ସ୍ଥିତି ପରୀକ୍ଷା କରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି। ୨୪ ଘଣ୍ଟାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏବେ ୪୧ ଜଣ ଆକ୍ରାନ୍ତ ରହିଥିବା ବେଳେ ଆଜି ନୂଆ ୪ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।