ରାଜ୍ୟ

ପ୍ରଶାସନିକ ବିଭ୍ରାଟ ବଢ଼ୁଛି: ବିନା କାମରେ ୨ ଡଜନ୍ ବାବୁଙ୍କୁ ଦରମା

ଭୁବନେଶ୍ବର: ରାଜ୍ୟରେ ଏବେ ପ୍ରଶାସନିକ ମହଲରେ ବିଚିତ୍ର ସ୍ଥିତି ଦେଖାଦେଇଛି। ୨୪ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଘରେ ବସାଇ ଲକ୍ଷାଧିକ ଟଙ୍କା ଦରମା ଦେଉଛନ୍ତି ସରକାର। ଅନ୍ୟ ପଟେ କିଛି ଅଧିକାରୀଙ୍କୁ ଅବସର ପରେ ଚାକିରି ଦେବାକୁ ରକେଟ୍‌ ବେଗରେ ଫାଇଲ୍‌ କାମ ହେଉଛି। ପ୍ରଶାସନିକ ସ୍ତରରେ ଏମିତି ସବୁ ଅଲୋଡ଼ା ନିଷ୍ପତ୍ତି କାହିଁକି ନିଆଯାଉଛି, ତାହା ଏବେ କ୍ଷମତା କରିଡର୍‌ରେ ଚର୍ଚ୍ଚାର ବିଷୟ।

ଗତ ସରକାର ସମୟରେ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ଓ ଓଏସ୍‌ଡି ଭାବେ ବରିଷ୍ଠ ଓଏଏସ୍‌ ଅଧିକାରୀମାନେ ନିଯୁକ୍ତି ପାଇଥିଲେ। ଜୁନ୍ ୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲା ପରେ ମନ୍ତ୍ରୀମାନଙ୍କ କାର୍ଯ୍ୟ ଆପାତତଃ ଶେଷ ହୋଇଥିଲା। ତାହା ପରେ ପିଏସ୍‌ ଓ ଓଏସ୍‌ଡିମାନେ ଦାୟିତ୍ବମୁକ୍ତ ହୋଇଥିଲେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସେମାନେ ସଂସଦୀୟ ବ୍ୟାପାର ବିଭାଗକୁ ଫେରିଯାଇଥିଲେ। ଏହା ବାଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ଓଏଏସ୍‌ ଅଧିକାରୀ ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଫେରି ଆସିଛନ୍ତି। ଏହା ମଧ୍ୟରେ ପାଖାପାଖି ଦେଢ଼ ମାସ ହୋଇଗଲାଣି। ଯେହେତୁ ସଂସଦୀୟ ବ୍ୟାପାର ବିଭାଗରେ କିଛି କାମ ନାହିଁ କି ବସିବାକୁ ଜାଗା ନାହିଁ, ତେଣୁ ସେମାନେ ହାଜିରା ପକାଇ ଘରକୁ ଯାଉଛନ୍ତି। ଏମିତି ଭାବେ ବିନା କାମରେ ଦେଢ଼ ମାସ ହେଲା ବସିଥିବା ଅଧିକାରୀଙ୍କ ସଂଖ୍ୟା ପ୍ରାୟ ୨୪ ହେବ। ସମସ୍ତେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସ୍ବତନ୍ତ୍ର ସଚିବ ପାହ୍ୟାର। ସରକାର ସେମାନଙ୍କୁ ବିନା କାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଦରମା ଦେଇସାରିଲେଣି। ଏମିତି ସରକାରୀ ପଇସାକୁ ବରବାଦ କରିବା ପଛର ଯୁକ୍ତି କ’ଣ ବୁଝାପଡ଼ୁନି। ଏହି ଅଧିକାରୀଙ୍କ ମଧ୍ୟରୁ ୪/୫ ଜଣ ବର୍ତ୍ତମାନର ମନ୍ତ୍ରୀଙ୍କ ପାଖରେ ବ୍ୟକ୍ତିଗତ ସଚିବ ଭାବେ ରହିବାକୁ ଆଗ୍ରହୀ ଥିଲେ। ମନ୍ତ୍ରୀମାନେ ମଧ୍ୟ ସେମାନଙ୍କୁ ଚାହୁଥିଲେ। କିନ୍ତୁ ପୂର୍ବ ସରକାରର କୌଣସି ପିଏସ୍‌ଙ୍କୁ ବର୍ତ୍ତମାନ ରଖାଯିବ ନାହିଁ ବୋଲି ସରକାର ଏକ ଅଲିଖିତ ନିଷ୍ପତ୍ତି ନେଲେ। ଫଳରେ ଏହି ପ୍ରକ୍ରିୟା ଅଟକିଗଲା।

ଅପର ପକ୍ଷରେ ପ୍ରଶାସନିକ ସ୍ତରରେ ଅବସର ପରେ ନିଯୁକ୍ତି ଦେବାକୁ ବେଶ୍‌ ତତ୍ପରତା ପ୍ରକାଶ ପାଉଛି। ସରକାର ମଧ୍ୟ ଆଖି ବୁଜି ସମ୍ମତି ଜଣାଉଛନ୍ତି। ବିଭିନ୍ନ ବିଭାଗରେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀଙ୍କୁ ଥଇଥାନ ଚାଲିଛି। ଏହା ମଧ୍ୟରେ ନଗର ଉନ୍ନୟନ ବିଭାଗରୁ ଅବସର ନେଇଥିବା ସଂଗ୍ରାମଜିତ ନାୟକ ଓ ଶାରଦା ପଣ୍ଡାଙ୍କୁ ପୁନଃନିଯୁକ୍ତି ଦିଆସରିଲାଣି। ଶ୍ରୀ ନାୟକ ଅବସର ପରେ ଦୁଇ ବର୍ଷ ଅଧିକ ସମୟ ଚାକିରି କରିସାରିଥିଲେ। ଜୁନ୍ ୩୦‌ରେ ତାଙ୍କର ଅବସର ପରେ ତାଙ୍କୁ ସଙ୍ଗେସଙ୍ଗେ ଜାଗା ମିସନ୍‌ରେ ନିଯୁକ୍ତି ଦିଆଯାଇଛି। ସେ ଅଫିସ୍‌ ଯାଇ କାମ ଆରମ୍ଭ କଲେଣି। ନଗର ଉନ୍ନୟନ ବିଭାଗରେ ଲମ୍ବା ସମୟ ଧରି ଗାଦି ମାଡ଼ି ବସିଥିବା ଓଏଏସ୍‌ ଅଧିକାରୀ ଶାରଦା ପଣ୍ଡା ଜୁନ୍ ୩୦ରେ ଅବସର ନେଲେ। ତାଙ୍କୁ ମଧ୍ୟ ସେହି ବିଭାଗରେ ଥଇଥାନ କରାସରିଲାଣି। ସେମିତି ଗଣଶିକ୍ଷା ବିଭାଗ‌ରେ ଜଣେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀ ଖଗେଶ୍ବର ପାଢ଼ୀଙ୍କୁ ବାରମ୍ବାର ନିଯୁକ୍ତି ଦିଆଚାଲିଛି। ନୂଆ ସରକାର ଆସିଲା ପରେ ମଧ୍ୟ ତାଙ୍କୁ ପୁନଃନିଯୁକ୍ତି ମିଳିଛି। ଏହା ବାଦ୍ ଅନ୍ୟ ପଦପଦବିରେ ମଧ୍ୟ ଅବସରପ୍ରାପ୍ତଙ୍କୁ ଥଇଥାନ ପ୍ରକ୍ରିୟା ଜାରି ରହିଛି।

ପ୍ରଶାସନିକ କ୍ଷେତ୍ରରେ ବିଭ୍ରାଟ ସେତିକିରେ ସରୁନି। ମାଳମାଳ ଅଧିକାରୀ ବିନା କାମରେ ବୁଲୁଥିଲା ବେଳେ ଜିଲ୍ଲାପାଳ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେବା ଘଟଣାକୁ ବୁଦ୍ଧିଜୀବୀ ଗ୍ରହଣ କରିପାରୁନାହାନ୍ତି। କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଗଲା। କିନ୍ତୁ ସେହି ଦୁଇଟି ଜିଲ୍ଲାରେ ତତ୍କାଳ ଜିଲ୍ଲାପାଳ ଭାବେ କାହାରିକୁ ନିଯୁକ୍ତି ଦିଆଯାଇପାରି ନାହିଁ। ଗତକାଲି ଶ୍ରୀ ଡାକୁଆ ଓ ଶ୍ରୀ ଶାହ ସେଠାକାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଜିଲ୍ଲା ଛାଡ଼ିସାରିଲେଣି। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ମଧ୍ୟ ସମାନ ରହିଛି। ଏଠାକାର ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇ ନୂଆଦିଲ୍ଲୀ ଯାଇସାରିଲେଣି। କିନ୍ତୁ ଦୁଇ ସପ୍ତାହ ହେଲାଣି ସେଠି ଜିଲ୍ଲାପାଳ ନିଯୁକ୍ତି ପାଉନାହାନ୍ତି। ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ତୁଲାଉଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ ନିଯୁକ୍ତି କ୍ଷେତ୍ରରେ କ’ଣ ପ୍ରତିବନ୍ଧକ ରହିଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିଷ୍ପତ୍ତି ନେବାରେ ସରକାରଙ୍କୁ କିଛି ସମସ୍ୟା ହେଉଛି ନା ଆଉ କିଛି ଚାପ ବାଟ ଓଗାଳୁଛି, ତାହା ଏବେ ଚର୍ଚ୍ଚାର ବିଷୟ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।