ଟୋକିଓ: ଟୋକିଓ ପାରାଲିମ୍ପିକ୍ସ ଖେଳୁଥିବା ଓଡ଼ିଶାର ଏକମାତ୍ର ଖେଳାଳି ପ୍ରମୋଦ ଭଗତ ଏସଏଲ୍-୩ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଏକକ ବର୍ଗରେ ଚିତ୍ତାକର୍ଷକ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଅନ୍ୟତମ ଭାରତୀୟ ମନୋଜ ସରକାରଙ୍କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨-୧ (୨୧-୧୦, ୨୧-୨୩, ୨୧-୯)ରେ ପରାସ୍ତ କରି ସେମିଫାଇନାଲର ନିକଟତର ହୋଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ମାତ୍ର ୫୬ ମିନିଟ୍ ସମୟ ନେଇଥିଲେ ପ୍ରମୋଦ। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ପ୍ରମୋଦ ଏବଂ ତୃତୀୟ ସ୍ଥାନରେ ଥିବା ମନୋଜ ପ୍ରଥମ ଦୁଇ ସେଟ୍ ପରେ ୧-୧ ସ୍ଥିତିରେ ଥିଲେ। ତେବେ ନିର୍ଣ୍ଣାୟକ ତୃତୀୟ ସେଟ୍ରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ପ୍ରମୋଦ ପାରାଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଥିଲେ। ନିଜ ପୁରୁଷ ଯୁଗଳ ସାଥୀ ମନୋଜଙ୍କୁ ପରାସ୍ତ କରିବା ପରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ ଜିତିଲେ ପ୍ରମୋଦ ପୁରୁଷ ଏକକର ସେମିଫାଇନାଲ୍ରେ ପ୍ରବେଶ କରିବେ।
ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ମାର୍କଣ୍ଡ ରେଡ୍ଡୀ ବେଜିଂ ପାରାଲିମ୍ପିକ୍ସ ଖେଳିଥିଲେ। ଏହାର ଦୀର୍ଘ ୧୩ ବର୍ଷ ପରେ ପ୍ରମୋଦ ଦ୍ବିତୀୟ ଓଡ଼ିଆ ଭାବେ ପାରାଲିମ୍ପିକ୍ସ ଖେଳୁଛନ୍ତି। ସେ ମଧ୍ୟ ଏଥର ରାଜ୍ୟକୁ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ମିଶ୍ରିତ ଯୁଗଳର ପ୍ରଥମ ମ୍ୟାଚ୍ରେ ପ୍ରମୋଦ ଓ ପଲକ କୋହଲି ଯୋଡ଼ି ହାରି ଯାଇଛନ୍ତି। ସେହିଭଳି ପଲକ ମଧ୍ୟ ନିଜ ପ୍ରଥମ ମହିଳା ଏକକ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ତାଙ୍କୁ ଆୟୋଜକ ଜାପାନର ଟପ୍ ସିଡ୍ ଆୟାକୋ ସୁଜୁକି ୨୧-୪, ୨୧-୭ରେ ପରାସ୍ତ କରି ଦେଇଥିଲେ। ଏହି ମ୍ୟାଚ୍ ଜିତିବାକୁ ସୁଜୁକିଙ୍କୁ ମାତ୍ର ୧୯ ମିନିଟ୍ ଲାଗିଥିଲ।
ମିଶ୍ରିତ ଯୁଗଳ ମ୍ୟାଚ୍ ହାରିଲେ ପ୍ରମୋଦ-ପଲକ
ଟୋକିଓ ପାରାଲିମ୍ପିକ୍ସର ବୁଧବାରଠାରୁ ଆରମ୍ଭ ହୋଇଥିବା ବ୍ୟାଡମିଣ୍ଟନ୍ ଖେଳରେ ଭାରତୀୟ ପ୍ରତିଯୋଗୀ ଭଲ ଆରମ୍ଭ କରିପାରି ନଥିଲେ। ମିଶ୍ରିତ ଯୁଗଳରେ ଓଡ଼ିଶାର ପ୍ରମୋଦ ଭଗତ ଓ ପଲକ କୋହଲିଙ୍କ ଯୋଡ଼ି ଲଢ଼ୁଆ ଖେଳ ଖେଳିବା ସତ୍ତ୍ବେ ଦ୍ବିତୀୟ ସିଡ୍ ଲୁକାସ ମାଜୁର-ଫଷ୍ଟିନ ନୋଏଲଙ୍କଠାରୁ ୯-୨୧, ୨୧-୧୫, ୧୯-୨୧ରେ ପରାଜିତ ହୋଇଥିଲେ। ଏହି ମ୍ୟାଚ୍ ଜିତିବାକୁ ଫ୍ରାନ୍ସର ମାଜୁ-ନୋଏଲ ଯୋଡ଼ି ୪୩ ମିନିଟ୍ ସମୟ ନେଇଥିଲେ। ପ୍ରଥମ ମ୍ୟାଚ୍ ହାରିବା ପରେ ସେମିଫାଇନାଲ୍ ଖେଳିବା ଲାଗି ପ୍ରମୋଦ-ପଲକଙ୍କ ପାଇଁ ନିଜ ପରବର୍ତ୍ତୀ ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ଏହି ମ୍ୟାଚ୍ ଉଭୟଙ୍କ ପାଇଁ କର ବା ମର ହେବ। ପରବର୍ତ୍ତୀ ମୁକାବିଲାରେ ପଲକ-ପ୍ରମୋଦ ଥାଇଲାଣ୍ଡର ସିରିପଙ୍ଗ ତିମାରମ୍ ଓ ସେନସୁପା ନିପଦାଙ୍କୁ ଭେଟିବେ।
ଅମିତ ପଞ୍ଚମ, ଧରମବୀର ଅଷ୍ଟମ
ଏଏଫ୍୫୧ କ୍ଲବ୍ ଥ୍ରୋ ପ୍ରତିଯୋଗିତାରେ ଭାରତର ଅମିତ କୁମାର ଓ ଧରମବୀର ବି ନିରାଶ କରିଥିଲେ। ଉଭୟ ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ଅମିତ ଅବଶ୍ୟ ୨୭.୭୭ ମିଟର ସଫଳତା ସହ ବ୍ୟକ୍ତିଗତ ଭାବେ ଋତୁର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ୩୨ ବର୍ଷୀୟ ଧରମବୀର ୨୫.୫୯ ମିଟର ସଫଳତା ସହ ଚଳିତ ଋତୁର ଦ୍ବିତୀୟ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଉଭୟ ଅମିତ ଓ ଧରମବୀର ଏସିଆନ୍ ପାରା କ୍ରୀଡ଼ାରେ ପଛକୁ ପଛ ରହି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।