ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରମୁଖ ମାର୍କେଟ୍‌ର ଶୋଚନୀୟ ସ୍ଥିତି: ସୁଧୁରୁନି ପାଇଖାନା ସମସ୍ୟା

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜଧାନୀର ପ୍ରମୁଖ ମାର୍କେଟ୍‌ଗୁଡ଼ିକରେ ସର୍ବସାଧାରଣଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ସମ୍ଭବ ହୋଇପାରିନାହିଁ। ସହରର ସୌନ୍ଦର୍ଯ୍ୟୀକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ମାଳମାଳ ଯୋଜନା କରାଯାଉଛି। କିନ୍ତୁ ବଡ଼ବଡ଼ ମାର୍କେଟ୍‌ଗୁଡ଼ିକରେ ଲୋକଙ୍କ ପାଇଁ ପାଇଖାନା ଓ ପାନୀୟ ଜଳ ଯୋଗାଣ ଭଳି ସୁବିଧା ନାହିଁ। ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ହେଉ କି ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟ୍‌ ହେଉ, ସବୁଠି ପାଇଖାନା ସମସ୍ୟାରେ ଲୋକେ ବଡ଼ ହନ୍ତସନ୍ତ ହେଉଛନ୍ତି। ସେହିଭଳି ପାଦଚଲା ରାସ୍ତାରେ ପଡ଼ିଥିବା ଫେଭର ବ୍ଲକ୍‌ ଉଠିଯାଇଥିବାରୁ ଲୋକେ ଚାଲିବା ବେଳେ ଝୁଣ୍ଟି ପଡ଼ି ଖଣ୍ଡିଆଖାବରା ହେଉଛନ୍ତି।

କେବଳ ପର୍ବପର୍ବାଣୀ ନୁହେଁ, ବର୍ଷର ସବୁ ସମୟରେ ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ଗହଳି ଲାଗିରହିଥାଏ। ରାଜଧାନୀ ଓ ରାଜଧାନୀ ବାହାରୁ ଲୋକେ ଏଠାକୁ ବଜାର କରିବାକୁ ଆସନ୍ତି। ପର୍ବପର୍ବାଣୀରେ ଏମିତି ଭିଡ଼ ହୁଏ ଯେ କଡ଼ ଆଡ଼େଇବାକୁ ସ୍ଥାନ ମିଳେନାହିଁ। ମାତ୍ର ପରିତାପର କଥା ଏଠାରେ ମାତ୍ର ଗୋଟିଏ ଟଏଲେଟ୍‌ ରହିଛି। ତାହା ପୁଣି ଭଲ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ମହିଳା, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଏହି ମାର୍କେଟ୍‌କୁ ଆସି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପାଦଚଲା ରାସ୍ତାରେ ପଡ଼ିଥିବା ପେଭର ବ୍ଲକ୍‌ ଭାଙ୍ଗି ଯାଇଥିବାରୁ ଲୋକେ ଝୁଣ୍ଟି ପଡ଼ି ଆହତ ହେଉଛନ୍ତି। ଏଠାରେ ସ୍ୱତନ୍ତ୍ର ବହୁତଳ ପାର୍କିଂ ଥିଲେ ବି ଲୋକମାନେ ମନଇଚ୍ଛା ରାସ୍ତା ଉପରେ ଗାଡ଼ି ରଖୁଛନ୍ତି। ଫଳରେ ପୂର୍ବ ଭଳି ଟ୍ରାଫିକ୍‌ ଜାମ୍‌ ହେଉଛି। ସେହିଭଳି ମାର୍କେଟ୍‌ ଭିତରେ ସଫେଇ କରାଯାଉନଥିବାରୁ କୁଢ଼କୁଢ଼ ଆବର୍ଜନା ଗଦା ହୋଇରହୁଛି। ମାର୍କେଟ୍‌ ବିଲ୍‌ଡିଂ ପରିସରରେ ଥିବା ପ୍ଲାଷ୍ଟିକ ପ୍ରକ୍ରିୟାକରଣ ମେସିନ୍‌ ମଧ୍ୟ ବର୍ଷେ ହେବ ଅଚଳ ହୋଇ ପଡ଼ିରହିଛି।

ସେହିପରି ସିଆର୍‌ପି ପ୍ରିୟଦର୍ଶିନୀ ମାର୍କେଟ୍‌ରେ ବି ବହୁ ସମସ୍ୟା ରହିଛି। ଏଠାରେ ବର୍ଷେ ହେବ ଅଚଳ ହୋଇପଡ଼ିଛି ଇ-ଟଏଲେଟ୍‌। ଏଠାରେ କିଛି ଅଂଶରେ ପେଭର ବ୍ଲକ ପଡ଼ିଥିବା ବେଳେ ଆଉ କିଛି ଅଂଶ ଫାଙ୍କା ରହିଛି। ଫଳରେ ଅସରାଏ ବର୍ଷା ହେଲେ ସେହି ଅଂଶ କାଦୁଅ ପଚପଚ ହୋଇପଡ଼ୁଛି। ସ୍ଥାନୀୟ କର୍ପୋରେଟରଙ୍କ ସୂଚନାନୁସାରେ ଏଠାରେ ‘ମୁକ୍ତା’ ଯୋଜନାରେ ସୌନ୍ଦର୍ଯ୍ୟୀକରଣ ପାଇଁ ଯୋଜନା ହୋଇଛି ଏବଂ ଆଉ ଗୋଟିଏ ଶୌଚାଳୟ ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ଖୁବ ଶୀଘ୍ର କାମ ଆରମ୍ଭ ହେବ। ସେହିପରି ନୂଆପଲ୍ଲୀ ଗାନ୍ଧୀ ମାର୍କେଟ୍‌ରେ ବି ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଏଠାରେ ମଧ୍ୟ ବର୍ଷେ ହେବ ଇ-ଟଏଲେଟ୍‌ ଅଚଳ ହୋଇପଡ଼ିଛି। ହାଟ ଭିତରେ ଗୋଟିଏ ମାତ୍ର ଟଏଲେଟ୍‌ ଥିବାରୁ ମହିଳାମାନେ ହଇରାଣରେ ପଡ଼ୁଛନ୍ତି। ମାର୍କେଟ୍‌ ପରିସରରେ ଲାଗିଥିବା ସ୍ମାର୍ଟ କିଓସ୍କ ମଧ୍ୟ ଅଚଳ ହୋଇପଡ଼ିରହିଛି। କିଓସ୍କଗୁଡ଼ିକ ବର୍ତ୍ତମାନ ବେପାରୀମାନଙ୍କ ଗୋଦାମ ଘର ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।