‘‘ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ / ହରେକୃଷ୍ଣ ହରେ ରାମ ଶ୍ରୀରାଧେଗୋବିନ୍ଦ’’, ‘‘ଭଜ ନିତାଇ ଗୌର ରାଧେ ଶ୍ୟାମ / ଜପ ହରେକୃଷ୍ଣ ହରେ ରାମ’’- ଏହା ଓଡ଼ିଶାର ସ˚କୀର୍ତ୍ତନ ଧାରାର ଅତି ଲୋକପ୍ରିୟ ପଦ। ‘ଶ୍ରୀକୃଷ୍ଣ ଚୈତନ୍ୟ’ ବୁଝାଏ ଷୋଡ଼ଶ ଶତାବ୍ଦୀର ବିଶିଷ୍ଟ ବୈଷ୍ଣବଧର୍ମ ପ୍ରଚାରକ ଶ୍ରୀଚୈତନ୍ୟଙ୍କୁ। ସେ ଅତ୍ୟନ୍ତ ଗୌରବର୍ଣ୍ଣର। ତେଣୁ ତାଙ୍କର ଅନ୍ୟନାମ ‘ଗୌର’। କିନ୍ତୁ ଏହି ସ˚କୀର୍ତ୍ତନ ପଦରେ ଥିବା ‘ନିତ୍ୟାନନ୍ଦ’ ବା ‘ନିତାଇ’ଙ୍କ ସ˚ପର୍କରେ ସାଧାରଣରେ ଖୁବ୍ ସ୍ପଷ୍ଟ ଧାରଣା ନାହିଁ।
ନିତ୍ୟାନନ୍ଦ ହେଉଛନ୍ତି ଶ୍ରୀଚୈତନ୍ୟଙ୍କର ପ୍ରଧାନ ଭକ୍ତ ତଥା ସଖା। ଶ୍ରୀଚୈତନ୍ୟ ଷୋଡ଼ଶ ଶତାବ୍ଦୀର ଆଦ୍ୟପାଦରେ ଓଡ଼ିଶା ଆସିବା ବେଳକୁ, ତାଙ୍କ ସହିତ ଛଅଜଣ ଗୋସ୍ବାମୀ ବା ସନ୍ନ୍ୟାସୀ ଆସିଥିଲେ। ସେମାନେ ହେଉଛନ୍ତି- ରୂପଗୋସ୍ବାମୀ, ଜୀବଗୋସ୍ବାମୀ, ସନାତନ ଗୋସ୍ବାମୀ, ଗୋବିନ୍ଦ ଗୋସ୍ବାମୀ, ଗୋପାଳ ଗୋସ୍ବାମୀ ଓ ରଘୁନାଥ ଗୋସ୍ବାମୀ। ନିତ୍ୟାନନ୍ଦ ଏହି ‘ଷଡ଼ ଗୋସ୍ବାମୀ’ଙ୍କର ଅନ୍ତର୍ଭୁକ୍ତ ନୁହନ୍ତି।
ମାଘ ଶୁକ୍ଳ ଚତୁର୍ଦ୍ଦଶୀ (ଶିବଚତୁର୍ଦ୍ଦଶୀ) ‘ନିତ୍ୟାନନ୍ଦ’ ବା ‘ନିତାଇ’ଙ୍କର ଜନ୍ମ ବୋଲି ଜଣାଯାଏ। କୃଷ୍ଣଦାସ କବିରାଜଙ୍କ ଦ୍ବାରା ରଚିତ ବଙ୍ଗଳାଗ୍ରନ୍ଥ ‘ଚୈତନ୍ୟ ଚରିତାମୃତ’ରେ ଏହି ‘ନିତ୍ୟାନନ୍ଦ’ ବା ‘ନିତ୍ୟାନନ୍ଦ ପ୍ରଭୁ’ଙ୍କର ବର୍ଣ୍ଣନା ରହିଛି।
ତାହା ଅନୁସାରେ, ଶ୍ରୀଚୈତନ୍ୟ ହେଉଛନ୍ତି ‘ରସର ସଦନ’। ତାଙ୍କ ପ୍ରବର୍ତ୍ତିତ ଧର୍ମ ହେଉଛି ‘କଳିଯୁଗ ଧର୍ମ’। ଶ୍ରୀଚୈତନ୍ୟଙ୍କର ଦାସ ବା ଅନୁଗତମାନେ ସେ ଧର୍ମ ଜାଣନ୍ତି ଓ ତାହାର ଆସ୍ବାଦନ କରିଥାନ୍ତି। ସେମାନଙ୍କ ମଧୢରେ ଅଦ୍ବୈତ, ନିତ୍ୟାନନ୍ଦ, ଶ୍ରୀନିବାସ, ଗଦାଧର, ଦାମୋଦର, ମୁରାରି, ହରିଦାସ ଆଦି ପ୍ରମୁଖ।
‘ଶ୍ରୀଚୈତନ୍ୟ ଚରିତାମୃତ’ର ପଞ୍ଚମ ପରିଚ୍ଛେଦରେ ‘ଶ୍ରୀଚୈତନ୍ୟ’ ଓ ‘ଶ୍ରୀନିତ୍ୟାନନ୍ଦ’ଙ୍କୁ ‘ପ୍ରଭୁ’ ବୋଲି କୁହାଯାଇଛି। ସେହି ପରିଚ୍ଛେଦଟି ‘‘ଅନନ୍ତ, ଅଦ୍ଭୁତ, ଐଶ୍ବର୍ଯ୍ୟବାନ୍ ଈଶ୍ବର ନିତ୍ୟାନନ୍ଦ ପ୍ରଭୁ’’ଙ୍କର ବନ୍ଦନା। ସେଥିରେ ଶ୍ରୀଚୈତନ୍ୟ ଓ ଶ୍ରୀନିତ୍ୟାନନ୍ଦଙ୍କୁ ‘ଦୁଇ ଚନ୍ଦ୍ର’ କୁହାଯାଇଛି। ପଦଟି ହେଉଛି- ‘‘ଜୟଜୟ ଶ୍ରୀଚୈତନ୍ୟ ଜୟ ନିତ୍ୟାନନ୍ଦ / ଜୟ ଦ୍ବୈତଚନ୍ଦ୍ର ଜୟ ଗୌରଭକ୍ତବୃନ୍ଦ।’’
ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ବୈଷ୍ଣବଧର୍ମର ଅନୁଗାମୀମାନଙ୍କର ବିଶ୍ବାସ ହେଉଛି- ଶ୍ରୀଚୈତନ୍ୟ ହେଉଛନ୍ତି କୃଷ୍ଣ ଓ ନିତ୍ୟାନନ୍ଦ ବଳରାମ। ସେଥିରେ ବର୍ଣ୍ଣନା ଅଛି-
‘‘ସେଇ କୃଷ୍ଣ ନବଦ୍ବୀପେ ଶ୍ରୀଚୈତନ୍ୟ ଚନ୍ଦ୍ର/
ସେଇ ବଳରାମ ସଙ୍ଗେ ଶ୍ରୀନିତ୍ୟାନନ୍ଦ।’’
ପୁଣି ଏହି ଗୌଡ଼ୀୟ ବୈଷ୍ଣବଧର୍ମ ଅନୁଗାମୀମାନଙ୍କର ବିଶ୍ବାସ ଯେ ଏ ଦୁହେଁ ଭିନ୍ନ ସ୍ବରୂପ ହେଲେ ମଧୢ ‘ଏକ କାୟା’। ଏ ଦୃଷ୍ଟିରୁ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ବୈଷ୍ଣବ ଧର୍ମରେ ‘ଶ୍ରୀନିତ୍ୟାନନ୍ଦ’ଙ୍କର ମଧୢ ବିଶେଷ ଗୁରୁତ୍ବ ରହିଛି।