ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ: ଡ୍ରୋନ୍ ଉଡ଼ିବା ଉପରେ କଟକଣା

ଭୁବନେଶ୍ବର: ଆସନ୍ତା ୩ତାରିଖରେ (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌େସନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଆଇଆଇଏମ୍‌ କ୍ୟାମ୍ପସକୁ ଯିବେ। ସେଠାରେ ଆଇଆଇଏମ୍‌, ସମ୍ବଲପୁର କ୍ୟାମ୍ପସର ଲୋକାର୍ପଣ, ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ‘ରେମେଡ୍’ ପଡ଼ିଆଠାରେ ଏକ ସାଧାରଣ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଲୋକସେବା ଭବନରେ ଆଜି ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ହୋଇଛି ଯେ ଝାରସୁଗୁଡ଼ା ବିମାନବନ୍ଦର ସମେତ ସମ୍ବଲପୁର ଠାରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ତାଙ୍କ ଗସ୍ତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମାନକ ନିୟମ ଅନୁସାରେ କଡ଼ାକଡ଼ି ଦୃଷ୍ଟି ଦିଆଯିବ। ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର,  ହେଲିପ୍ୟାଡ଼ସ୍ଥଳରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ନାହିଁ। ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ, ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା, ଆଉ ଦୁଇଟି ଅତିରିକ୍ତ ଜେନେରେଟର ରଖିବା, ଡାକବାଜି ଯନ୍ତ୍ର ଯେପରି ଭଲ ଭାବେ ବାଜିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

କେନ୍ଦ୍ର ଗୃହ ବିଭାଗ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ବିଭିନ୍ନ ସ୍ଥାନରେ କାର୍ଯ୍ୟନିର୍ବାହ ପାଇଁ ଏବଂ ମୁତୟନ ହେଉଥିବା ସିଧାସଳଖ ନିକଟ ସଂସ୍ପର୍ଶ (କ୍ଲୋଜ୍ ପ୍ରକ୍ସିମିଟି)ରେ ଯେଉଁ ଅଧିକାରୀ, କର୍ମଚାରୀ ବା ବ୍ୟକ୍ତିବିଶେଷଙ୍କର ଦାୟିତ୍ବ ରହୁଛି ସେମାନଙ୍କ ପାଇଁ କୋଭିଡ-୧୯ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଏବଂ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଓ କାର୍ଯ୍ୟକ୍ରମସ୍ଥଳରେ ‘କ୍ରିଟିକାଲ କେୟାର ବକ୍ସ’ ରଖାଯିବ। ଦୂରଦର୍ଶନ ଓ ପିଆଇବି ସହାୟତାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବାକୁ ଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହାକୁ ସୁବ୍ୟବସ୍ଥିତ କରାଯିବ। କାର୍ଯ୍ୟକ୍ରମସ୍ଥଳରେ ଇଣ୍ଟରନେଟ ସୁବିଧା, ଅଗ୍ନିନିର୍ବାପକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ପାଇଁ ଗୃହ ବିଭାଗ ତରଫରୁ ଏକ କଣ୍ଟ୍ରୋଲ ରୁମ୍ କରାଯିବ। ଏହା ବ୍ୟତୀତ ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ସଂପୃକ୍ତ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅନୁଯାୟୀ ଆବଶ୍ୟକୀୟ ବ୍ୟବସ୍ଥା କରିବେ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବ୍ୟବସ୍ଥାର ତଦାରଖ କରିବେ। ଆଜିର ପ୍ରସ୍ତୁତି ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଂଜନ କୁମାର ସିଂହ, ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।