ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଥମ ସପ୍ତାହ ମୁଢ଼ି ଖାଇ ବଞ୍ଚିଥିଲୁ: ମହାପ୍ରଭୁ ଜଗନ୍ନାଥ ବଞ୍ଚାଇଦେବେ ‌ବୋଲି ଭରସା ଥିଲା

ବାରିପଦା/କଳାବାଡ଼ିଆ/ରାଇରଙ୍ଗପୁର/ବାସୁଦେବପୁର: ୧୭ ଦିନର ଜୀବନ-ମୃତ୍ୟୁ ଲଢ଼େଇ ପରେ ଉତ୍ତରକାଶୀ ସିଲ୍‌କାରା ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ବାହାରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ୍‌ ଯୋଗିବନ୍ଧ ଗାଁର ବିଶ୍ବେଶ୍ବର ନାଏକ, ବେଡ଼ାକୁଦର ଗାଁର ଧୀରେନ ନାଏକ, ରାଇରଙ୍ଗପୁର ଉପଖଣ୍ଡ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଚାଳିଶଚେନ୍ ଗାଁର ତପନ ମଣ୍ଡଳ। ବାହାରକୁ ଆସିବା ପରେ ସେମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ମୁକ୍ତିର ଆନନ୍ଦ। ନିବୁଜ ସୁଡ଼ଙ୍ଗରେ ୪ ଶହ ଘଣ୍ଟାରୁ ଅଧିକ ସମୟ କାଟିଥିବା ଏହି ବାହାଦୁର ଶ୍ରମିକମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ହରାଇ ନଥିଲେ। ବରଂ ସୁଡ଼ଙ୍ଗ ଭିତରେ ବଞ୍ଚି ରହିବାକୁ ବାଟ ଖୋଜି ନେଇଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପାଇବେ ବୋଲି ସଭିଁଙ୍କ ମନରେ ଥିଲା ଦୃଢ ଆଶା। ଉଦ୍ଧାର ପରେ ସେମାନେ ଏବେ ଋଷିକେଶ ଏମ୍‌ସରେ ଡାକ୍ତରୀଦଳଙ୍କ ନିରୀକ୍ଷଣରେ ଥିବା ବେଳେ ମୟୂରଭଞ୍ଜ ଓ ଭଦ୍ରକର ଏହି ୪ ଜଣ ସାହସୀ ଯୁବକ ଫୋନ୍‌ ଯୋଗେ ‘ସମ୍ବାଦ ସହ ବାଣ୍ଟିଛନ୍ତି ସୁଡ଼ଙ୍ଗ ଭିତରର ସେହି ଛାତିଥରା ଅନୁଭୂତି।

ବିଶ୍ବେଶ୍ବରଙ୍କ କହିବା ଅନୁଯାୟୀ, ନଭେମ୍ବର ୧୨ ତାରିଖରେ କାମ ସାରି ଭୂତଳ ଟନେଲ୍‌ରୁ ଫେରିବା ବାଟରେ ସଂଧ୍ୟା ପ୍ରାୟ ୬ଟା ସମୟରେ ହଠାତ୍‌ ମାଟି ଅତଡ଼ା ଧସିବାକୁ ଆରମ୍ଭ କରିଥିଲା। ସୁଡ଼ଙ୍ଗ ଖନନ ବେଳେ ଅତଡ଼ା ଧସିବା ସାଧାରଣ କଥା ହୋଇଥିବାରୁ ଆରମ୍ଭରୁ କେହି ଏହାକୁ ନେଇ ବିଶେଷ ଚିନ୍ତିତ ନଥିଲେ। ତେବେ ପ୍ରାୟ ୨ ଘଣ୍ଟା ପରେ ରାତି ୮ଟାରେ ଥରେ ଓ ୩ ଘଣ୍ଟା ପରେ ତୃତୀୟ ଥର ପାଇଁ ସୁଡ଼ଙ୍ଗ ଧସିବାରୁ ଆମେ ସମସ୍ତେ ବଡ଼ ବିପଦରେ ପଡ଼ିଥିବା ଜାଣି ଭୟଭୀତ ହୋଇ ପଡ଼ିଥିଲୁ। ଆତୁର ହୋଇ ମହାପ୍ରଭୁଙ୍କୁ ଡାକିଥିଲୁ। ସୁଡ଼ଙ୍ଗ ଭିତରେ ପ୍ରଥମ ୨ ଦିନ ଭାରି କଷ୍ଟଦାୟକ ଥିଲା। ପ୍ରାୟ ୪୮ ଘଣ୍ଟା ପରେ ନିର୍ମାଣକାରୀ ସଂସ୍ଥା, ଉତ୍ତରକାଶୀ ଜିଲ୍ଲା ପ୍ରଶାସନ ଓ ଉତ୍ତରାଖଣ୍ଡ ସରକାର ଆମ ସହ ୱାକିଟକି ମାଧ୍ୟମ‌ରେ ନିୟମିତ ଯୋଗସୂତ୍ର ରକ୍ଷା କରିବା ପରେ ଆମ ସାହସ ବଢ଼ିଥିଲା। ପ୍ରଥମ ସପ୍ତାହ ସମସ୍ତେ କେବଳ ମୁଢ଼ି ଖାଇ ବଞ୍ଚିଥିଲୁ। ପରେ ପାଇପ୍‌ ଯୋଗେ ରନ୍ଧାଖାଦ୍ୟ ଓ ତରଳଖାଦ୍ୟ ପହଞ୍ଚିଥିଲା। ଆମେ ଫସିଥିବା ସ୍ଥାନରୁ ଟନେଲ୍‌ ଭିତରେ ପ୍ରାୟ ୨ କିଲୋମିଟରରୁ ଅଧିକ ଫଙ୍କା ସ୍ଥାନ ଥିବାରୁ ଚଳପ୍ରଚଳ ତଥା ଶୌଚ ଯିବା ପାଇଁ ବିଶେଷ ଅସୁବିଧା ହୋଇନଥିଲା। ଶେଷରେ ଜଗନ୍ନାଥଙ୍କ କୃପାରୁ ନୂଆ ଜୀବନ ପାଇଲୁ। ଆଉ ଦିନକ ପରେ ଆମକୁ ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ସରକାର। ଏ ସମ୍ପର୍କରେ ଧୀରେନ ନାଏକ କହିଛନ୍ତି ପ୍ରଥମ ୨ ଦିନ ଆମ ସହିତ କାହାରି ଯୋଗାଯୋଗ ହୋଇ ପାରିନଥିଲା। ତେଣୁ ମରିବୁ କି ବଞ୍ଚିବୁ କିଛି ବୁଝା ପଡୁନଥିଲା। ତେବେ ସୌଭାଗ୍ୟକୁ ଟନେଲ୍‌ରେ ପାଣି, ଲାଇଟ୍ ଓ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ କଷ୍ଟେମଷ୍ଟେ ୨ ଦିନ କାଟିଦେଲୁ।

ହେଲେ ଦୁଇ ରାତି ଶୋଇ ପାରିନଥିଲୁ। କାରଣ ମାଟି ତଳ ସନ୍ତସନ୍ତିଆ ଥିଲା। ପରେ ଦେହସୁହା ହୋଇଗଲା। କିଛି ଶ୍ରମିକଙ୍କୁ ଥଣ୍ଡା ଓ ପ୍ରବଳ କାଶ ହେବାରୁ ସେମାନଙ୍କ ପାଇଁ ପାଇପ୍‌ରେ ଔଷଧ ଦିଆଯାଇଥିଲା। ସେହିପରି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାରୁ ପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜୁ। ଏଠାକୁ ଆଉ କାମ କରିବାକୁ ଆସିବିନି ବୋଲି ସେ କହିଛନ୍ତି। ଗାଁରେ ପରିବାର ସହ ରହିବି ଓ ସେଇଠି କାମଧନ୍ଦା କରିବି ବୋଲି କହିଛନ୍ତି। ଭଦ୍ରକ ବାସୁଦେବପୁର ବ୍ଳକ୍‌ର ତପନ ମଣ୍ଡଳ ମଧ୍ୟ ପୁର୍ନଜନ୍ମ ପାଇଥିବା କୋହଭରା କଣ୍ଠରେ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଉଦ୍ଧାରକାରୀ ଦଳର ନିରନ୍ତର ପ୍ରୟାସ ଯୋଗୁଁ ଆମେ ସମସ୍ତେ ମରଣମୁହଁରୁ ଫେରିଆସିଲୁ ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ବିଶ୍ବେଶ୍ବର ଟୁଡ଼ୁଙ୍କ ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ସଚିବ ଏସ୍‌କେ ଜେନା ଓ ଦୁଇଟି ଟିମ୍‌ ଏମ୍‌ସରେ ମୟୂରଭଞ୍ଜ ଶ୍ରମିକମାନଙ୍କ ଦେଖାଶୁଣା କରୁଛନ୍ତି। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସହଯୋଗରେ ସେମାନଙ୍କୁ ଘରକୁ ଆଣିବାର ବ୍ୟବସ୍ଥା କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।